ବୈଶିଙ୍ଗା: ଦକ୍ଷିଣ ପୂର୍ବ ରେଳପଥର ଖଡ଼ଗପୁର ରେଳ ମଣ୍ଡଳ ଅନ୍ତର୍ଗତ ରୁପସା-ବାଙ୍ଗିରିପୋଷି ରେଳ ସେକ୍ସନ ମଧ୍ୟରେ ମଛପଦା ଠାରେ ଏକ ନୂତନ ଷ୍ଟେସନ ପାଇଁ ସ୍ଥାନୀୟ ବାସିନ୍ଦାଙ୍କ ଦୀର୍ଘ ଦିନ ଧରି ଦାବି ଜଣାଇ ଆସୁଥିଲେ l ସେହିଭଳି ବିଗତ ୫ବର୍ଷ ଧରି ସ୍ଥାନୀୟ ବିଧାୟକ ସନାତନ ବିଜୁଳି ମଧ୍ୟ ବାରମ୍ବାର ଦାବୀ ଉପସ୍ଥାପନ କରି ଆସୁଥିଲେ l ତେବେ ଲକ୍ଷାଧିକ ଲୋକଙ୍କର ଅପେକ୍ଷାର ଆଜି ଅନ୍ତ ଘଟିଛି l ଏହି ପରିପ୍ରେକ୍ଷୀରେ ବେତନଟୀ ବ୍ଲକ ଅଧୀନ ମଛପଦା ଠାରେ ସୋମବାର ଏକ ବର୍ଣ୍ଣାଢ୍ୟ କାର୍ଯ୍ୟକ୍ରମରେ ବାଲେଶ୍ୱର ସାଂସଦ ଶ୍ରୀଯୁକ୍ତ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ଓ ସ୍ଥାନୀୟ ବିଧାୟକ ସନାତନ ବିଜୁଳିଙ୍କ କରକମଳରେ ୨କୋଟି ଟଙ୍କା ବିନିମୟରେ ମଛପଦା ଷ୍ଟେସନ ନିର୍ମାଣ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି l
ସୂଚନା ଅନୁଯାୟୀ ଚଳିତ ବର୍ଷ ଗତ ୧୩ ଜାନୁୟାରୀରେ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଏହି ଅଂଚଳ ଗସ୍ତ ସମୟରେ ବିଧାୟକଙ୍କ ସମେତ ସ୍ଥାନୀୟ ଜନପ୍ରତିନିଧି ଓ ସାଧାରଣ ଲୋକମାନେ ସେମାନଙ୍କର ଯାତାୟାତ ସୁବିଧାପାଇଁ ମଛପଦା ଠାରେ ଏକ ପାସେଞ୍ଜର ହଲ୍ଟ ନିର୍ମାଣ କରିବାକୁ ପୁଣି ଥରେ ନିଜ ଦାବି ଦୋହରାଇଥିଲେ l ଏଥିରେ ଲୋକଙ୍କ ସମସ୍ୟାକୁ ହୃଦୟଙ୍ଗମ କରିଵା ସହିତ ତୁରନ୍ତ ଏଠାରେ ପାସେଞ୍ଜର ହଲ୍ଟ ନିର୍ମାଣ କରିବାକୁ ଲୋକମାନଙ୍କୁ ପ୍ରତିଶ୍ରୁତି ଦେଇଥିଲେ ମାନ୍ୟବର ମନ୍ତ୍ରୀ l ଶ୍ରୀ ବୈଷ୍ଣବ ତାଙ୍କ ସ୍ୱତନ୍ତ୍ର ପଦକ୍ଷେପ ସହିତ ଖଡ଼ଗପୁର ରେଳ ମଣ୍ଡଳର ରୁପସା-ବାଙ୍ଗିରିପୋଷି ରେଳ ସେକ୍ସନର ଜୁଗପୁରା ଏବଂ ଠାକୁରତୋଟା ଷ୍ଟେସନ ମଧ୍ୟରେ ମଛପଦା ଠାରେ ଏକ ପାସେଞ୍ଜର ହଲ୍ଟ ଷ୍ଟେସନ୍ ନିର୍ମାଣ ପାଇଁ ଉପସ୍ଥିତ ଅଧିକାରୀମାନଙ୍କୁ ନିର୍ଦେଶ ଦେଇଥିଲେ ଯାହା ଫଳରେ ପରେ ଏହା ରେଳ ବୋର୍ଡରୁ ମଧ୍ୟ ଅନୁମତି ପାଇଥିଲା l ଭାରତୀୟ ରେଳବାଇ ବର୍ତ୍ତମାନ ବିଭିନ୍ନ ସୁବିଧା ପ୍ରଦାନ କରୁଥିବ ଯାତ୍ରୀ ପରିସେବାଗୁଡିକର ନବୀକରଣ କରୁଛି ଏବଂ ନିୟମିତ ଭାବେ ଅଧିକ ଯାତ୍ରୀ ସୁବିଧା ଯୋଗାଉଛି ।
ଏହାକୁ ଦୃଷ୍ଟିରେ ରଖି ମାନ୍ୟବର ରେଳମନ୍ତ୍ରୀ ଓଡିଶାର ମୟୂରଭଞ୍ଜ ଜିଲ୍ଲାର ମଛପଦା ଠାରେ ଏକ ଏକ ନୂତନ ଷ୍ଟେସନ ଯୋଗାଇଦେବା ତାଙ୍କ ଗସ୍ତ ସମୟରେ ଦେଇଥିବା ପ୍ରତିଶ୍ରୁତିର ଦୁଇ ସପ୍ତାହ ମଧ୍ୟରେ ପୂରଣ କରିଥିଲେ l ଫଳସ୍ବରୂପ, ରେଳବିଭାଗ ପକ୍ଷରୁ ପ୍ରାୟ ୨କୋଟି ୧୬ଲକ୍ଷ ୬୦ହଜାର ୬୬୭ଟଙ୍କାର ବ୍ୟୟ ବରାଦ କରାଯାଇଥିଲା ଏବଂ ସମସ୍ତ ବିଭାଗକୁ ଯଥାଶୀଘ୍ର କାର୍ଯ୍ୟ ଆରମ୍ଭ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା l ତେବେ ସବୁ ସର୍ଭେ ପରେ ଟେଣ୍ଡର ପ୍ରକ୍ରିୟା ଜରିଆରେ ପଶ୍ଚିମବଙ୍ଗର ଜନୈକ ଠିକାଦାରଙ୍କୁ ଉକ୍ତ ପ୍ରକଳ୍ପ ନିର୍ମାଣ କାର୍ଯ୍ୟ କରିବାକୁ ନିର୍ଦ୍ଦେଶ ଦିଆଯାଇଛି l ଏହି ଷ୍ଟେସନ ନିର୍ମାଣ ପରେ ସ୍ଥାନୀୟ ୧୦ଟି ପଞ୍ଚାୟତର ତଥା ପାଖାପାଖି ଅଞ୍ଚଳର ଲକ୍ଷାଧିକ ବାସିନ୍ଦାମାନେ ବହୁ ଉପକୃତ ହେବେ l ନୂତନ ଷ୍ଟେସନ ଛାତ୍ର, କ୍ଷୁଦ୍ର ବ୍ୟବସାୟୀ, ଶ୍ରମିକ, ଦୈନିକ ଯାତ୍ରୀ ମାନଙ୍କ ପାଇଁ ଦ୍ରୁତ ଯୋଗାଯୋଗକୁ ମଧ୍ୟ ସୁଗମ କରିବ ବୋଲି କହିଛନ୍ତି ସ୍ଥାନୀୟ ଲୋକ l