ମୟୂରଭଞ୍ଜ : ମୋରଡ଼ା ନିର୍ବାଚନ ମଣ୍ଡଳୀ : ସବୁ ଦଳରେ ମାଳମାଳ ଆଶାୟୀ

ବାରିପଦା, (ରାଜକିଶୋର ଦାଶ): ଆଦିବାସୀ ଅଧ୍ୟୁଷିତ ମୟୂରଭଞ୍ଜ ଜିଲ୍ଲାର ୭ଟି ବିଧାନସଭା କ୍ଷେତ୍ର ମଧ୍ୟରୁ ସାଧାରଣ ବର୍ଗଙ୍କ ପାଇଁ ଉଦ୍ଦିଷ୍ଟ ଏକମାତ୍ର ବିଧାନସଭା ଆସନ ହେଉଛି ମୋରଡ଼ା। ତେଣୁ ସକ୍ରିୟ ରାଜନୀତିରେ ଥିବା ସାରା ଜିଲ୍ଲାର ସାଧାରଣ ବର୍ଗର ନେତାମାନଙ୍କ ନଜର ସବୁବେଳେ ଏହି ନିର୍ବାଚନ ମଣ୍ଡଳୀ ଉପରେ କେନ୍ଦ୍ରୀଭୂତ ହୋଇଥାଏ। ଆଗାମୀ ନିର୍ବାଚନ ପାଇଁ ମଧ୍ୟ ସାଧାରଣ ବର୍ଗର ପ୍ରାର୍ଥୀଙ୍କ ମଧ୍ୟରେ ବି ଏହି ଆସନକୁ ନେଇ ଆଶାନୁରୂପ ଆଗ୍ରହ ଦେଖିବାକୁ ମିଳିଛି। ସବୁ ଦଳରୁ ଏବେ ମାଳ ମାଳ ନେତା ପ୍ରାର୍ଥୀ ହେବାକୁ ଆଶା ବାନ୍ଧି ଜୋରଦାର ଲବି ଚଳାଇଛନ୍ତି।

୨୦୦୯ ମସିହାରେ ମୋରଡ଼ା ବ୍ଲକ୍‌ର ୨୦ଟି ପଞ୍ଚାୟତ, ଶୁଳିଆପଦା ବ୍ଲକ୍‌ର ୧୬ଟି ପଞ୍ଚାୟତ ଓ ରାସଗୋବିନ୍ଦପୁର ବ୍ଲକ୍‌ରୁ ୧୬ଟି ଏପରି ମୋଟ୍‌ ୫୨ଟି ପଞ୍ଚାୟତକୁ ନେଇ ଗଠିତ ହୋଇଥିଲା ଏହି ବିଧାନସଭା କ୍ଷେତ୍ର। ଆରମ୍ଭରୁ ଏହାକୁ ନିଜ ଅକ୍ତିଆରରେ ରଖିଛି ବିଜେଡି। ମୟୂରଭଞ୍ଜ ମହାରାଜା ପ୍ରବୀଣ ଚନ୍ଦ୍ର ଭଞ୍ଜଦେଓ ଲଗାତାର ୨ ଥର ଏଠାରୁ ନିର୍ବାଚନ ଲଢ଼ି ବିଜୟୀ ହୋଇଛନ୍ତି। ତେବେ ଏଥର ଜିଲ୍ଲାର ଏହି ଏକମାତ୍ର ଅଣସଂରକ୍ଷିତ ଆସନକୁ ହାତେଇବାକୁ ଭରପୂର ପ୍ରୟାସ କରୁଛି ବିଜେଡି, ବିଜେପି ଏବଂ କଂଗ୍ରେସ-ଜେଏମ୍‌ଏମ୍‌ ମେଣ୍ଟ। ତେଣୁ ଏଥର ମୋରଡ଼ାରେ ତ୍ରିମୁଖୀ ଲଢ଼େଇ ହେବାର ସମ୍ଭାବନା ରହିଛି।

ବର୍ତ୍ତମ‌ାନ ବିଜେଡି ଜିଲ୍ଲା ସଭାପତି ଥିବା ପ୍ରବୀଣ ୨୦୧୪ ନିର୍ବାଚନରେ ୫୨୨୮୭ ଖଣ୍ଡ ଭୋଟ୍‌ ପାଇ ବିଜୟୀ ହୋଇଥିଲେ। ଗତ ନିର୍ବାଚନରେ ବିଜେପିରୁ ପ୍ରତିନିଧିତ୍ବ କରିଥିବା ରାଜକିଶୋର ଦାସ ୪୫୨୫୧ ଖଣ୍ଡ ଭୋଟ୍‌ ସହ ଦ୍ବିତୀୟ ସ୍ଥାନରେ ଥିବାବେଳେ କଂଗ୍ରେସରୁ ପ୍ରଭାସ୍କର ମହାପାତ୍ର ୨୪୭୯୦ ଭୋଟ୍‌ ସହ ତୃତୀୟ ଏବଂ ଜେଏମ୍‌ଏମ୍‌ର ମନୋରଞ୍ଜନ ଧଳ ୧୭୩୩୬ ଭୋଟ୍‌ ସହ ଚତୁର୍ଥ ସ୍ଥାନରେ ରହିଥିଲେ।

