ଚଳିତ ବର୍ଷ ମଧ୍ୟ ହେବନାହିଁ ଚୈତ୍ର ପର୍ବ, କରୋନା କାରଣରୁ କ୍ରମାଗତ ଦୁଇ ବର୍ଷ ପାଇଁ ବନ୍ଦ ହେଲା 

ପରମ୍ପରା ଅନୁସାରେ କେବଳ ହେବ ଭକ୍ତ ପର୍ବ

ବାରିପଦା : ପରମ୍ପରା ମୁତାବକ ମହାବିଷୁବ ସଂକ୍ରାନ୍ତିର ୩ଦିନ ପୂର୍ବରୁ ବାରିପଦାର ଐତିହାସିକ ଛଉ ପଡ଼ିଆରେ ଆରମ୍ଭ ହୁଏ ବହୁପ୍ରତିକ୍ଷୀତ ଚୈତ୍ର ପର୍ବ। ମାତ୍ର କରୋନା କାରଣରୁ ଚଳିତ ବର୍ଷ ମଧ୍ୟ ହୋଇପାରିବ ନାହିଁ ମୟୂରଭଞ୍ଜବାସୀଙ୍କ ଶ୍ରଦ୍ଧାର ପର୍ବ ଚୈତ୍ର ପର୍ବ। ଗତବର୍ଷ ମଧ୍ୟ କରୋନା ମହାମାରୀ କାରଣରୁ ଏହି ପର୍ବକୁ ବନ୍ଦ ରଖାଯାଇଥିଲା। ଆଶା କରାଯାଉଥିଲା କରୋନାର ପ୍ରକୋପ କମ ହେବା ପରେ ୨୦୨୧ରେ ବୋଧହୁଏ ଚୈତ୍ର ପର୍ବ ନିମନ୍ତେ ଅନୁମତି ମିଳିବ। ମାତ୍ର କ୍ରମାଗତ ଦ୍ବିତୀୟ ବର୍ଷ ପାଇଁ ଅଗଣିତ ଛଉପ୍ରେମୀଙ୍କୁ ନିରାଶ ହେବାକୁ ପଡ଼ିଛି।

ଚଳିତ ମାସ ପହିଲାରେ ଏହି ପର୍ବ ପାଳନ ନେଇ ଜିଲ୍ଲାପାଳ ବିନୀତ ଭରଦ୍ବାଜଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ବୈଠକରେ କରୋନାର ଦ୍ବିତୀୟ ଲହରକୁ ଦୃଷ୍ଟିରେ ରଖି ଚୈତ୍ର ପର୍ବ ପାଳନକୁ ବାରଣ କରାଯାଇଛି। କେବଳ ପରମ୍ପରା ବଜାୟ ରଖିବାକୁ ରୀତି ନୀତି ଅନୁସାରେ ଭକ୍ତ ପର୍ବ ଆୟୋଜନ ନେଇ ଅନୁମତି ପ୍ରଦାନ କରାଯାଇଛି। ଏହି ବୈଠକରେ ଜିଲ୍ଲାପାଳଙ୍କ ସମେତ ବହୁ ସଦସ୍ୟ ଉପସ୍ଥିତ ଥିଲେ। ଚୈତ୍ର ପର୍ବ ଏକ ଜିଲ୍ଲାସ୍ତରୀୟ କାର୍ୟ୍ୟକ୍ରମ ହୋଇଥିବା ଏବଂ ଏହି କାର୍ୟ୍ୟକ୍ରମରେ ଗହଳି ହେବାର ଯଥେଷ୍ଟ ସମ୍ଭାବନା ରହିଛି। ଜିଲ୍ଲା ସମେ୍ତ ପଡ଼ୋଶୀ ରାଜ୍ୟରୁ ମଧ୍ୟ ଦର୍ଶକମାନେ ଏହି ପର୍ବକୁ ଆସିଥାଆନ୍ତି। ତେଣୁ ଏପରିସ୍ଥଳେ ସାମାଜିକ ଦୂରତା ବଜାୟ ରଖିବା ସହିତ କରୋନା କଟକଣା ପାଳନ କରିବା କଷ୍ଟକର ହୋଇପଡ଼ିବ ବୋଲି ବୈଠକରେ ଆଲୋଚନା ହୋଇଥିଲା। ତେଣୁ ଜନସାଧାରଣଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଚଳିତ ବର୍ଷ ମଧ୍ୟ ଚୈତ୍ର ପର୍ବକୁ ପାଳନ ନକରିବାକୁ ସର୍ବସମ୍ମତିକ୍ରମେ ନିଷ୍ପତି ହୋଇଥିବା ମୟୂରଭଞ୍ଜ ଛଉ ନୃତ୍ୟ ପ୍ରତିଷ୍ଠାନର ସଭାପତି ତଥା ଜିଲ୍ଲାପାଳ ବିନୀତ ଭରଦ୍ବାଜ ନିର୍ଦ୍ଦେଶାନାମା ଜାରି କରିଛନ୍ତି। ମାତ୍ର କରୋନା କଟକଣା ମଧ୍ୟରେ ରୀତି ନୀତି ଅନୁଯାୟୀ ଭକ୍ତ ପର୍ବ ପାଳନ ନେଇ ଆବଶ୍ୟକ ପ୍ରସ୍ତୁତି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ। କ୍ରମାଗତ ଦୁଇ ବର୍ଷ ହେବ ଚୈତ୍ର ପର୍ବ ହୋଇପାରୁନାହିଁ। ଏହି କାରଣରୁ ନିରାଶ ହୋଇପଡ଼ିଛନ୍ତି ଛଉ କଳାକାର। ବିଶ୍ବର ଯେଉଁଠି ବି ଛଉ ନୃତ୍ୟ ପ୍ରଦର୍ଶନ କଲେ ମଧ୍ୟ ସମସ୍ତେ ଏହି ଦିନକୁ ସମସ୍ତେ ଅପେକ୍ଷା କରିଥାଆନ୍ତି। ଏହି ମଞ୍ଚରେ ନିଜର କଳାନୈପୁଣ ପ୍ରଦର୍ଶନ କରିବାକୁ। ମାତ୍ର ପୂର୍ବ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଏହା ବନ୍ଦ ହୋଇଯିବା କାରଣରୁ ସମ୍ପୂର୍ଣ୍ଣ ଛଉ ପରିବାର ଦୁଃଖୀ ହୋଇପଡ଼ିଛନ୍ତି। ପ୍ରଶାସନର ଏପରି ନିଷ୍ପତି ପରେ ସମସ୍ତଙ୍କ ମନରେ ଦୁଃଖ ଓ ବିଷାଦ ଭରି ଯାଇଛି। ଏହି କାରଣରୁ ପୁଣିଥରେ ଐତିହାସିକ ଛଉ ପଡ଼ିଆରେ ବିରାଜିବ ଅସମ୍ଭବ ନୀରବତା। 

ସମ୍ବନ୍ଧିତ ଖବର