ଡାହାଣୀ ସନ୍ଦେହରେ ବୃଦ୍ଧାଙ୍କୁ ଉଲଗ୍ନ କରି ମାଡ଼:ପୁତରା ଓ ପୁତୁରା ବୋହୂ ଫେରାର

ବେତନଟୀ : ଯେତେ ସଚେତନତା ସୃଷ୍ଟି କଲେ ମଧ୍ୟ ମୟୂରଭଞ୍ଜ ଜିଲ୍ଲାରେ ଡାହାଣୀକୁ ନେଇ ରହି ଆସୁଥିବା ଅନ୍ଧବିଶ୍ୱାସର ଅନ୍ତ ଘଟୁନାହିଁ। ବେତନଟୀ ଥାନା ଅଧୀନ ତାରାଣା ଗ୍ରାମର ଜଣେ ମହିଳାଙ୍କୁ ଡାହାଣୀ କହି ତାଙ୍କ ପୁତୁରା ଓ ପୁତୁରା ବୋହୂ ଉଲଗ୍ନ କରି ମାଡ଼ ମାରିଥିବା ଅଭିଯୋଗ ହୋଇଛି। ଏହି ଘଟଣା ପରେ ଗିରଫ ଭୟରେ ଦୁହେଁ ଗ୍ରାମରୁ ଫେରାର ହୋଇ ଯାଇଛନ୍ତି।
ଏହି ଗ୍ରାମର ଆନନ୍ଦ ମହାନ୍ତଙ୍କ କନ୍ୟା ଲଳିତା ମହାନ୍ତ (୫୦) ଅବିବାହିତ ଥିବାରୁ ତାଙ୍କ ବାପଘରେ ରହି ଆସୁଛନ୍ତି । ସେ ଦୀର୍ଘଦିନ ଧରି ଏଠାରେ ରହିବା ସହିତ ସମସ୍ତଙ୍କ ଘରକୁ ଯିବା ଆସିବା ମଧ୍ୟ କରନ୍ତି ଏବଂ ଅନ୍ୟ ଲୋକଙ୍କ ଘରେ କାର୍ଯ୍ୟ କରି ବିଧବା ଭତ୍ତାରେ ଚଳନ୍ତି। ଅନ୍ୟ ଗ୍ରାମବାସୀମାନଙ୍କର ଲଳିତାଙ୍କ ବିରୁଦ୍ଧରେ କୌଣସି ଆରୋପ ନଥିବା ବେଳେ ପୁତୁରା ଓ ପୁତୁରା ବୋହୁ ତାଙ୍କ ଲଳିତାଙ୍କୁ ଡାହାଣୀ କହି ମାଡ଼ ମାରିବା ଚର୍ଚ୍ଚାର ବିଷୟ ହୋଇଛି ।
ମିଳିଥିବା ସୂଚନା ମୁତାବକ ଲଳିତାଙ୍କର ଗୋଟିଏ ସିଡ଼ି ଥିଲା । ସେହି ସିଡ଼ିଟିକୁ ପୁତୁରା ନରେନ୍ଦ୍ର ମହାନ୍ତ ବ୍ୟବହାର କରି କେଉଁଠି ରଖି ଦେଇଥିଲେ । ଏହି ଘଟଣାକୁ ନେଇ ଲଳିତା ଓ ତାଙ୍କ ପୁତୁରା ନରେନ୍ଦ୍ରଙ୍କ ସହିତ ଉଚ୍ଚବାଚ ହେବା ପରେ ଲଳିତାଙ୍କୁ ଘର ବାହାରେ ନରେନ୍ଦ୍ର ଓ ତାଙ୍କ ପତ୍ନୀ ଗୀତା ଓରଫ ମୁନୀ ମହାନ୍ତ ନିସ୍ତୁକ ମାଡ ମାରିଥିଲେ । ନରେନ୍ଦ୍ରଙ୍କ ଜଣେ ପିଲାଙ୍କ ଦେହ ଖରାପ ହୋଇଥିଲା ।

ଏହି ଦେହ ଖରାପ ପାଇଁ ଲଳିତା ଦାୟୀ ଓ ସେ ଜଣେ ଡାହାଣୀ ବୋଲି କହି ତାକୁ ଉଭୟ ପୁତୁରା ଓ ପୁତୁରା ବୋହୂ ମାଡ଼ ମାରିଥିଲେ । ମାଡ଼ ମାରିଲାବେଳେ ଲଳିତାଙ୍କ ଲୁଗାପଟା ଖସି ଯାଇଥିଲେ ମଧ୍ୟ ସେଥିପ୍ରତି ସେମାନଙ୍କର ଦୃଷ୍ଟି ନଥିଲା । ମାଡ଼ରେ ଗୁରୁତର ଲଳିତାଙ୍କୁ ଚିକିତ୍ସା ଲାଗି ଡାକ୍ତରଖାନାରେ ଭର୍ତି କରାଯାଇଥିଲା। ତେବେ ଘଟଣା ପରେ ନରେନ୍ଦ୍ର ଓ ଗୀତା ଗ୍ରାମରୁ ଅନ୍ୟତ୍ର ପଳାଇ ଯାଇ ଥିବାର ଜଣାପଡ଼ିଛି । ଲଳିତା ମହାନ୍ତଙ୍କ ଲିଖିତ ଅଭିଯୋଗ ମୂଳେ ବେତନଟୀ ଥାନା ଆଇଆଇସି ଗୋବିନ୍ଦଚନ୍ଦ୍ର ବେହେରା ଭାରତୀୟ ପିଙ୍ଗଳ କୋର୍ଡର ଦଫା ୩୪୧, ୩୨୩, ୨୯୪, ୫୦୬, ୩୫୪ (ଖ) ମୂଳେ ମାମଲା (ନମ୍ବର ୪୫/୨୦୧୮) ରୁଜୁ କରି କୃଷ୍ଣଚନ୍ଦ୍ରପୁର ଫାଣ୍ଡି ଅଧିକାରୀ ଚନ୍ଦ୍ରକାନ୍ତ ରଣଜିତଙ୍କୁ ତଦନ୍ତ ଭାର ପ୍ରଦାନ କରିଛନ୍ତି ।

ସମ୍ବନ୍ଧିତ ଖବର