ଘର ଭାଙ୍ଗିଲା ଦନ୍ତା; କାନ୍ଥ ପଡ଼ି ବୃଦ୍ଧ ଗୁରୁତର

ଚିତ୍ରଡ଼ା: ମୋରଡ଼ା ତହସିଲ ତଥା ବେତନଟୀ ରେଞ୍ଜ ଅଧୀନ ଭାଲିଆଡ଼ିହା ପଞ୍ଚାୟତ କେନ୍ଦୁଛାଟିଆ ଗ୍ରାମରେ ଗତ ରବିବାର ବିଳମ୍ବିତ ରାତିରେ ଏକ ଦନ୍ତାହାତୀ ପଶି ଘର ଭାଙ୍ଗି ଦେଇଥିବା ବେଳେ କାନ୍ଥ ପଡ଼ି ଗୁରୁତର ହୋଇଛନ୍ତି ଜଣେ ବୃଦ୍ଧ।

ଖବରରୁ ପ୍ରକାଶ ଉକ୍ତ ଗ୍ରାମର ସୁରୁ ଦେହୁରୀଙ୍କ ପରିବାର ରାତିରେ ଖାଇ ସାରି ଶୋଇଥିଲେ। ତେବେ ଦନ୍ତାଟି ବିଳମ୍ବିତ ରାତିରେ ହଠାତ ସୁରୁଙ୍କ ଘର ଉପରେ ଆକ୍ରମଣ କରିଥିଲା। ହାତୀଟି କାନ୍ଥକୁ ଠେଲି ଦେବାରୁ ଏହା ଧସି ପଡ଼ି କାନ୍ଥ ପାଖରେ ଶୋଇଥିବା ସୁରୁଙ୍କ ଉପରେ ପଡ଼ିଥିଲା। ଗୋଡ଼ ଭାଙ୍ଗିଯିବା ସହିତ ଗୁରୁତର ଆହତ ହୋଇଥିଲେ ସୁରୁ। ପରିବାର ଲୋକେ ତାଙ୍କୁ ଉଦ୍ଧାର କରି ବାରିପଦା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି। ଏପଟେ ମୋରଡ଼ା ବ୍ଲକ୍‌ ଅଞ୍ଚଳରେ ବର୍ଷ ତମାମ ହାତୀ ଉପଦ୍ରବ ଲାଗିରହୁଛି। ବ୍ୟାପକ ଧନ ଜୀବନ ନଷ୍ଟ ହେଉଥିବା ବେଳେ ହାତୀପଲଙ୍କୁ ଜନବସତିରୁ ଦୂରେଇ ରଖିବା ପାଇଁ ବନବିଭାଗ କିମ୍ୱା ସରକାର କୌଣସି ଆଖିଦୃଶିଆ ପଦକ୍ଷେପ ଗ୍ରହଣ କରୁନାହାନ୍ତି। ଏହାକୁ ନେଇ ଅସନ୍ତୋଷ ପୁଞ୍ଜିଭୂତ ହେଉଛି।

ସମ୍ବନ୍ଧିତ ଖବର