ସ୍ଥାନ ବଦଳିଲା, ମାତ୍ର ପରସ୍ଥିତିରେ ସୁଧାର ନାହିଁ, ଷ୍ଟେସନ ପଡ଼ିଆ ଅସ୍ଥାୟୀ ହାଟରେ ସାମାଜିକ ଦୂରତାକୁ ଫୁଃ

ବାରିପଦା: ହାଟ ବସୁଥିବା ସ୍ଥାନ ବଦଳିଲା। ମାତ୍ର ପରସ୍ଥିତିରେ କିନ୍ତୁ କିଛି ସୁଧାର ଆସିଲାନି। ଯଥା ପୂର୍ବଂ ତଥା ପରଂ। ବାରିପଦା ଷ୍ଟେସନ ପଡ଼ିଆରେ ଗତ ଗୁରୁବାର ବସିଥିଲା ଅସ୍ଥାୟୀ ହାଟ । ଉକ୍ତ ହାଟ ବାରିପଦା ତହସିଲଦାରଙ୍କ ନିଷ୍ପତ୍ତି କ୍ରମେ ବସିଥିବା ସମୟରେ ସାମାଜିକ ଦୂରତାକୁ ଅଣଦେଖା କରାଯାଇଥିବାର ପରିଲକ୍ଷିତ ହୋଇଥିଲା । ପ୍ରାପ୍ତ ସୂଚନାରୁ ଜଣାପଡ଼ିଛି, ବାରିପଦା ପୌରପରିଷଦର ୱାର୍ଡ଼ ନମ୍ବର ୧୩ ଷ୍ଟେସନ ବଜାରରେ ପ୍ରତ୍ୟେକ ଗୁରୁବାର ଓ ରବିବାର ବସିଥାଏ ହାଟ । ଉକ୍ତ ହାଟକୁ ସହରର ବିଜୟ କୁମାର ସିଂ ନିଲାମରେ ନେଇଥିବା ବେଳେ ମାର୍ଚ୍ଚ ୨୪ରୁ କରୋନାକୁ ନେଇ ଲକଡାଉନ ଘୋଷଣା କରାଯାଇଥିଲା ।

ତେବେ ଏହି ହାଟ ପ୍ରତ୍ୟେକ ରବି ଓ ଗୁରୁବାର ଚାଲୁ ରହିଥିବା ସମୟରେ ପଡ଼ୋଶୀ ପଶ୍ଚିମବଙ୍ଗ ସହିତ ବିଭିନ୍ନ ରାଜ୍ୟରୁ ବ୍ୟବସାୟୀମାନେ ଆସିଥାନ୍ତି । ଏଥି ସହିତ ବାରିପଦା ସହର ଓ ଆଖପାଖ ଅଞ୍ଚଳରୁ ଶତାଧିକ ଜନସାଧାରଣ ସେମାନଙ୍କର ଆବଶ୍ୟକ ସାମଗ୍ରୀ କିଣିବାକି ନିମନ୍ତେ ଅଧ୍ୟ ଆସିଥାନ୍ତି । ଫଳରେ ଉକ୍ତ ହାଟରେ ସାମାଜିକ ଦୂରତା ରକ୍ଷା ଅସମ୍ଭବ ହୋଇପଡ଼ିଥିଲା । ସେହିପରି ଓଡ଼ିଶାରେ କରୋନା ପଜିଟିଭ ସଂଖ୍ୟାର ଏକତୃତୀୟାଂଶ ପଶ୍ଚିମବଙ୍ଗ ଲିଙ୍କ ରହିଥିବାର ଜଣାପଡ଼ିଛି ।

