ନେସ୍କୋ ଠିକା କର୍ମଚାରୀମାନଙ୍କ ଆନ୍ଦୋଳନ ସ୍ଥଗିତ, ସ୍ୱାକ୍ଷରିତ ହେଲା ତ୍ରିପାକ୍ଷିକ ଚୁକ୍ତି

ବାରିପଦା : ନେସ୍କୋ ପାୱାର କର୍ମଚାରୀ ୟୁନିଅନ ପକ୍ଷରୁ ୧୧ ଦଫା ଦାବି ନେଇ ଆରମ୍ଭ ହୋଇଥିବା ଆନ୍ଦୋଳନ ଆଜି ଅନିର୍ଦ୍ଧିଷ୍ଟ ସମୟ ପର୍ଯ୍ୟନ୍ତ ସ୍ଥଗିତ ରହିଛି । ମୟୂରଭଞ୍ଜ ଜିଲ୍ଲା ଶ୍ରମ ଅଧିକାରିଣୀ ମୋନାଲିସା ନାୟକଙ୍କ ମଧ୍ୟସ୍ଥତା ଫଳରେ ୟୁନିୟନ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି । ଏଥିସହିତ ବୁଧବାର ଦିନ ଅଧିକ୍ଷଣ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ହେବାକୁ ଥିବା ବିକ୍ଷୋଭକୁ ମଧ୍ୟ ବନ୍ଦ ରଖାଯାଇଛି । ଏହି ଅବସରରେ ଶ୍ରମ ଅଧିକାରୀ, ୟୁନିୟନ ଓ ନେସ୍କୋ ମଧ୍ୟରେ ଏକ ତ୍ରିପାକ୍ଷିକ ଚୁକ୍ତିନାମା ସ୍ୱାକ୍ଷରିତ ହୋଇଛି ।

ଚୁକ୍ତି ଅନୁସାରେ ଏବଂ ନେସ୍କୋ କର୍ତ୍ତୃପକ୍ଷଙ୍କ ଅନୁରୋଧ କ୍ରମେ ୟୁନିୟନର ଦାବିଗୁଡ଼ିକ ପୂରଣ କରାଯିବା ନିମନ୍ତେ ନେସ୍କୋ ବିଭାଗକୁ ୧୫ ଦିନ ସମୟ ଦେବା ନିମନ୍ତେ ଶ୍ରମ ବିଭାଗ ଅଧିକାରୀଙ୍କ ମଧ୍ୟସ୍ଥତାରେ ନିଷ୍ପତ୍ତି ନିଆଯାଇଛି । ଆଜିର ଏହି ଆଲୋଚନାରେ ଜିଲ୍ଲା ଶ୍ରମ ଅଧିକାରୀ ଶ୍ରୀମତୀ ନାୟକ, ନେସ୍କୋ ପକ୍ଷରୁ ଅଧିକ୍ଷଣ ଯନ୍ତ୍ରୀ ସୁରେଶ ଚନ୍ଦ୍ର ସାହୁ, ମ୍ୟାନେଜର ଫାଇନାନ୍ସ ମନୋଜ ଦାସ, ସହକାରୀ ମ୍ୟାନେଜର(ଆଇନ) ମୃତ୍ୟୁଞ୍ଜୟ ଦେ, ମାନବ ସମ୍ବଳ ଅଧିକାରୀ ଭବାନୀ ବେଉରା, ୟୁନିୟନ ସଭାପତି ସୁବ୍ରମଣ୍ୟମ୍ ମହାନ୍ତି, ସହ-ସାଧାରଣ ସମ୍ପାଦକ ଜ୍ୟୋତିକୃଷ୍ଣ ବେହେରା, ଡିଭିଜନ ସମ୍ପାଦକ ଚନ୍ଦନ କୁମାର ମହାନ୍ତି, ସୁଜିତ୍ ଲେଙ୍କା, ମାନସ ପାତ୍ର, ଅଚ୍ୟୁତ କୁମାର ସାହୁ, ରଣଜିତ୍ କୁମାର ମହାନ୍ତ, ହରିହର ମଣ୍ଡଳ, ସୁମିତ୍ ରଞ୍ଜନ ସାହୁ, ରାଜକୁମାର ମହାନ୍ତ, ଅଭିମନ୍ୟୁ କବି, ସରୋଜ ପାତ୍ର ଓ ବେଦବ୍ୟାସ ପରିଡ଼ା ପ୍ରମୁଖଙ୍କ ସମେତ ୫୦ରୁ ଅଧିକ ଠିକା କର୍ମଚାରୀଯୋଗ ଦେଇଥିଲେ । ଏହି ସମୟରେ ୟୁନିୟନ ପକ୍ଷରୁ ଗତ ଡ଼ିସେମ୍ବର ୨ରେ ନେସ୍କୋ ବିଭାଗକୁ ଦିଆଯାଇଥିବା ଦାବିପତ୍ର ଉପରେ ଶ୍ରମ ଅଧିକାରିଣୀ ଶ୍ରୀମତି ନାୟକ ପ୍ରକ୍ରିୟା ଆରମ୍ଭ କରିଛନ୍ତି। କର୍ମଚାରୀମାନଙ୍କ ନ୍ୟାର୍ଯ୍ୟ ଦରମା ଉପରେ ବିଭାଗୀୟ କର୍ତ୍ତୃପକ୍ଷ ଓ ଏଜେନ୍ସୀ ଅବିଳମ୍ବେ ନିଷ୍ପତ୍ତି ନେବାକୁ ସେ ମତ ପ୍ରକାଶ କରିଛନ୍ତି। ସେହିପରି କର୍ମଚାରୀଙ୍କ ଅନ୍ୟାନ୍ୟ ସମସ୍ତ ଦାବି ସମ୍ପର୍କରେ ଆସନ୍ତା ବର୍ଷ (୨୦୨୧) ଜାନୁଆରୀ ୧୮ ସୁଦ୍ଧା ସମାଧାନ କରିବା ପରେ ଜାନୁଆରୀ ୧୯ରେ ପରବର୍ତ୍ତୀ ଆଲୋଚନା କରାଯିବା ନିମନ୍ତେ ଶ୍ରମ ଅଧିକାରୀଙ୍କ ପକ୍ଷରୁ ସମୟ ଧାର୍ଯ୍ୟ କରାଗଲା ।

 

ସମ୍ବନ୍ଧିତ ଖବର