ଜନଜାତିଙ୍କ ସମସ୍ୟାକୁ ନେଇ ରାଷ୍ଟ୍ରୀୟ ଆଦିବାସୀ ଏକତା ପରିଷଦର ସ୍ମାରକପତ୍ର ପ୍ରଦାନ

ବାରିପଦା : ଆଦିବାସୀମାନେ ସେମାନଙ୍କ ଦୈନନ୍ଦିନ ଜୀବନଯାପନ ସମୟରେ ସମ୍ମୁଖୀନ ହେଉଥିବା ବିଭିନ୍ନ ସମସ୍ୟାଗୁଡ଼ିକ ମଧ୍ୟରୁ ମୁଖ୍ୟତଃ ୭ଗୋଟି ସମସ୍ୟା ବା ଦାବିକୁ ନେଇ ମୟୂରଭଞ୍ଜ ରାଷ୍ଟ୍ରୀୟ ଆଦିବାସୀ ଏକତା ପରିଷଦ ପକ୍ଷରୁ ଏକ ସ୍ମାରକପତ୍ର ମୟୂରଭଞ୍ଜ ଜିଲ୍ଲାପାଳଙ୍କ ଜରିଆରେ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରାଯାଇଛି । ଏହି ଅବସରରେ ଏକ ଶୋଭାଯାତ୍ରା ବାରିପଦା ସହରର ପାଲବଣିରୁ ବାହାରି ସହର ପରିକ୍ରମା କରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚିଥିଲା । ଏହାପରେ ପରିଷଦର ମୟୂରଭଞ୍ଜ ଜିଲ୍ଲା ସଂଯୋଜକ ଶ୍ୟାମସୁନ୍ଦର ମୁର୍ମୁ ଓ ସହସଂଯୋଜକ ଭାଦୁରାମ ସୋରେନଙ୍କ ନେତୃତ୍ୱରେ ଏକ ପ୍ରତିନିଧି ମଣ୍ଡଳୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଯାଇ ଉକ୍ତ ସ୍ମାରକପତ୍ର ପ୍ରଦାନ କରିଥିଲେ । ଶେଷରେ ରୋଟାରୀ କ୍ଲବରେ ପରିଷଦର କର୍ମକର୍ତ୍ତାମାନଙ୍କୁ ନେଇ ଆୟୋଜିତ ବୈଠକରେ ମୁଖ୍ୟ ଅତିଥି ଭାବେ ମୟୂରଭଞ୍ଜର ପୂର୍ବତନ ଲୋକସଭା ସାଂସଦ ରାମଚନ୍ଦ୍ର ହାଁସଦାଃ ମୁଖ୍ୟଅତିଥି ଭାବେ ଯୋଗ ଦେଇ ଯୁବଉପଯୋଗୀ କାର୍ଯ୍ୟକ୍ରମ ଆଦିବାସୀମାନେ ହାତକୁ ନେବାର ଆବଶ୍ୟକତା ରହିଥିବା ପ୍ରକାଶ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଭାରତ ମୁକ୍ତି ମୋର୍ଚ୍ଚା ସାଧାରଣ ସମ୍ପାଦକ ଅଧ୍ୟାପକ ଗୋପବନ୍ଧୁ, ଭାରତୀୟ ବିଦ୍ୟାର୍ଥୀ ମୋର୍ଚ୍ଚାର ଉପସଭାପତି ପୂର୍ଣ୍ଣଚନ୍ଦ୍ର ସିଂ ଓ ମୋହନ ବାସ୍କେ, ଭାରତୀୟ ବିଦ୍ୟାର୍ଥିନୀ ପ୍ରକୋଷ୍ଠର ସଭାପତି ସୁଚିତ୍ରା ସୋରେନ, ସମାଜସେବୀ ସରସ୍ୱତୀ ସିଂ, ସୁନାରାମ ସିଂ, ରାଷ୍ଟ୍ରୀୟ ଆଦିବାସୀ ଏକତା ପରିଷଦର ସମ୍ପାଦକ ରାମହରି ମୁର୍ମୁ, ଶିରିଶ ଟୁଡ଼ୁ, ବିଶ୍ୱନାଥ ହେମ୍ବ୍ରମ, କରମଜିତ୍ ସିଂ ପ୍ରମୁଖ ଯୋଗ ଦେଇ ଆଦିବାସୀମାନଙ୍କ ସମସ୍ୟା , ସାମାଜିକ, ସାସ୍କୃତିକ ଓ ଅର୍ଥନୈତିକ ବିକାଶ ଉପରେ ଆଲୋକପାତ କରାଇଥିଲେ । ଉକ୍ତ କାର୍ଯ୍ୟକ୍ରମକୁ ଭାରତୀୟ ବିଦ୍ୟାର୍ଥୀ ମୋର୍ଚ୍ଚାର ସାଧାରଣ ସମ୍ପାଦକ ବାଜି ସିଂ ପରିଚାଳନା କରିଥିବା ବେଳେ ପାଉରା ମୁର୍ମୁ ଅଧନ୍ୟବାଦ ଅର୍ପଣ କରିଥିଲେ ।

 

ସମ୍ବନ୍ଧିତ ଖବର