ମୟୂରଭଞ୍ଜ ଜିଲ୍ଲା ପରିଷଦ ନିର୍ବାଚନ: ବବି ଓ ବିଶ୍ବେଶ୍ୱରଙ୍କ ପାଇଁ ସମ୍ମାନର ପ୍ରଶ୍ନ

ବାଲେଶ୍ବର,(ଦିବ୍ୟଜ୍ୟୋତି ବେହେରା): ପଞ୍ଚାୟତ ନିର୍ବାଚନ ପାଇଁ ସରଗରମ ମୟୂରଭଞ୍ଜ ଜିଲ୍ଲା ରାଜନୀତି। ଗତ ୬ ମାସ ହେଲା ସଂଗଠନ ସଜାଡ଼ିବାରେ ବ୍ୟସ୍ତ ଥିବା ଦଳୀୟ ନେତାମାନେ ପ୍ରସଙ୍ଗଭିତ୍ତିକ ରାଜନୀତିକୁ ଓହ୍ଲାଇଛନ୍ତି। ଘନଘନ ବୈଠକ, ମିଶ୍ରଣ ପର୍ବ ସାଙ୍ଗକୁ କେଉଁ ପ୍ରସଙ୍ଗକୁ ନେଇ ପ୍ରତିପକ୍ଷଙ୍କୁ ଘେରିହେବ ଓ ଭୋଟ୍‌ବ୍ୟାଙ୍କ ହାତେଇ ହେବ, ସେ ନେଇ ପ୍ରସ୍ତୁତି ଚାଲିଛି। ଏଠି ଜାତୀୟ ଓ ରାଜ୍ୟସ୍ତରୀୟ ପ୍ରସଙ୍ଗ ବିଶେଷ ଗୁରୁତ୍ବ ରଖୁନି। ବରଂ ମୟୂରଭଞ୍ଜରେ ଯିଏ ଆଦିବାସୀଙ୍କ ସମସ୍ୟା ଓ ଆଞ୍ଚଳିକ ପ୍ରସଙ୍ଗକୁ ଅଧିକ ଗୁରୁତ୍ବ ଦେବ, ଭୋଟ୍‌ ବ୍ୟାଙ୍କ ସେ ଆଡ଼କୁ ଢ଼ଳିବ। କେବଳ ସେତିକି ନୁହେଁ, ବିଜେଡିର ମଙ୍ଗ ଧରିଥିବା ରାଜ୍ୟ ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ (ବବି) ଦାସ ଓ ବିଜେପିର କେନ୍ଦ୍ରମନ୍ତ୍ରୀ ଇଂ.ବିଶ୍ବେଶ୍ବର ଟୁଡ଼ୁଙ୍କ ମଧ୍ୟରେ ଏଥର ନେତୃତ୍ବର ଲଢ଼େଇ ହେବ। ଅର୍ଥାତ ଯାହାର ରଣନୀତି ଅଧିକ ସୁଦୃଢ଼ ହେବ, ସେ ହିଁ ଦଳୀୟ ବିଜୟର କର୍ଣ୍ଣଧାର ସାଜିବେ। ବହୁ ପ୍ରତୀକ୍ଷିତ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଆସନ ମଧ୍ୟ ସେହି ଦଳକୁ ଯିବ ବୋଲି ରାଜନୈତିକ ସମୀକ୍ଷକଙ୍କ ମତ।

