ଜମି ବିବାଦକୁ ନେଇ ପ୍ରଧାନଶିକ୍ଷକଙ୍କୁ ବୀଭତ୍ସ ହତ୍ୟା

ଗୋରୁମହିଷାଣୀ:  ମୟୁରଭଞ୍ଜ ଜିଲ୍ଲା ଗୋରୁମହିଷାଣୀ ଥାନା ଅଞ୍ଚଳରେ ଜଣେ ପ୍ରଧାନଶିକ୍ଷକଙ୍କୁ ବୀଭତ୍ସ ଭାବେ ହତ୍ୟା କରାଯାଇଛି । ଗତକାଲି ରାତ୍ରିରେ ତାଙ୍କ ବିଲ ନିକଟରୁ ରକ୍ତ ଜୁଡୁବୁଡୁ ମୃତଦେହ ଉଦ୍ଧାର କରାଯାଇଥିଲା। ଏପରି ଏକ ଅଘଟଣ ମୟୁରଭଞ୍ଜ ଜିଲ୍ଲା ଗୋରୁମହିଷାଣୀ ଥାନା ଚଢ଼େଇପାହାଡ଼ି ଗ୍ରାମ ପଂଚାୟତର ଜାମପାଣୀ ଗ୍ରାମର ଝାପ୍ଲାଆମ୍ବ ସାହିରେ ଘଟିଛି ।

ଘଟଣାରୁ ପ୍ରକାଶ ଯେ ପଡ଼ୋଶୀ ଝାଡ଼ଖଣ୍ଡ ରାଜ୍ୟ ଡୁମୁରିଆ ଥାନା ଅନ୍ତର୍ଗତ ଲୁପୁଙ୍ଗଡ଼ିହି ଗ୍ରାମର ସୁକଦେବ ମାରାଣ୍ଡି(୪୫) ସେହି ଗ୍ରାମର ପ୍ରାଥମିକ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ଭାବେ ଅଛନ୍ତି । ତେବେ ଗତକାଲି ସନ୍ଧ୍ୟା ସମୟରେ ତାଙ୍କ ପଡ଼ୋଶୀଙ୍କ ସହିତ ଜମି ବିବାଦ ଓ ବାଡ଼ ଘେରିବାକୁ ନେଇ ପାଟିତୁଣ୍ଡ ହୋଇଥିଲା । ଏଥିରେ ପଡ଼ୋଶୀ ମଦନ ମୁର୍ମୁ (୫୦) ଓ ତାଙ୍କ ପୁଅ ଲାଲମୋହନ ମୁର୍ମୁ (୨୩) ଉତକ୍ଷିପ୍ତ ହୋଇ ସୁକଦେବଙ୍କୁ କୁରାଢ଼ୀ ଏବଂ କଟୁରି ସାହାଯ୍ୟରେ ଆକ୍ରମଣ କରିଥିଲେ । କୁରାଢ଼ୀ ଏବଂ କଟୁରି ଚୋଟରେ ସୁକଦେବ ଘଟଣାସ୍ଥଳରେ ହିଁ ଟଳି ପଡ଼ି ମୃତ୍ୟୁ ଘଟିଥିଲା ବୋଲି ଅଭିଯୋଗ ହୋଇଛି । ଏ ସମ୍ବନ୍ଧରେ ଗତକାଲି ରାତ୍ରିରେ ଗୋରୁମହିଷାଣୀ ଥାନାଧିକାରୀ ଫନିନ୍ଦ୍ର ଭୂଷଣ ନାଏକ ଓ ପ୍ରଶାନ୍ତ କୁମାର ସ୍ବାଇଁ ଘଟଣାସ୍ଥଳରେ ପହଞ୍ଚି ଶବକୁ ଜବତ କରିଥିଲେ ଏବଂ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଥିଲେ ।

ଆଜି ସକାଳୁ ବାରିପଦା ସାଇଣ୍ଟିଫିକ୍ ଟିମର ଅଫିସର ଯଶବନ୍ତ ଦେହୁରୀ ଏବଂ ତାଙ୍କ ଟିମ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ । ପୋଲିସ ଶବ ବ୍ୟବଚ୍ଛେଦ ପାଇଁ ରାଇରଙ୍ଗପୁରକୁ ପଠାଇଛି । ଏ ନେଇ ଗୋରୁମହିଷାଣୀ ଥାନାରେ କେସ ନମ୍ବର ୬/୨୦ରେ ଏକ ହତ୍ୟା ମାମଲା ରୁଜୁ ହୋଇଛି । ତେବେ ଏପରି ସମ୍ବେଦନଶୀଳ ଘଟଣାକୁ ପୋଲିସ ଅତ୍ୟନ୍ତ ଗୁରୁତ୍ୱ ସହକାରେ ଗ୍ରହଣ କରିଥିବା ଜଣାପଡିଛି ।

ସମ୍ବନ୍ଧିତ ଖବର