ରାଇରଙ୍ଗପୁର/ବିଶୋଇ: ହଜି ଯାଉଛି ମାନବିକତା। ଅର୍ଥ ଲାଳସାରେ ଅସୁସ୍ଥ ଶିଶୁ ଓ ତାଙ୍କ ପରିବାର ଲୋକଙ୍କୁ ଅଧା ବାଟରେ ଛାଡ଼ି ପଳାଇଲା ୧୦୨ ଆମ୍ବୁଲାନ୍ସ। ଏଭଳି ଅମାନବୀୟ ଘଟଣା ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟରେ ଦେଖିବାକୁ ମିଳିଛି। ଏହାକୁ ନେଇ ବିଭିନ୍ନ ମହଲରୁ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି।
ସୂଚନା ଅନୁସାରେ, ଜାମଦା ବ୍ଲକ ତାରଣା ପଞ୍ଚାୟତ ଅନ୍ତର୍ଗତ ମାନବୀର ଗ୍ରାମର ଗଣେଶ୍ବର ମହାକୁଡ଼ଙ୍କ ୬ ମାସର ସନ୍ତାନ ବିବେକ ଆଜି ଅସୁସ୍ଥ ହେବାରୁ ତାଙ୍କୁ ୧୦୨ ଆମ୍ବୁଲାନ୍ସ ଯୋଗେ ଅଣାଯାଇ ରାଇରଙ୍ଗପୁର ଉପଖଣ୍ଡ‌ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ମାତ୍ର ସେଠାରେ ଶିଶୁଟିର ସ୍ବାସ୍ଥ୍ୟ ଅଧିକ ଗୁରୁତର ହେବାରୁ ତାକୁ ବାରିପଦା ପଣ୍ଡିତ ରଘୁନାଥ ମୁର୍ମୁ ମେମୋରିଆଲ୍ ହସପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରୁ ଶିଶୁଟିକୁ ୧୦୨ ଆମ୍ବୁଲାନ୍ସ (ଇ-୨୨୪୮) ଯୋଗେ ବାରିପଦାସ୍ଥିତ ପିଆର୍‌ଏମ୍‌ ମେଡିକାଲ ଓ ହସ୍‌ପିଟାଲକୁ ନିଆଯାଉଥିଲା। ବିଶୋଇ-ବାଙ୍ଗିରିପୋଷି ଘାଟୀ ରାସ୍ତାରେ ଶିଶୁଟିର ମୃତ୍ୟୁ ଘଟିଥିବା ସନ୍ଦେହ କରି ବିଶୋଇ ଡାକ୍ତରଖାନାକୁ ଆମ୍ବୁଲାନ୍ସ ଫେରି ଆସିଥିଲା। ସେଠାରେ ଡାକ୍ତର ନଥିବାରୁ ଆମ୍ବୁଲାନ୍ସ ରାଇରଙ୍ଗପୁର ଡାକ୍ତରଖାନାକୁ ଫେରୁଥିଲା। କିନ୍ତୁ ଆମ୍ବୁଲାନ୍ସ ଡ୍ରାଇଭର ଅସୁସ୍ଥ ଶିଶୁ ଓ ପରିବାର ଲୋକଙ୍କୁ ରାଇରଙ୍ଗପୁର ଡାକ୍ତରଖାନାକୁ ଆଣିବା ପରିବର୍ତ୍ତେ ରାସ୍ତା କଡ଼ରେ ବିଶୋଇ ନିକଟରେ ଓହ୍ଲାଇ ଦେଇଥିଲା। ଏନେଇ ଆମ୍ବୁଲାନ୍‌ସ ଡ୍ରାଇଭର ଅସୁସ୍ଥ ଶିଶୁର ପରିବାର ଲୋକଙ୍କୁ ୧୫୦୦ ଟଙ୍କା ମାଗିଥିଲା। କିନ୍ତୁ ପରିବାର ଲୋକ ଟଙ୍କା ଦେବାକୁ ମନା କରି ଦେଇଥିଲେ। ଏଥିରେ ଉତ୍‌କ୍ଷିପ୍ତ ହୋଇ ଆମ୍ବୁଲାନ୍‌ସ ଡ୍ରାଇଭର ଏଭଳି ଅମାନବୀୟ କାର୍ଯ୍ୟ କରିଥିବା ପରିବାର ଲୋକେ ଅଭିଯୋଗ କରିଥିଲେ। ସେପଟେ ରାସ୍ତା କଡ଼ରେ ପରିବାର ଲୋକ ରୁଗିଣା ଶିଶୁ ଧରି ପ୍ରଚଣ୍ଡ ଉତ୍ତାପରେ ଛଟପଟ ହେଉଥିଲେ।

Advertisment

ଏହାଦେଖି ସ୍ଥାନୀୟ ଲୋକେ ବିଶୋଇ ବିଡିଓ ବିବୁଧ ଗଡ଼ନାୟକଙ୍କୁ ସୂଚନା ଦେଇଥିଲେ। ଏନେଇ ବିଶୋଇ ବିଡିଓଙ୍କଠାରୁ ଖବରପାଇ ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଧିକାରୀ ଡା. ଛତିଶ ଚନ୍ଦ୍ର ମହାନ୍ତ ହସପିଟାଲରୁ ସ୍ବର୍ଗରଥକୁ ଘଟଣାସ୍ଥଳକୁ ପଠାଇଥିଲେ। ଅସୁସ୍ଥ ଶିଶୁ ଓ ପରିବାର ଲୋକଙ୍କୁ ସ୍ବର୍ଗରଥ ଯୋଗେ ଅଣାଯାଇ ରାଇରଙ୍ଗପୁର ଡାକ୍ତରଖାନା ପୁଣି ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ଶିଶୁଟିକୁ ମୃତ ଘୋଷଣା କରିଥିଲେ। ମୃତ ଶିଶୁକୁ ସ୍ବର୍ଗରଥ ଯୋଗେ ତାଙ୍କ ଗ୍ରାମ ମାନବୀରକୁ ପଠାଯାଇଥିଲା। ୧୦୨ ଆମ୍ବୁଲାନ୍ସର ଏଭଳି ଅମାନବୀୟ କାର୍ଯ୍ୟ ସଂପର୍କରେ ତଦନ୍ତ କରାଯାଇ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବିରେ ତାରଣା ସରପଞ୍ଚ ରାଜାରାମ ବାଗେଙ୍କ ନେତୃତ୍ବରେ ସ୍ଥାନୀୟ ଗ୍ରାମବାସୀ ଏସ୍‌ଡିଏମ୍ଓଙ୍କୁ ଏକ ଅଭିଯୋଗପତ୍ର ପ୍ରଦାନ କରିଛନ୍ତି। ସୂଚନା ମୁତାବକ, ଉକ୍ତ ୧୦୨ ଆମ୍ବୁଲାନ୍ସ ଡ୍ରାଇଭରଙ୍କ ଅବହେଳା ପାଇଁ ଆମ୍ବୁଲାନ୍ସର ଚୁକ୍ତିକୁ ବାତିଲ କରାଯାଇଥିବା ଜଣାପଡ଼ିଛି। ତେବେ ଡାକ୍ତରଙ୍କ ବିନା ଘୋଷଣାରେ ଶିଶୁକୁ ମୃତ ଭାବି ଅଧାବାଟରେ ଛାଡ଼ି ଆସିବା ଭଳି ଅବିବେକୀ କାର୍ଯ୍ୟ କରିବା ସଂପୃକ୍ତ ଡ୍ରାଇଭର ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ସାଧାରଣରେ ଦାବି ହୋଇଛି।