ବିଗତ ଦୁଇଟି ଯାକ ନିର୍ବାଚନର ଫଳାଫଳ ଦେଖିଲେ ଅନ୍ତତଃ ଗୋଟିଏ କଥା ସ୍ପଷ୍ଟ; ମୟୂରଭଞ୍ଜ ରାଜନୀତିର ପାଣିପାଗ ଯେତେବେଳେ ବି ବଦଳିଛି ଫଳାଫଳ ସମ୍ପୂର୍ଣ୍ଣ ଓଲଟିଯାଇଛି। ୨୦୧୨ ନିର୍ବାଚନ ୫୬ ଜିଲ୍ଲା ପରିଷଦ ଆସନରୁ ୪୧ଟିରେ ବିଜୟୀ ହୋଇ ଅଧ୍ୟକ୍ଷ ପଦ ଅକ୍ତିଆର କରିଥିଲା ବିଜେଡି। ସେତେବେଳେ ବିଜେଡି ରାଜନୀତିରେ ମୟୂରଭଞ୍ଜ ରାଜା ପ୍ରବୀଣଚନ୍ଦ୍ର ଭଞ୍ଜଦେଓଙ୍କ ଆଧିପତ୍ୟ ଥିଲା ଓ ତାଙ୍କ ସମର୍ଥିତ ପ୍ରାର୍ଥୀ ରାସଗୋବିନ୍ଦପୁର ବ୍ଲକ୍‌ରୁ ଜିତିଥିବା କାଳିଚରଣ କିସ୍କୁ ଅଧ୍ୟକ୍ଷ ହୋଇଥିଲେ। ବିଜେପି ଓ କଂଗ୍ରେସ୍‌ ଗୋଟିଏ ଲେଖା ଆସନ ଜିତି ମାଟି କାମୁଡ଼ିଥିଲେ। ଏହି ଦୁଇ ଜାତୀୟ ଦଳଠାରୁ ସ୍ବାଧୀନ ପ୍ରାର୍ଥୀ (୩ ଜଣ) ଅଧିକ ସଫଳତା ପାଇଥିଲେ। ତେବେ ଜେଏମ୍‌ଏମ୍‌ ଅପେକ୍ଷାକୃତ ଭଲ ପ୍ରଦର୍ଶନ କରି ୧୦ଟି ଆସନରେ ବିଜୟୀ ହୋଇଥିଲା। ବର୍ତ୍ତମାନର ରାଜସ୍ବମନ୍ତ୍ରୀ ସୁଦାମ ମାରାଣ୍ଡି ସେ ସମୟରେ ଜେଏମ୍‌ଏମ୍‌ର ପ୍ରମୁଖ ଚେହେରା ଥିଲେ। ତେବେ ୨୦୧୫ରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଶ୍ରୀ କିସ୍କୁଙ୍କର ଅକାଳ ମୃତ୍ୟୁ ସହ ଜିଲ୍ଲାରେ ବିଜେଡିର ପତନ ଆରମ୍ଭ ହୋଇଥିଲା। ସେତେବେଳେ ଖୁଣ୍ଟା ବ୍ଲକ୍‌ରୁ ଜିଲ୍ଲା ପରିଷଦ ସଭ୍ୟ ଥିବା ପ୍ରକାଶ ସୋରେନ୍‌ ଅଧ୍ୟକ୍ଷ ପଦ ପାଇଁ ଆଶାୟୀ ଥିଲେ। କିନ୍ତୁ ଦଳ ଅନ୍ୟ ଜଣଙ୍କୁ ଉପନିର୍ବାଚନରେ ପ୍ରାର୍ଥୀ କରିବାରୁ ସେ ଦଳ ବିରୋଧରେ ଯାଇ ନିର୍ବାଚନ ଲଢ଼ିଥିଲେ ଓ ଆଶ୍ଚର୍ଯ୍ୟଜନକ ଭାବେ ଅଧ୍ୟକ୍ଷ ଭାବେ ନିର୍ବାଚିତ ମଧ୍ୟ ହୋଇଥିଲେ। ଅବଶ୍ୟ ଦଳ ବିରୁଦ୍ଧରେ ଯାଇଥିବାରୁ ଶ୍ରୀ ସୋରେନଙ୍କୁ ପରବର୍ତ୍ତୀ ସମୟରେ ବିଜେଡି କୋଣଠେସା କରିଥିଲା। ପରିବର୍ତ୍ତିତ ରାଜନୀତିରେ ଶ୍ରୀ ସୋରେନ୍ ବି ୨୦୧୯ ସାଧାରଣ ନିର୍ବାଚନ ଆଗରୁ ବିଜେଡି ଛାଡ଼ି ଦେଇଥିଲେ। ଆଉ ବିଜେପି ଟିକେଟ୍‌ରେ ବାରିପଦା ସଦର ଆସନରୁ ସିଧା ବିଧାନସଭା ଯାଇଥିଲେ।

