ପ୍ରେମୀ ଯୁଗଳ ଜୀବନ ହାରିଲେ; ସୁଲେଇପାଟରୁ ଝୁଲନ୍ତା ଶବ ଉଦ୍ଧାର   

ରାଇରଙ୍ଗପୁର/ବାଦାମପାହାଡ଼/ସୁଲେଇପାଟ: ପ୍ରେମରେ ଅସଫଳ ହେବାରୁ ପ୍ରେମୀ ଯୁଗଳ ଚରମ ନିଷ୍ପତ୍ତି ନେଲେ। ‌ଶେଷରେ ଫାଶୀ ଦେଇ ଜୀବନ ହାରିଦେଲେ। ହାତକୁ ହାତ ଧରି ଉଭୟେ ଗଛରେ ଝୁଲି ଯାଇଥିଲେ। ମୟୂରଭଞ୍ଜ ଜିଲ୍ଲା ବାଦାମପାହାଡ଼ ଥାନା ଅନ୍ତର୍ଗତ ସୁଲେଇପାଟ ମାଇନ୍ସ ଅଂଚଳରେ ଆଜି ଏହି ଦୁଃଖଦ ଘଟଣା ଘଟିଛି। ଏମ୍ଆଇପି ନିକଟସ୍ଥ ଏକ ସାହାଡ଼ା ଗଛରୁ ପ୍ରେମୀ ଯୁଗଳଙ୍କ ଝୁଲନ୍ତା ଶବ ଉଦ୍ଧାର ହୋଇଛି। ମୃତ ପ୍ରେମୀ ଯୁଗଳ ହେଲେ କୁସୁମୀ ବ୍ଲକ୍‌ ଲଙ୍ଗଳଶିଳା ଫୁରମାଲସାହିର ଶ୍ୟାମ ମାଝୀଙ୍କ ପୁଅ ବାଜିନାଥ ମାଝୀ(୧୯) ଓ ସେହି ଗ୍ରାମର ରାଖାସାହିର ମାତାଲ ବିନ୍ଧାଣୀଙ୍କ ଝିଅ ସୁନୀତା(୧୭)। ସୂଚନା ଅନୁସାରେ, ବାଜିନାଥ ଓ ସୁନୀତା ପରସ୍ପରକୁ ଦୀର୍ଘ ଦିନରୁ ପ୍ରେମ କରୁଥିଲେ। କିନ୍ତୁ କୌଣସି କାରଣରୁ ଏହି ପ୍ରେମ ସଫଳ ହୋଇ ପାରି ନଥିଲା। ଆଜି ଅପରାହ୍ନ ପ୍ରାୟ ୩ଟା ବେଳେ ଉଭୟଙ୍କ ଝୁଲନ୍ତା ଶବକୁ ଦେଖି ଗ୍ରାମବାସୀ ପୁଲିସକୁ ଖବର ଦେଇଥିଲେ।
ସୂଚନାକ୍ରମେ ବାଦାମପାହାଡ଼ ଥାନାଧିକାରୀ ଶଶଧର ସେଠୀ, ସୁଲେଇପାଟ ଫାଣ୍ଡି ଏଏସ୍ଆଇ ଅବନୀକାନ୍ତ ପଣ୍ଡା ଘଟଣାସ୍ଥଳରେ ପହଞ୍ଚି ଝୁଲନ୍ତା ଶବକୁ ଗଛରୁ ଓହ୍ଲାଇଥିଲେ। ଉଭୟଙ୍କ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟକୁ ଅଣାଯାଇଥିଲା। ତେବେ ପ୍ରେମୀ ଯୁଗଳଙ୍କ ମୃତଦେହର ପାରିପାର୍ଶ୍ବିକ ଅବସ୍ଥାରୁ ଘଟଣାକୁ ନେଇ ସନ୍ଦେହ ସୃଷ୍ଟି ହେଉଛି। ଉଭୟଙ୍କ ପାଦ ଗଛ ତଳକୁ ଲାଗିଥିବା ବେଳେ ଏହା ଆତ୍ମହତ୍ୟା ନୁହେଁ ବୋଲି ସନ୍ଦେହ ହେଉଛି। ଏନେଇ ଅଧିକ ତଦନ୍ତ ହେଲେ ପ୍ରକୃତ ଘଟଣାର ପର୍ଦ୍ଦାଫାସ ହେବ ବୋଲି ଦାବି ହୋଇଛି। ତେବେ ମୃତ୍ୟୁର କାରଣ କିଛି ଜଣା ପଡ଼ି ନଥିବା ପୁଲିସ କହିଛି। ଏନେଇ ବାଦାମପାହାଡ଼ ଥାନାରେ କେସ ନଂ. ୪/୧୯ରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି।

ସମ୍ବନ୍ଧିତ ଖବର