ତେବେ ଗତ ୫ ବର୍ଷ ମଧ୍ୟରେ ମୋରଡ଼ାର ରାଜନୈତିକ ଚିତ୍ର ବହୁ ପରିମାଣରେ ବଦଳି ଯାଇଛି। ପ୍ରବୀଣଙ୍କ ବିରୋଧରେ ଏଠା‌ରେ ଜନ ଅସନ୍ତୋଷ ବଢ଼ିଥିବା କୁହାଯାଉଛି। କ୍ରମଶଃ ହ୍ରାସ ପାଉଥିବା ଲୋକପ୍ରିୟତା ଓ ଦଳୀୟ କର୍ମୀଙ୍କୁ ସମୟ ନଦେବା ଯୋଗୁ ଏଥର ପ୍ରବୀଣଙ୍କ ପାଇଁ ଅଡ଼ୁଆ ହୋଇପାରେ ବୋଲି ଆଲୋଚନା ହେଉଛି। ଗତ ପଞ୍ଚାୟତ ନିର୍ବାଚନରେ ଏଠାରେ ବିଜେଡିର ଶୋଚନୀୟ ପରାଜୟ ମଧ୍ୟ ପ୍ରବୀଣଙ୍କ ନେତୃତ୍ବ ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏମିତି ସ୍ଥିତିରେ ପ୍ରବୀଣଙ୍କ ପତ୍ନୀ ତଥା ମହାରାଣୀ ରଶ୍ମୀ ରାଜଲକ୍ଷ୍ମୀ ଭଞ୍ଜଦେଓଙ୍କୁ ଏହି ଆସନରୁ ଛିଡ଼ା କରିବାକୁ ଦଳ ଚିନ୍ତା କରୁଥିବା ଚର୍ଚ୍ଚା ହେଉଛି। ବିଜେଡିରୁ ଆହୁରି ଅନେକ ପ୍ରାର୍ଥୀ ଏହି ଆସନ ପାଇଁ ଆଶାୟୀ ଅଛନ୍ତି। ଏହି ଦୌଡ଼ରେ ଆଗରେ ଅଛନ୍ତି ବିଜେଡିର ଜିଲ୍ଲା କାର୍ଯ୍ୟକାରୀ ସଭାପତି ତଥା ଯୁବନେତା ଦେବାଶିଷ ମହାନ୍ତି ଓରଫ ବାବୁ। ତାଙ୍କ ବ୍ୟତୀତ କୃଷ୍ଣ ଦାସ, ସମ୍ପା ମଜୁମଦାର ଏବଂ ଆଦିତ୍ୟ ପଣ୍ଡା ପ୍ରମୁଖ ମଧ୍ୟ ବିଜେଡିରୁ ଆଶାୟୀ ଥିବା ଜଣାପଡ଼ିଛି।

ଅନ୍ୟପକ୍ଷରେ ବିଜେପିରୁ ୩ଜଣ ଆଶାୟୀଙ୍କ ନାଁ ଅଧିକ ଚର୍ଚ୍ଚାରେ ରହିଛି। ସବୁଠୁ ଆଗରେ ଅଛନ୍ତି ବରିଷ୍ଠ ନେତା ତଥା ରାଜ୍ୟ ଉପସଭାପତି ରାଜକିଶୋର ଦାସ। ଗତ ଦୁଇଟି ନିର୍ବାଚନରେ ଦଳୀୟ ପ୍ରାର୍ଥୀ ହୋଇ ସେ ଏଠାରେ ପରାସ୍ତ ହୋଇଥିଲେ ବି ଗତ ପଞ୍ଚାୟତ ନିର୍ବାଚଚନରେ ବିଜେପିର ସଫଳତା ତାଙ୍କୁ ପୁଣି ଥରେ ସୁଯୋଗ ଆଣି ଦେଇପାରେ। ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ସଂଘ କାର୍ଯ୍ୟକର୍ତ୍ତା ଛୋଟେଲାଲ ମହାନ୍ତ ଏବଂ ବିଜେପି ଜିଲ୍ଲା ସଭାପତି କୃଷ୍ଣଚନ୍ଦ୍ର ମହାପାତ୍ର ମଧ୍ୟ ଦୌଡ଼ରେ ଅଛନ୍ତି।

