ସାଂସଦଙ୍କ ହାତପାଣ୍ଠି ବିକିଦେଲେ ସମିତି ସଭ୍ୟ, ଜାଲ ସ୍ୱାକ୍ଷରରେ ବଣ୍ଟାହେଲା ଏମ୍ପି ଲ୍ୟାଡ୍ କାମ

ବାରିପଦା : ଲୋକସଭା ସାଂସଦଙ୍କ ହାତପାଣ୍ଠିକୁ ଜାଲ୍ ଦସ୍ତଖତ କରି ବିକିଦେଲେ ସମିତି ସଭ୍ୟ। ମୟୂରଭଞ୍ଜ ସାଂସଦ ବିଶ୍ବେଶ୍ବର ଟୁଡୁଙ୍କ ପ୍ୟାଡରେ ତାଙ୍କ ଜାଲ୍ ଦସ୍ତଖତ କରି ଚଞ୍ଚକତାପୂର୍ଣ୍ଣ ଭାବେ ବାରିପଦା ପିଏ ଆଇଟିଡିଏ କାର୍ଯ୍ୟାଳୟରୁ ୨ଟି ପ୍ରକଳ୍ପ ନିର୍ମାଣ ନିମନ୍ତେ କାର୍ଯ୍ୟାଦେଶ ନେଇଯାଇଛନ୍ତି।

ସାଂସଦଙ୍କ ଜାଲ୍ ସ୍ବାକ୍ଷରରେ ଆସିଥିବା କାମ ସମ୍ପର୍କରେ କିନ୍ତୁ ବାରିପଦା ପିଏ ଆଇଟିଡିଏ କାର୍ଯ୍ୟାଳୟ କିଛି ଜାଣିପାରିନଥିଲେ। ଓଲଟି ଏହି ଘଟଣାର ମାଷ୍ଟରମାଇଣ୍ଡ୍ ତଥା ମୋରଡ଼ା ପଞ୍ଚାୟତ ସମିତି ସଭ୍ୟ ହେମନ୍ତ ସୋରେନ ଚାଲରେ ଫସିଯାଇଛନ୍ତି। ମୁଖ୍ୟ ଅଭିଯୁକ୍ତ ହେମନ୍ତ ସୋରେନ୍ ସାଂସଦ ଶ୍ରୀ ଟୁଡୁଙ୍କ ସମ୍ପର୍କୀୟ ଶଳା ହେବେବୋଲି ମଧ୍ୟ ଜଣାପଡ଼ିଛି । ତେବେ ଘଟଣା ସମ୍ପର୍କରେ ଜାଣିବା ପରେ ସାଂସଦ ଶ୍ରୀ ଟୁଡୁ ଗତକାଲି ବାରିପଦା ଟାଉନ୍ ଥାନାରେ ଅଭିଯୋଗ କରିଥିଲେ । ସାଂସଦଙ୍କ ଅଭିଯୋଗ ଆଧାରରେ ପୁଲିସ୍ ମାଷ୍ଟର୍ ମାଇଣ୍ଡ୍ ସମିତି ସଭ୍ୟ ହେମନ୍ତ ସୋରେନ୍ ଏବଂ ଅନ୍ୟଜଣେ ଅଭିଯୁକ୍ତ ଶୈଳେଶ ଓରଫ୍ ଶୈଳେନ୍ଦ୍ର ଗିରିକୁ ଆଜି ଗିରଫ କରିଛି। ତେବେ ଏହି ଘଟଣାରେ ପୁଣିଥରେ ବିବାଦ ମଧ୍ୟକୁ ଟାଣିହୋଇ ଆସିଛି ବାରିପଦା ପିଏ ଆଇଟିଡ଼ିଏ କାର୍ଯ୍ୟାଳୟ। ପୂର୍ବରୁ ମଧ୍ୟ ଜଣେ ଠିକାଦାରଙ୍କ ଜାଲ ସ୍ୱାକ୍ଷରରେ ଟଙ୍କା ଉଠାଣକୁ ନେଇ ବାରିପଦା ଟାଉନ ଥାନାରେ ମାମଲା ରୁଜୁ ହୋଇଥିବା ବେଳେ ବର୍ତ୍ତମାନ ସାଂସଦଙ୍କ ଜାଲ ସ୍ୱାକ୍ଷରରେ  ବାରିପଦା ପିଏ ଆଟିଡ଼ିଏ କାର୍ଯ୍ୟାଳୟ ପକ୍ଷରୁ ରାସ୍ତା ନିର୍ମାଣ ହୋଇଥିବାକୁ ନେଇ ବାରିପଦା ଟାଉନ ଥାନାରେ ମୟୂରଭଞ୍ଜ ଲୋକ ସାଂସଦ ଇଂ ବିଶ୍ୱେଶର ଟୁଡ଼ୁ ଲିଖିତ ଅଭିଯୋଗ କରିଛନ୍ତି । ସାଂସଦଙ୍କ ଅଭିଯୋଗ ଅନୁସାରେ ତାଙ୍କ ଜାଲି ଦସ୍ତଖତରେ ତଞ୍ଚକତାପୂର୍ଣ୍ଣ ଭାବେ ବାରିପଦା ପିଏ ଆଇଟିଡିଏ’ଙ୍କ କାର୍ଯ୍ୟାଳୟ ପକ୍ଷରୁ ୨ ବାରିପଦା ପୌରପରିଷଦ ୱାର୍ଡ ନଂ-୨୨ ଅନ୍ତର୍ଗତ ରଘୁନାଥପୁର ମୁଖ୍ୟ ରାସ୍ତାରୁ ସ୍ୱରାଜ କୁମାରଙ୍କ ଘର ପର୍ଯ୍ୟନ୍ତ ସିସି ରୋଡ ନିର୍ମାଣ(ଏଜେନ୍ସୀ-ଶୈଳେଶ କୁମାର ଗିରି, ୱାର୍ଡ ନଂ-୧୨, ବାରିପଦା) ଓରଫ୍ ଶୈଳେନ୍ଦ୍ର ରହିଥିବା ବେଳେ ଅନ୍ୟଟି ମୋରଡ଼ା ବ୍ଲକ୍ ଛଉ ପେଣ୍ଡାଲ ନିର୍ମାଣ କାର୍ଯ୍ୟ ରହିଛି । ବାରିପଦା ୧୮ ନମ୍ବର ଜାତୀୟ ରାଜପଥ ପାର୍ଶ୍ବ ତକତପୁରସ୍ଥିତ ସାଂସଦ ଶ୍ରୀ ଟୁଡ଼ୁଙ୍କ କାର୍ଯ୍ୟାଳୟରେ ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ କାର୍ଯ୍ୟ କରୁଥିଲେ। ସାଂସଦଙ୍କ ସମ୍ପର୍କୀୟ ଶଳା ହେବାର ଫାଇଦା ନେଇ ହେମନ୍ତ ଅତ୍ୟନ୍ତ ଚତୁରତାର ସହିତ ତାଙ୍କର ଜାଲ ସ୍ୱାକ୍ଷରରେ କାଗଜପତ୍ର ପ୍ରସ୍ତୁତ କରାଇ ଏହି ପ୍ରକଳ୍ପ ନିର୍ମାଣ ନିମନ୍ତେ ପ୍ରପୋଜାଲ୍ ଦେଇଥିଲେ। ବାରିପଦା ପିଏ ଆଇଟିଡିଏ’ଙ୍କ କାର୍ଯ୍ୟାଳୟ ପକ୍ଷରୁ ମଧ୍ୟ କାଗଜପତ୍ରକୁ ସଠିକ୍ ଢଙ୍ଗରେ ଯାଞ୍ଚ କରାନଯାଇ ପ୍ରକଳ୍ପ ନିର୍ମାଣ ନିମନ୍ତେ କାର୍ଯ୍ୟାଦେଶ ପ୍ରଦାନ କରାଯାଇଥିଲା। ତେଣୁ ମାମଲାର ଚୁଡ଼ାନ୍ତ ଫଏସଲା ନ ହେବା ପର୍ଯ୍ୟନ୍ତ ଉକ୍ତ କାର୍ଯ୍ୟର ବିଲକୁ ପାସ ନକରିବାକୁ ସାଂସଦ ଅଭିଯୋଗରେ ଉଲ୍ଲେଖ କରିଛନ୍ତି । କେବଳ ଏତିକି ନୁହେଁ ଘଟଣାର ମୁଖ୍ୟ କାର୍ପଟଦାର ତଥା ଜଣେ ଜନପ୍ରତିନିଧି ହେମନ୍ତ ଅନ୍ୟାନ୍ୟ ବହୁ ଅନିୟମିତାରେ ଜଡ଼ିତ ଥିବା ଅଭିଯୋଗ ହୋଇଛି। ସେ ତାଙ୍କର କେତେକ ସହଯୋଗୀଙ୍କ ଜରିଆରେ ଏମ୍ପି ଲ୍ୟାଡ୍ ବଣ୍ଟନ, ଡ୍ରାଇଭରଙ୍କ ଦରମା, କାର୍ଯ୍ୟାଳୟ ଖର୍ଚ୍ଚ ଆଦି ବିଭିନ୍ନ ଉପାୟରେ ଲୋକମାନଙ୍କ ଠାରୁ ଅସଦ୍ ଉପାୟରେ ଅର୍ଥ ଉପାର୍ଜନ କରୁଥିବା ବିଷୟକୁ ନେଇ ମଧ୍ୟ ସାଂସଦ ଅଭିଯୋଗ କରିଛନ୍ତି। ସାଂସଦଙ୍କ ଅଭିଯୋଗ ପରେ ଥାନାରେ ଭାରତୀୟ ଦଣ୍ଡବିଧି ଆଇନ ଧାରା ୪୨୦, ୪୬୭, ୪୬୮, ୪୭୧ ଓ ୩୪ ଅନୁସାରେ କେସ୍ ନମ୍ବର ୫୭୭/ ୩୧.୦୮.୨୦୨୦ରେ ଏକ ମାମଲା ରୁଜୁ କରାଯାଇ ମୁଖ୍ୟ  ଅଭିଯୁକ୍ତ ସମ୍ପର୍କୀୟ ଶଳା ତଥା ସମିତି ସଦସ୍ୟ ହେମନ୍ତ ଏବଂ ଅନ୍ୟତମ ଅଭିଯୁକ୍ତ ଶୈଳେନ୍ଦ୍ରକୁ ଗିରଫ କରାଯାଇଥିବା ବାରିପଦା ଟାଉନ୍ ଥାନା ଆଇଆଇସି ବୀରେନ୍ଦ୍ର ସେନାପତି ସୂଚନା ଦେଇଛନ୍ତି। ତେବେ ଜଣେ ସାଂସଦଙ୍କ ଦସ୍ତଖତକୁ ଜାଲି କରି ଆଉଜଣେ ଜନପ୍ରତିନିଧି ଏପରି କାଣ୍ଡ କରିବା ଜିଲ୍ଲାରେ ଚର୍ଚ୍ଚାର ବିଷୟ ପାଲଟିଛି। ସେହିପରି ବାରିପଦା ଆଇଟିଡିଏ କାର୍ଯ୍ୟାଳୟ ପକ୍ଷରୁ ମଧ୍ୟ ଏସମ୍ପର୍କରେ କିଛି ଜାଣିନପାରିବା ଘଟଣାକୁ ଆହୁରି ବିବାଦୀୟ କରୁଛି।

ସମ୍ବନ୍ଧିତ ଖବର