କେନ୍ଦ୍ରୀୟ କାର୍ଯ୍ୟକାରିଣୀ ବୈଠକରେ ନିଷ୍ପତ୍ତି : ୩୦ ବିଧାନସଭା ଆସରେ ପ୍ରାର୍ଥୀ ଦେବ ଜେଏମ୍‌ଏମ୍‌

ମୟୂରଭଞ୍ଜ ଲୋକସଭା ଆସନରେ ବି ଲଢ଼ିବ

ବାରିପଦା : ଆଗାମୀ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ଝାଡ଼ଖଣ୍ତ ମୁକ୍ତି ମୋର୍ଚ୍ଚା(ଜେଏମ୍‌ଏମ୍‌) ତା’ର ରଣନୀତି ପ୍ରସ୍ତୁତ କରିଛି। ରାଜ୍ୟରେ ଅତି କମ୍‌ରେ ୩୦ ବିଧାନସଭା ଏବ˚ ଗୋଟିଏ ଲୋକସଭା ଆସନରେ ଦଳୀୟ ପ୍ରାର୍ଥୀ ଦେବାକୁ ଦଳ ନିଷ୍ପତ୍ତି ନେଇଛି। ଝାଡ଼ଖଣ୍ତର ରାଜଧାନୀ ରାଞ୍ଚିସ୍ଥିତ ବିଧାନସଭା ସମ୍ମିଳନୀ କକ୍ଷରେ ଦଳର କେନ୍ଦ୍ରୀୟ କାର୍ଯ୍ୟକାରିଣୀ ବୈଠକରେ ଏ ନେଇ ବ୍ୟାପକ ବିଚାର ବିମର୍ଶ ପରେ ଏହି ନିଷ୍ପତ୍ତି ନିଆଯାଇଥିବା ଜଣାପଡ଼ିଛି।

ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼, ବାଲେଶ୍ବର, ଯାଜପୁର ଏବ˚ ଫୁଲବାଣୀ ଭଳି ୭ଟି ଜିଲ୍ଲାରେ ଦଳ ପ୍ରାର୍ଥୀ ଦେବ ବୋଲି କେନ୍ଦ୍ରୀୟ କମିଟି ସଦସ୍ୟ ତଥା ପୂର୍ବତନ ବିଧାୟକ ଅଜେନ ମୁର୍ମୁ ଏକ ପ୍ରେସ୍‌ ବିଜ୍ଞପ୍ତିରେ ପ୍ରକାଶ କରିଛନ୍ତି। ମୟୂରଭଞ୍ଜ ଜିଲ୍ଲାରେ ଦଳୀୟ ପ୍ର‌ାର୍ଥୀ ଏକମାତ୍ର ଲୋକସଭା ଆସନ ସାଙ୍ଗକୁ କେବଳ ୭ ବିଧାନସଭା ଆସନରେ ପ୍ରତିଦ୍ବନ୍ଦ୍ବିତା କରିବା ନେଇ ସୂଚନା ମିଳିଛି। ନିକଟରେ ମୟୂରଭଞ୍ଜର ପୂର୍ବତନ ସା˚ସଦ ଲକ୍ଷ୍ମଣ ଟୁଡୁ ବିଜେଡି ଛାଡ଼ି ଜେଏମ୍‌ଏମ୍‌ରେ ଯୋଗଦେଇଛନ୍ତି। ଆଗକୁ ବିଭିନ୍ନ ଦଳରୁ ଆହୁରି ଅନେକ ନେତା ଜେଏମ୍‌ଏମ୍‌ରେ ଯୋଗଦେବା ନେଇ ଶ୍ରୀ ମୁର୍ମୁ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର