ନିୟନ୍ତ୍ରଣ‌ରେ ରହିିଛି ବୁଢ଼ାବଳଙ୍ଗ ନଦୀରେ ଜଳସ୍ତର, ଟଳୁଛି ବନ୍ୟା ଆଶଙ୍କା

ମୟୂରଭଂଜ: ଜିିଲ୍ଲାରେ ବନ୍ୟାର ଆଶଙ୍କା କମ୍ । ବର୍ତ୍ତମାନ ନିୟନ୍ତ୍ରଣରେ ଅଛି ବନ୍ୟା ପରିସ୍ଥିତି । ବାତ୍ୟା ୟାସ ପ୍ରଭାବରେ ଗତ ୨ ଦିନ ଧରି ଶିମିଳିପାଳ ଅଭୟାରଣ୍ୟରେ ପ୍ରବଳ ବର୍ଷା ହୋଇଥିଲା । ଯାହା ସର୍ବାଧିକ ୨୦୦ ମିଲିମିଟର ବର୍ଷା ରେକର୍ଡ କରାଯାଇଥିଲା । ଯାହା ଫଳରେ ଗତକାଲି ଦୁଇ ପ୍ରହରରୁ ଶିମିଳିପାଳରୁ ପ୍ରବାହିତ ହେଉଥିବା ବୁଢ଼ାବଳଙ୍ଗ ନଦୀରେ ଜଳସ୍ତର ବୃଦ୍ଧି ପାଇଥିଲା । ଜଳସ୍ତର ବଢ଼ିବା ପରେ ବନ୍ୟା ପରିସ୍ଥିତି ଉପୁଜିବା ନେଇ ଆଶଙ୍କା କରାଯାଉଥିଲା ।

ହେଲେ ଗତକାଲି ରାତି ୧୨ଟା ପରେ ଶିମିଳିପାଳରେ ବର୍ଷା କମିବା ଫଳରେ ବୁଢ଼ାବଳଙ୍ଗରେ ଜଳସ୍ତର ହ୍ରାସ ପାଇଛି । ଏବଂ ବର୍ତ୍ତମାନ ଜଳସ୍ତର ସ୍ଥିର ରହିଛି । ଜିଲ୍ଲା ପ୍ରଶାସନ ସୂଚନା ମୁତାବକ ଯେହେତୁ ପାଗ ଏବେ ଭଲ ରହିଛି ଏବଂ ବର୍ଷା ମଧ୍ୟ ବନ୍ଦ ହୋଇଛି, ତେଣୁ ଜିଲ୍ଲାରେ ରହିଥିବା ସମସ୍ତ ନଦୀ ଗୁଡ଼ିକର ଜଳସ୍ତର ଧୀରେ ଧୀରେ କମିବାରେ ଲାଗିଛି । ଏବେ ବନ୍ୟା ଆଶଙ୍କା କମ୍ ରହିଛି । ହେଲେ ନଦୀ ଗୁଡ଼ିକ ଯେହେତୁ ସମ୍ପୁର୍ଣ୍ଣ ଭାବରେ ନିୟନ୍ତ୍ରଣକୁ ଆସି ନାହିଁ ତେଣୁ ଉପର ମୁଣ୍ଡରେ ଯଦି ପୁଣି ଲଗାତର ବର୍ଷା ହୁଏ ତେବେ ପୁଣି ହୁଏତ ଜଳସ୍ତର ବଢ଼ିପାରେ । ତେଣୁ ଜିଲ୍ଲା ପ୍ରଶାସନ ପକ୍ଷରୁ ନଦୀ କୂଳରେ ବସବାସ କରୁଥିବା ଲୋକମାନଙ୍କୁ ସତର୍କ ରହିବାକୁ କୁହାଯାଇଛି ।

ସମ୍ବନ୍ଧିତ ଖବର