ମୟୁରଭଞ୍ଜ: ଆସିପାରିଲାନି ଆମ୍ବୁଲାନ୍‌ସ, ଲଣ୍ଠନ୍‌ ଆଲୁଅ ବିଲ ରାସ୍ତାରେ ଖଟିଆରେ ବୁହା ହେଲେ ସୁନ୍ଦର ମୋହନ

ବାରିପଦା(ରାଜକିଶୋର ଦାଶ): ରାଜ୍ୟ ସରକାର ଚକ୍‌ଚକିଆ ରାସ୍ତା ସହିତ ସବୁ ଗାଁକୁ ଯୋଡ଼ିବାକୁ ଗୋଟିଏ ପରେ ଗୋଟିଏ ଯୋଜନା ପ୍ରସ୍ତୁତ କରୁଥିବା ବେଳେ ଅନେକ ସ୍ଥାନରେ ଏହା ଓଲଟା ଦେଖାଯାଉଛି। ମୟୁରଭଞ୍ଜ ଜିଲ୍ଲାର ମୋରଡ଼ା ବ୍ଲକ୍‌ ଅନ୍ତର୍ଗତ ଘୋଳମୁହାଁ ପଞ୍ଚାୟତ ଠେଙ୍ଗାତାଣ୍ଡି (ତିରିଲ୍‌ ଡିହି) ଗାଁରେ ଗୁରୁବାର ଏଭଳି ଏକ ଚିତ୍ର ସାମ୍ନାକୁ ଆସିଛି। ଏହି ଗାଁର ସୁନ୍ଦର ମୋହନ ବାସ୍‌କେ (୭୦) ଦୀର୍ଘ ୮ ଦିନ ହେବ ଜ୍ୱରରେ ପିଡ଼ୀତ ଅଛନ୍ତି। ସେ ଅତ୍ୟନ୍ତ ଦୁର୍ବଳ ହୋଇ ଆଜି ତଳେ ପଡ଼ିଯାଇଥିଲେ। ପରିବାରବର୍ଗ ଭୟଭୀତ ହୋଇପଡ଼ିଥିଲେ। ମାତ୍ର ଏହି ଗାଁକୁ ସଂଯୋଗ କରୁଥିବା ରାସ୍ତାର ଅବସ୍ଥା ଶୋଚନୀୟ ହୋଇ ପଡ଼ିଥିବାରୁ ଆମ୍ବୁଲାନ୍‌ସ ମଧ୍ୟ ଆସିପାରିବନାହିଁ। ଅଗତ୍ୟା ଖଟରେ ପକେଇ ଅଢ଼େଇ କିଲୋମିଟର ପର୍ଯ୍ୟନ୍ତ ବୁହା ହୋଇ ଆସିଥିଲେ ସୁନ୍ଦର ମୋହନ।

ପ୍ରବଳ ବର୍ଷା କାରଣରୁ ରୋଗୀ ବୁହାହେଉଥିବା ଖଟିଆକୁ ସମ୍ପର୍କୀୟମାନେ ପାଲରେ ଘୋଡ଼େଇଥିଲେ। ଲଣ୍ଠନ ଓ ଟର୍ଚ୍ଚ ଆଲୁଅରେ ଅତ୍ୟନ୍ତ ବିପଦପୂର୍ଣ୍ଣ ବିଲ ରାସ୍ତାଦେଇ ପ୍ରାୟ ଅଢ଼େଇ କିମି ରୋଗୀଙ୍କୁ ନେଇଥିଲେ। ରିପୋର୍ଟ ଲେଖାଯିବା ବେଳକୁ ସୁନ୍ଦର ମୋହନ ମୋହନପୁରଠାରେ ଏକ ଅଟୋରେ ଭର୍ତ୍ତି ହୋଇ କିସାନତାଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଛନ୍ତି।

ଲଗାଣ ବର୍ଷା କାରଣରୁ ଏଠିକାର ରାସ୍ତା ଯାତାୟତ ପାଇଁ ସମ୍ପୂର୍ଣ୍ଣ ଅନୁପଯୁକ୍ତ ହୋଇପଡ଼ିଛି। ପୂର୍ବରୁ ଏହି ରାସ୍ତାକୁ ନେଇ ବାରମ୍ବାର ଅଭିଯୋଗ ହୋଇଛି। ମାତ୍ର ପ୍ରଶାସନିକ ଅବହେଳା ପାଇଁ ଆଜି ଏମିତି ପରସ୍ଥିତି ଉପୁଜୁଛି। ତୁରନ୍ତ ଏହି ରାସ୍ତା ମରାମତି କରିବା ପାଇଁ ସ୍ଥାନୀୟ ଲୋକେ ଦାବି କରିଛନ୍ତି। ସାଧାରଣ ଦିନ ମାନଙ୍କରେ ମଧ୍ୟ ଅଧିକ ପଇସା ଦେଇ ଲୋକମାନେ ଅନ୍ୟ ରାସ୍ତାରେ ଯିବାଆସିବା କରିବାକୁ ବାଧ୍ୟ ହୁଅନ୍ତି। ବିଶେଷ କରି ପ୍ରସୂତୀ ମହିଳା ଓ ବୃଦ୍ଧ ରୋଗୀମାନେ ନାନା ହଇରାଣ ହୋଇଥାଆନ୍ତି। ମାତ୍ର ଜନପ୍ରତିନିଧି ଏବଂ ପ୍ରଶାସନିକ ଅଧିକାରୀ ଏନେଇ ଆଖି ବୁଜି ଦେଇଛନ୍ତି। ସାଧାରଣ ଲୋକଙ୍କ ସମସ୍ୟା ପ୍ରତି ସେମାନଙ୍କର ଆଦୌ ନିଘା ନଥିବା ଜିଲ୍ଲା ଆଇନସେବା ପ୍ରାଧିକରଣ ସଦସ୍ୟ ନବଘନ ମାରାଣ୍ଡି ଅଭିଯୋଗ କରିଛନ୍ତି।

 

ସମ୍ବନ୍ଧିତ ଖବର