ଏଥର କଂଗ୍ରେସ ଓ ଜେଏମ୍‌ଏମ୍‌ ମେଣ୍ଟ ହେବା ନେଇ କଳ୍ପନାଜଳ୍ପନା ଲାଗି ରହିଥିବାରୁ ଏହି ଆସନ ପାଇଁ ଉଭୟ ଦଳରୁ ପ୍ରାର୍ଥୀଙ୍କ ଚିତ୍ର ସ୍ପଷ୍ଟ ହୋଇନାହିଁ। ତେବେ ଏଆଇସିସିର ନିର୍ଦ୍ଦେଶ କ୍ରମେ ପିସିସି ପକ୍ଷରୁ ଯେଉଁ ସମ୍ଭାବ୍ୟ ପ୍ରାର୍ଥୀ ତାଲିକା ଦିଆଯାଇଛି ସେଥିରେ ଅଛନ୍ତି କଂଗ୍ରେସର ଜିଲ୍ଲା ସଭାପତି ହେମନ୍ତ ଦାସ, ଅଜିତ ଜେନା, ପୂର୍ବତନ ଜିଲ୍ଲା କଂଗ୍ରେସ ସଭାପତି ପ୍ରଦୀପ ରଥ ଏବଂ ଗତଥର କଂଗ୍ରେସରୁ ପ୍ରାର୍ଥୀ ହୋଇଥିବା ବରିଷ୍ଠ ନେତା ପ୍ରଭାସ୍କର ମହାପାତ୍ର। ତେବେ ମେଣ୍ଟ ହେଲେ ଏହି ଆସନ ଜେଏମ୍‌ଏମ୍‌ ଭାଗରେ ପଡ଼ିବ ବୋଲି କୁହାଯାଉଛି। ଏମିତି ହେଲେ ଜେଏମ୍‌ଏମ୍‌ର ରାଜ୍ୟ ସାଧା‌ରଣ ସମ୍ପାଦକ କଳିଙ୍ଗ କେଶରୀ ଜେନା ଟିକେଟ୍‌ ହାତେଇ ପାାରନ୍ତି। ତେବେ କଂଗ୍ରେସ ଏହି ଆସନରୁ ପ୍ରାର୍ଥୀ ନଦେଲେ ପ୍ରଭାସ୍କର ମହାପାତ୍ରଙ୍କୁ କେମିତି ଥଇଥାନ କରିବ ସେ ନେଇ ଦଳ ଅଡ଼ୁଆରେ ପଡ଼ିଛି। ପ୍ରଭାସ୍କରଙ୍କର ମୋରଡ଼ାରେ ବେଶ ଦବ୍‌ଦବା ଥିବାରୁ କଂଗ୍ରେସ ତାଙ୍କୁ ଟିକେଟ୍‌ ନଦେଲେ ସେ ସ୍ବାଧୀନ ଭାବେ ଏଠାରେ ଛିଡ଼ାହୋଇ ଦଳ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିପାରନ୍ତି।

ସୁତରାଂ ମୋରଡ଼ା ଆସନରେ ଏଥର ବିଜେଡି ନୂଆ ପ୍ରାର୍ଥୀ ଉପରେ ଭରସା କରିବା ପ୍ରାୟ ଚୂଡ଼ାନ୍ତ ହୋଇସାରିଛି। ତେବେ ମାଳ ମାଳ ଆଶାୟୀଙ୍କ ମଧ୍ୟରୁ ଦଳ କାହାକୁ ଭରସା କରିବ ସେ ନେଇ ଚାଲିଛି ତର୍ଜମା। ଜେଏମ୍‌ଏମ୍‌ ଏବଂ କଂଗ୍ରେସ ମେଣ୍ଟ ଘୋଷଣା ହୋଇ ନଥିଲେ ମଧ୍ୟ ଏହି ମେଣ୍ଟରୁ କେଉଁ ପ୍ରାର୍ଥୀ ଉଭୟ ଦଳର ସମର୍ଥନ ହାସଲ କରିପାରିବେ ଓ ଅନ୍ୟ ଆଶାୟୀଙ୍କୁ ଉଭୟ ଦଳ କେମିତି ସନ୍ତୁଷ୍ଟ କରିବ ସେ ନେଇ ଶେଷ ପର୍ଯ୍ୟାୟ ଆଲୋଚନା ଚାଲିଛି। ତେବେ ଯେଉଁ ଦଳ ଏଠାକାର ଲୋକଙ୍କ ମୁଖ୍ୟ ଦାବି ଥିବା ଅମର୍ଦ୍ଦା ଏୟାରଷ୍ଟ୍ରିପ୍‌ ପୁନଃଉଦ୍ଧାର, କାଗଜ କଳ ପ୍ରତିଷ୍ଠା ଓ ସବାଇ ଘାସ ଚାଷୀଙ୍କୁ ପ୍ରୋତ୍ସାହନ କଥାକୁ ଗୁରୁତ୍ବ ଦେଇ ଆଗକୁ ବଢ଼ିବ ସେ ହିଁ ଜନାଦେଶ ପାଇବ ବୋଲି ରାଜନୈତିକ ବେଶେଷଜ୍ଞମାନେ ମତ ଦିଅନ୍ତି।

୨୦୧୪ ନିର୍ବାଚନ ଫଳାଫଳ

ବିଜେଡି    ପ୍ରବୀଣ ଚନ୍ଦ୍ର ଭଞ୍ଜଦେଓ    ୫୨,୨୦୭
ବିଜେପି    ରାଜକି‌େଶାର ଦାସ        ୪୫,୨୫୧
କଂଗ୍ରେସ   ପ୍ରଭାସ୍କର ମହାପାତ୍ର       ୨୪,୭୯୦

ସମ୍ବନ୍ଧିତ ଖବର