କରଞ୍ଜିଆ: କରଞ୍ଜିଆ ଗୋଲେଇ ଅଞ୍ଚଳରେ ଗତକାଲି ରାତିରେ ଜଗବନ୍ଧୁ ମହାନ୍ତ (୬୫) ନାମକ ଜଣେ ବରିଷ୍ଠ ନାଗରିକଙ୍କୁ  ହତ୍ୟା କରାଯାଇଥିବାର ଅଭିଯୋଗ ହୋଇଛି।

Advertisment

ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆରେ ଘଟିଛି ଅଭାବନୀୟ ଘଟଣା। ଜଣେ ବୃଦ୍ଧଙ୍କୁ ହତ୍ୟା ସହ ଘରୁ ଲୁଟ୍‌ କରିଛନ୍ତି ଦୁର୍ବୃତ୍ତ। ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳିଯାଇଛି। ଲୁଟ୍‌ ପାଇଁ ଲୁଟେରାମାନେ ଯେ ଜଣେ ବ୍ୟକ୍ତିଙ୍କ ଜୀବନ ନେଇଗଲେ, ଏ କଥାକୁ କେହି ସହଜରେ ଗ୍ରହଣ କରିପାରୁ ନାହାନ୍ତି।
କରଞ୍ଜିଆ ଗୋଲେଇ ଅଞ୍ଚଳରେ ରମାକାନ୍ତ ମହାନ୍ତଙ୍କ ଘର ଅଛି। ସେ ସ୍ଥାନୀୟ ଅଞ୍ଚଳର ଜଗବନ୍ଧୁ ମହାନ୍ତଙ୍କ ଝିଅଙ୍କୁ ବିବାହ କରିଛନ୍ତି। ତେବେ ଜ୍ବାଇଁ ବିଶାଖାାପଟଣାରେ ଚାକିରି କରୁଥିବାରୁ ସପରିବାର ‌ସେଠାରେ ରହନ୍ତି। ଏପରି ସମୟରେ ଜଗବନ୍ଧୁ ପ୍ରତିଦିନ ରାତିରେ ଜ୍ବାଇଁଙ୍କ ଘର ଜଗିବା ପାଇଁ ଯାଆନ୍ତି। ଗତକାଲି ମଧ୍ୟ ସେ ଖାଇପିଇ ଘର ଜଗିବା ପାଇଁ ଯାଇଥିଲେ ଏବଂ ବିଛଣା ବିଛାଇ ଶୋଇଥିଲେ। ତେବେ ଆଜି ସକାଳେ ଘରୁ ଲୁଟ୍‌ ହେବା ସହ ତାଙ୍କୁ ଦୁର୍ବୃତ୍ତମାନେ ହତ୍ୟା କରିଥିବା ଦେଖିବାକୁ ମିଳିଥିଲା।
ହତ୍ୟାକାଣ୍ଡ ସଂପର୍କରେ ଖବର ପାଇ କରଞ୍ଜିଆ ପୁଲିସ ପହଞ୍ଚି ଶବ ଜବତ କରିଛି। ସେହିପରି ସାଇଣ୍ଟିଫିକ୍‌ ଟିମ୍‌ ତଦନ୍ତ କରୁଥିବା ଜଣାପଡ଼ିଛି। କେଉଁ ପରିସ୍ଥିତିରେ ଜଗବନ୍ଧୁଙ୍କୁ ହତ୍ୟା କରାଗଲା, ସେନେଇ ଜାଣିବା ପାଇଁ ବିଭିନ୍ନ ଦିଗକୁ ପୁଲିସ ଗୁରୁତ୍ବ ଦେଇଛି।
ଜଗବନ୍ଧୁ ବିଦ୍ୟୁତ୍ ବିଭାଗରେ ଚାକିରି କରୁଥିଲେ। ସେ କିଛି ବର୍ଷ ହେଲା ଅବସର ନେଇଥିଲେ। ଭାବିଥିଲେ ବାକିତକ ଜୀବନ ପରିବାର ସହ ହସଖୁସିରେ କାଟିବେ। ହେଲେ ତାଙ୍କର ସବୁ ସ୍ବପ୍ନ ସ୍ବପ୍ନରେ ରହିଗଲା। ହତ୍ୟାର ଶିକାର ହୋଇ ସେ ସବୁଦିନ ପାଇଁ ଆଖି ବୁଜିଦେଲେ।