ତେଣୁ ପଶ୍ଚିମବଙ୍ଗରୁ ଆସୁଥିବା ବ୍ୟବସାୟୀ ଓ ସାମାଜିକ ଦୂରତାକୁ ନେଇ ଚିନ୍ତିତ ହୋଇପଡ଼ିଥିଲା ଜିଲ୍ଲା ପ୍ରଶାସନ । ଏନେଇ ନିଲମାଧାରୀ ବିଜୟ ସିଂଙ୍କୁ ସ୍ୱତନ୍ତ୍ର ମାଜିଷ୍ଟ୍ରେଟ କ୍ଷମତା ପ୍ରାପ୍ତ ବାରିପଦା ତହସିଲଦାରଙ୍କ ପକ୍ଷରୁ ସୋକଜ ନୋଟିସ ଜାରି କରାଯିବା ପରେ ଶ୍ରୀ ସିଂଙ୍କ ସହମତି କ୍ରମେ ହାଟକୁ ମେ ୩ ପର୍ୟ୍ୟନ୍ତ ବନ୍ଦ ରଖାଯିବା ପାଇଁ ଏକ ଆଦେଶନାମା ଗତ ୨୧ରେ ଜାରି କରାଯାଇଥିଲା । କିନ୍ତୁ, ବାରିପଦା ହାଟ ବନ୍ଦ ରହିଥିବା ବେଳେ ଷ୍ଟେସନ ବଜାର ପଡ଼ିଆରେଦୋକାନ ବଜାର ବସିଥିବା ଏବଂ ଏଠାରେ ଜନସାଧାରଣ ଲକ୍ ଡ଼ାଉନର ନିର୍ଦ୍ଦେଶନାମାକୁ ଖୋଲାଖୋଲି ଅବମାନନାସହ ପରସ୍ପର ମଧ୍ୟରେ ଭିଡ଼ାଭିଡ଼ି ହୋଇ ଜିନିଷପତ୍ର କିଣାବିକା କରୁଥିବାର ଦେଖିବାକୁ ମିଳିଥିଲା ।

ଏବିଷୟରେ ବାରିପଦା ତହସିଲଦାର ରାମଚନ୍ଦ୍ର ସୋରେନଙ୍କ ସହିତ ଯୋଗାଯୋଗ କରିବାରୁ ଗୁରୁବାର ଦିନ ଯେଉଁ ଲୋକମାନେ ଜାଣତରେ ହେଉ ଅଥବା ଅଜାଣତରେ ହେଉ ସେମାନଙ୍କର ଜିନିଷପତ୍ର ଧରି ପହଁଞ୍ଚିଥିଲେ । ଫଳରେ ସେମାନଙ୍କୁ ବିକ୍ରି କରିବା ନିମନ୍ତେ ଅସ୍ଥାୟୀ ଭାବେ ଷ୍ଟେସନ ବଜାର ପଡ଼ିଆରେ ସାମାଜିକ ଦୂରତ୍ୱ ବଜାୟ ରଖି ବସିବା ନିମନ୍ତେ ଅନୁମତି ଦିଆଯାଇଥିଲା । ପୁଣି ଆସନ୍ତା ରବିବାର ଦିନ ଯଦି ଆସନ୍ତି ତେବେ ସେମାନଙ୍କୁ ଛାଡ଼ି ଛାଡ଼ି ବସିବା ନିମନ୍ତେ କୁହାଯିବ ବୋଲି ତହସିଲଦାର ଶ୍ରୀ ସୋରେନ ପ୍ରକାଶ କରିଥିଲେ ।

ସେହିପରି ହାଟ ନିଲାମ ନେଇଥିବା ବିଜୟ ସିଂ ଜନସାଧାରଣଙ୍କ ଓ ଜିଲ୍ଲାବାସୀଙ୍କ ସାମୁହିକ ସ୍ୱାର୍ଥ ସହିତ ୧୩ ନମ୍ବର ୱାର୍ଡ଼ର ଜନସାଧାରଣଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ହାଟକୁ ଲକ୍ ଡ଼ାଉନ ଉଠିବା ପର୍ୟ୍ୟନ୍ତ ବନ୍ଦ ରଖିବା ନିମନ୍ତେ ସହମତି ଦେଇଥିଲି । ମାତ୍ର ଷ୍ଟେସନ ବଜାର ପଡ଼ିଆରେ ମଧ୍ୟ ସମାନ ଅବସ୍ଥା ଦେଖିବାକୁ ମିଳିଥିଲା । ଏବିଷୟରେ ତହସିଲଦାରଙ୍କ ଦୃଷ୍ଟି ଆକର୍ଷଣ କରାଇବେ ବୋଲି ନିଜ ପ୍ରତିକ୍ରିୟାରେ ପ୍ରକାଶ କରିଥିଲେ ।

ସମ୍ବନ୍ଧିତ ଖବର