ହାତୀ ଆକ୍ରମଣରେ ବୃଦ୍ଧ ମୃତ

ରାଇରଙ୍ଗପୁର/ବିଶୋଇ: ମୟୁରଭଞ୍ଜ ଜିଲ୍ଲାରେ ପୁଣି ହାତୀ ଆକ୍ରମଣରେ ଜଣଙ୍କର ମୃତ୍ୟୁ ଘଟିଛି। ସୂଚନା ଅନୁଯାୟୀ ରାଇରଙ୍ଗପୁର ବନଖଣ୍ଡ ମଣଦା ରେଞ୍ଜ ଖଡମବେଡା ଗ୍ରାମ ପଞ୍ଚାୟତ ଦେଓପଟା ଗ୍ରାମର ରତନ ସୋରେନ (୫୭) ଗତକାଲି ରାତିରେ ବାହାରକୁ ବାହାରିଥିଲେ। ସେହି ସମୟରେ ତାଙ୍କ ବାଡ଼ିରେ ଥିବା ପାଚିଲା ପଣସ ଖାଇବାକୁ ଏକ ହାତୀ ଆସିଥିଲା। ତେବେ ରତନ ହଠାତ୍  ହାତୀ ହାବୁଡ଼ରେ ଆସିଯିବାରୁ ସେଠାରେ ତାଙ୍କୁ ଦଳି ଦେଇଥିଲା। ହାତୀ ଓ ରତନଙ୍କ ଚିତ୍କାର ଶୁଣି ପରିବାର ଲୋକେ  ଗ୍ରାମବାସୀଙ୍କ ସହିତ ଘଟଣାସ୍ଥଳକୁ ପହଞ୍ଚିଲା ବେଳକୁ ହାତୀ ଘଟଣାସ୍ଥଳରୁ ପଳାଇଯିବାର ଲୋକେ ଦେଖିଥିଲେ। ପରେ ଗ୍ରାମବାସୀ ରତନଙ୍କୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସ ଯୋଗେ ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟକୁ ପଠାଇଥିଲେ।

ତେବେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ଖବର ପାଇ ଆଜି ସକାଳୁ ମଣଦା ରେଞ୍ଜର ଧରିତ୍ରୀ ମୁର୍ମୁଙ୍କ ନେତୃତ୍ୱରେ ବନବିଭାଗ ଟିମ ଘଟଣା ସ୍ଥଳକୁ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି।

ଏଥିସହିତ ଜିଲ୍ଲା ପରିଷଦ ସଦସ୍ୟା ବିନ୍ଦୁସ୍ମିତା ଦେଓ, ଖଡ଼ମବେଡା ସରପଞ୍ଚ ସୋମବାରୀ ସିଂ, ପଞ୍ଚାୟତ ସମିତି ସଦସ୍ୟା ବାସନ୍ତୀ ହାଁସଦା, ସମାଜସେବୀ ସୁରାଇ ହାଁସଦା, ଦିଲ୍ଲୀପ ସି ପ୍ରମୁଖ ଘଟଣାସ୍ଥଳକୁ ପହଞ୍ଚି ପରିବାର ଲୋକଙ୍କୁ ସମବେଦନା ଜଣାଇବା ସହିତ ମୃତ ରତନଙ୍କ ଅନ୍ତିମ କ୍ରିୟା ପାଇଁ ପରିବାର ଲୋକଙ୍କୁ  ଯଥାଶୀଘ୍ର ଆର୍ଥିକ ସହାୟତା ଯୋଗାଇବା ପାଇଁ ବନବିଭାଗ ସହିତ ଆଲୋଚନା କରିଛନ୍ତି। ବନବିଭାଗ ଓ ବିଶୋଇ ପୁଲିସ ଘଟଣାର ଅଧିକ ତଦନ୍ତ କରୁଛନ୍ତି। ଏନେଇ ବିଶୋଇ ଥାନାରେ ଏକ ମାମଲା ରୁଜ୍ଜୁ ହୋଇଛି।

ସମ୍ବନ୍ଧିତ ଖବର