ହତ୍ୟା ନା ଆତ୍ମହତ୍ୟା!!:କୋଠରିରୁ ମିଳିଲା ଦୁଇ ଭଉଣୀଙ୍କ ମୃତଦେହ

ଗତ ମଙ୍ଗଳବାରଠାରୁ ଘରୁ ନିଖୋଜ ଥିଲେ

କଳାବାଡ଼ିଆ: ବାଙ୍ଗିରିପୋଷି ଥାନା ନିଶ୍ଚିନ୍ତା ପଞ୍ଚାୟତ ବଡ଼ପଥରଖମ(କଟୁଶୋଳ) ଗ୍ରାମର ଜୟନ୍ତ ନାଏକଙ୍କ ଏକମାତ୍ର ନାବାଳିକ ଝିଅ ରଶ୍ମିତା(୧୬) ଗତ ମଙ୍ଗଳବାରଠାରୁ ସମ୍ପର୍କୀୟ ଭଉଣୀ ଗୁଡ଼ିଆ ପାତ୍ର(୨୫)ସହିତ କେଉଁଆଡ଼େ ନିଖୋଜ ହୋଇଯାଇଥିଲେ। ଏ ନେଇ ଜୟନ୍ତ ବାଙ୍ଗିରିପୋଷି ଥାନାରେ ଏତଲା ଦେଇଥିଲେ। ତେବେ ଝାଡ଼ଖଣ୍ତ ରାଜ୍ୟର ଟାଟା ନିକଟସ୍ଥ ଲାଲଡୁଙ୍ଗୁରୀ ୮ ନ˚ ରୋଡ୍‌ କୋଲନି ସାହିରେ ଏକ ଘରୁ ଝୁଲନ୍ତା ଅବସ୍ଥାରେ ଆଜି ଉଭୟଙ୍କ ମୃତଦେହ ଉଦ୍ଧାର କରାଯିବା ପରେ ଘଟଣା ଭିନ୍ନ ମୋଡ଼ ନେଇଛି। ଟାଟା ପୁଲିସ ମୃତକଙ୍କ ପରିବାର ଲୋକଙ୍କୁ ଖବର ଦେବାପରେ ବାପା ଜୟନ୍ତ ଓ ଗ୍ରାମବାସୀ ଘଟଣା ସ୍ଥଳରେ ପହଞ୍ଚି ଶବ ବ୍ୟବଚ୍ଛେଦ ପରେ ଗାଁକୁ ମୃତଦେହ ଧରି ପେରିଛନ୍ତି। ତେବେ ଗୁଡିଆଙ୍କ ଶବ ସତ୍କାର ଝାଡ଼ଖଣ୍ଡର ଟାଟାରେ ହୋଇଥିବା ଜଣାପଡ଼ିଛି। କେଉଁ ପରିସ୍ଥିତିରେ ଉଭୟ ଆତ୍ମହତ୍ୟା କଲେ ନାଁ ସେମାନଙ୍କୁ ହତ୍ୟା କରାଯାଇଛି ସେ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
ଖବର ଅନୁଯାୟୀ, କୁଳିଅଣା ଥାନା ଝିନେଇ ଗ୍ରାମର ଗୁଡିଆ ପାତ୍ର(୨୫) ବାଙ୍ଗିରିପୋଷି ସ୍ଥିତ ଲକ୍ଷୀକାନ୍ତ କଲେଜରେ +୨ ପ୍ରଥମ ବର୍ଷରେ ପଢ଼ୁଥିବା ରଶ୍ମିତାଙ୍କ ସହିତ ଦୀର୍ଘଦିନ ହେବ ଭଉଣୀ ସ˚ପର୍କ ରଖି ଘରକୁ ଯିବା ଆସିବା କରୁଥିଲେ। ତେବେ ଉଭୟ ହଠାତ୍‌ ଗତ ମଙ୍ଗଳବାର ଦିନ ଫେରାର ହୋଇ ଯାଇଥିଲେ। ଏନେଇ ବାଙ୍ଗିରିପୋଷି ଥାନା ଅଧିକାରୀ ଚନ୍ଦନ କୁମାର ଘଡେଇଙ୍କୁ ଯୋଗାଯୋଗ କରିବାରୁ ଆମକୁ କେହି ଝିଅ ଫେରାର ହେବା ଘଟଣା ଲିଖିତ ଆକାରରେ ଜଣାଇ ନଥିଲେ‌ ବୋଲି କହିଛନ୍ତି। ଶ୍ରୀ ଘଡ଼େଇଙ୍କ ଉତ୍ତର ପୁଲିସର ତଦନ୍ତ ପ୍ରକ୍ରିୟା ଉପରେ ମଧ୍ୟ ଅଙ୍ଗୁଳି ନିର୍ଦ୍ଦେଶ କରୁଛି।

ସମ୍ବନ୍ଧିତ ଖବର