The Economic Times

୨୦୧୭ ନିର୍ବାଚନରେ ପୂରା ବାଜି ପଲଟାଇ ଦେଇଥିଲା ବିଜେପି। ଏହି ବର୍ଷ ମୋଟ୍‌ ୫୬ରୁ ୪୯ ଆସନ ହାତେଇ ସବୁ ଆକଳନକୁ ଭୁଲ୍‌ ପ୍ରମାଣିତ କରିଥିଲା ପଦ୍ମ ଦଳ। ସୁଜାତା ମୁର୍ମୁ ଜିଲ୍ଲା ପରିଷଦ ଅଧ୍ୟକ୍ଷା ହୋଇଥିଲେ। ଏପଟେ ସଞ୍ଜୟ ଦାସବର୍ମାଙ୍କ ମାର୍ଗଦର୍ଶନରେ ଲଢ଼ିଥିବା ବିଜେଡି ମାତ୍ର ୫ଟି ଆସନ ପାଇ ବ୍ୟାକ୍‌ଫୁଟ୍‌କୁ ଚାଲିଯାଇଥିଲା। କଂଗ୍ରେସ ଖାତା ଖୋଲି ପାରିନଥିବା ବେଳେ ଏକଦା ମୟୂରଭଞ୍ଜକୁ ନିଜର ଗଡ଼ କରିଥିବା ଝାଡ଼ଖଣ୍ଡ ମୁକ୍ତିମୋର୍ଚ୍ଚା ମାତ୍ର ଗୋଟିଏ ଆସନରେ ସନ୍ତୁଷ୍ଟ ରହିଥିଲା। ୨୦୧୪ରେ ସୁଦାମ ମାରାଣ୍ଡି ଜେଏମ୍‌ଏମ୍‌ ଛାଡ଼ି ବିଜେଡି ଟିକେଟ୍‌ରେ ବିଧାୟକ ହୋଇ ପରେ ମନ୍ତ୍ରୀ ହୋଇଥିଲେ ଓ ଜେଏମ୍‌ଏମ୍‌ ତାଙ୍କ ଭଳି ନେତାଙ୍କ ବିକଳ୍ପ ସୃଷ୍ଟି କରି ନପାରି ପରାଜୟ ସ୍ବାଦ ଚାଖିଥିଲା। ସାରସକଣା ବ୍ଲକ୍‌ର ୫୬ ନଂ ଆସନରୁ ଜଣେ ସ୍ବାଧୀନ ପ୍ରାର୍ଥୀ ନିର୍ବାଚନ ଜିତିଥିଲେ।

ତେବେ ଗତ ୪ ବର୍ଷ ଭିତରେ ଜିଲ୍ଲାର ରାଜନୈତିକ ପାଣିପାଗରେ ଅନେକ ପରିବର୍ତ୍ତନ ହୋଇଛି। ୨୦୧୯ ସାଧାରଣ ନିର୍ବାଚନରେ ଜିଲ୍ଲାରେ ବିଜେଡିର ଶୋଚନୀୟ ପରାଜୟ ପରେ ଜିଲ୍ଲାର ମଙ୍ଗ ଧରିଥିବା ନେତା ମଧ୍ୟ ବଦଳିଛନ୍ତି। ସଞ୍ଜୟ ଦାସବର୍ମାଙ୍କ ସ୍ଥାନରେ ଆସିଛନ୍ତି ବବି ଦାସ। ତାଙ୍କ ନେତୃତ୍ବରେ ଦଳ ସାରସକଣା ୫୬ ନଂ ଆସନରୁ ଉପ ନିର୍ବାଚନ ଜିତିଥିବା ବେଳେ ବିଜାତଳା ବ୍ଲକ୍‌ ୩୨ ନଂ ଆସନକୁ ବିଜେପି ହାତରୁ ଛଡ଼ାଇ ଆଣିଛି। ତେବେ ବିଜେଡି ରାଜ୍ୟ ରାଜ‌ନୀତିର ଦକ୍ଷ ରଣନୀତିକାର କୁହାଯାଉଥିବା ବବିଙ୍କ ପାଇଁ ୨୦୨୨ ଜିଲ୍ଲା ପରିଷଦ ନିର୍ବାଚନ ହେବ ଅସଲ ପରୀକ୍ଷା। କାରଣ ତାଙ୍କ ପ୍ରତିପକ୍ଷ ଅଛନ୍ତି ବିଜେପିର ନୂଆ ପୋଷ୍ଟରବୟ କେନ୍ଦ୍ରମନ୍ତ୍ରୀ ଇଂ. ବିଶ୍ବେଶ୍ବର ଟୁଡ଼ୁ। ମନ୍ତ୍ରୀ ହେବା ପରଠାରୁ ସାରା ରାଜ୍ୟ ବୁଲି ବିଜେଡି ବିରୋଧରେ ବିଷୋଦ୍‌ଗାର କରୁଥିବା ଶ୍ରୀ ଟୁଡ଼ୁ ଏଥର ନିଜ ଗଡ଼ ରକ୍ଷା କରିପାରିବେ କି ନାହିଁ ତାରି ଉପରେ ରହିବ ସମସ୍ତଙ୍କର ନଜର। ତେବେ ୨୦୨୨ ରେସ୍‌ରେ କଂଗ୍ରେସ ଓ ଜେଏମ୍‌ଏମ୍‌ ବହୁ ପଛରେ ପଡ଼ିଯାଇଛନ୍ତି। ସମ୍ଭବତଃ ଆସନ୍ତା ୨ ମାସ ଭିତରେ କୌଣସି କରିସ୍ମା ହିଁ ଏହି ଦୁଇ ଦଳର ଭାଗ୍ୟ ଚମ୍‌କାଇ ପାରିବ।

ସମ୍ବନ୍ଧିତ ଖବର