ଚିକିତ୍ସା ଅବହେଳାରୁ କଲେଜ ଛାତ୍ରୀଙ୍କ ମୃତ୍ୟୁ ଅଭିଯୋଗ; ମେଡିକାଲ କର୍ମଚାରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବିରେ ଧାରଣା

ବାରିପଦା:  ବାରିପଦା ପିଆରଏମ ମେଡିକାଲରେ ପୁଣି ଥରେ କର୍ତ୍ତବ୍ୟରେ ଅବହେଳାରୁ ଜଣେ କଲେଜ ଛାତ୍ରୀର ମୃତ୍ୟୁ ହୋଇଥିବାର ଅଭିଯୋଗ ହୋଇଛି । ମେଡ଼ିକାଲ କଲେଜ ଓ ହସ୍ପିଟାଲ ମୁଖ୍ୟ ଫାଟକ ଗେଟ୍ ସମ୍ମୁଖରେ ମୃତଦେହ  ରଖି ଧାରଣାରେ ବସିଛନ୍ତି ପରିବାର ସଦସ୍ୟ ।

ଗତ ୩୧ତାରିଖ ଦିନ ବାରିପଦା ସଦର ଥାନା ଅନ୍ତର୍ଗତ ସପନଚୁଆ ଗ୍ରାମର ସୁନାରାମ ପାତ୍ରଙ୍କ ୧୭ବର୍ଷୀୟା ନାବାଳିକା ଝିଅ ସୁପ୍ରିୟା ତଥା ଶାମାଖୁଣ୍ଟା ବ୍ଲକ ରାଙ୍ଗାମାଟିଆ ବନଭୂମି ମହାବିଦ୍ୟାଳୟର ଦ୍ଵିତୀୟ ବର୍ଷ କଳା ବିଭାଗ ଛାତ୍ରୀଙ୍କୁ ଚିକିତ୍ସା ନିମନ୍ତେ ବାରିପଦା ପି ଆର୍ ଏମ୍ ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା । ସୁପ୍ରିୟା ପୁର୍ବରୁ ରକ୍ତହୀନତା ରୋଗରେ ପୀଡ଼ିତ ଥିବାରୁ ପରିବାର ଲୋକ ତାଙ୍କୁ ଅନେକ ଥର ମେଡିକାଲରେ ଚିକିତ୍ସା କରାଇବା ସହ ତାଙ୍କୁ ରକ୍ତ ଦେଇଥିଲେ । ତେବେ ତାଙ୍କ ବାପା ସୁନାରାମ ପାତ୍ର ଓ ମାତା ଲକ୍ଷ୍ମୀ ପାତ୍ର ଗତ ଶନିବାର ଦିନ ଝିଅକୁ ଅସୁସ୍ଥ ଥିବା ଦେଖି ରକ୍ତ ଦେବାପାଇଁ ମେଡ଼ିକାଲରେ ଭର୍ତ୍ତି କରାଇଥିଲେ । ବାରମ୍ବାର ରକ୍ତ ଦେବା ନିମନ୍ତେ ଡାକ୍ତରଙ୍କୁ ଅନୁରୋଧ କରିବା ସତ୍ତ୍ୱେ କାର୍ଯ୍ୟରତ ଡାକ୍ତର କିମ୍ବା କୌଣସି କର୍ମଚାରୀ ଏଥିପ୍ରତି ଧ୍ୟାନ ଦେଇ ନଥିଲେ । ଯାହା ଫଳରେ ଆଜି ସକାଳ ୫ଟା ସମୟରେ ରୋଗୀଙ୍କୁ ବାତ ମାରିଥିଲା ଏବଂ ଏହା ଦେଖି ପରିବାର ଲୋକ ତୁରନ୍ତ ଡାକ୍ତରଙ୍କୁ ଖବର ଦେବାରୁ ନର୍ସ ଆସି ଏକ ଇଞ୍ଜେକ୍ସନ ଦେବା ପରେ ସୁପ୍ରିୟାଙ୍କର ମୃତ ହୋଇଥିଲା । ଡାକ୍ତରଖାନାରେ ଚିକିତ୍ସା ଅବହେଳା ଦର୍ଶାଇ ପରିବାର ଲୋକଙ୍କ ପକ୍ଷରୁ ମୃତକଙ୍କ ଶରୀର ମୁଖ୍ୟ ଗେଟ ସମ୍ମୁଖରେ ରଖିବା ସହ ଚିକିତ୍ସା ରେ ଅବହେଳା କରିଥିବା କର୍ମଚାରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ସହ କ୍ଷତି ପୁରାଣ ଦାବି କରିଛନ୍ତି ବାପା ସୁନାରାମ ପାତ୍ର ଓ ମା ଲକ୍ଷ୍ମୀ ପାତ୍ର ।

ସମ୍ବନ୍ଧିତ ଖବର