ହାତୀ ଆକ୍ରମଣରେ ଜଣଙ୍କର ମୃତ୍ୟୁ

ବେତନଟୀ: ଝାଡ଼ଖଣ୍ଡ ପଟୁ ପଳାଇ ଆସିଥିବା ୭୧ଟି ହାତୀ ଗତ ୩ ଦିନ ହେଲା ମୟୂରଭଞ୍ଜ ସମେତ ବାଲେଶ୍ବର ଜିଲ୍ଲାର ବସ୍ତା ଓ ଜଳେଶ୍ବର ଅଞ୍ଚଳରେ ଆତଙ୍କ ଖେଳାଇଛନ୍ତି। ହାତୀ ଆକ୍ରମଣରେ ଆଜି ଜଣେ ଯୁବକଙ୍କର ପ୍ରାଣ ଯାଇଛି। ସେ ହେଲେ ବେତନଟୀ ଥାନା ଛଚିନାପଦା ନୂଆଗାଁ ଗ୍ରାମର ସିଂରାୟ ମାଝୀ (୪୬)।

ଶନିବାର ସକାଳ ପ୍ରାୟ ସାଢ଼େ ୭ଟା ସମୟରେ ଛଚିନାପଦା ନୂଆଗାଁ ଗ୍ରାମର ୭ ଜଣ ଯୁବକ ଗାଁ’ ମୁଣ୍ଡ ଜଙ୍ଗଲ ପାଖକୁ ଶୌଚ ହେବାକୁ ଯାଇଥିଲେ। ଏହି ସମୟରେ ଏକ ଦନ୍ତା ବୁଦା ଉହାଡ଼ରୁ ବାହାରି ସେମାନଙ୍କୁ ଗୋଡ଼ାଇଥିଲା। ୬ ଜଣ ଯୁବକ ଦନ୍ତା ହାବୁଡ଼ରୁ ଖସି ଆସିଥିବାବେଳେ ସିଂରାୟ ମାଝୀ ତଳେ ପଡ଼ି ଯାଇଥିଲେ। ଦନ୍ତା ତାଙ୍କୁ ଶୁଣ୍ଢରେ ଟେକି କଚାଡ଼ି ଦେଇଥିଲା। ଫଳରେ ତାଙ୍କ ମୁଣ୍ଡ ଓ ଶରୀରରେ ଗଭୀର କ୍ଷତ ସୃଷ୍ଟି ହୋଇଥିଲା।

ଖବର ପାଇ କୃଷ୍ଣଚନ୍ଦ୍ରପୁର ବନରକ୍ଷୀ ରାଇଧନ ସିଂ ଓ ଗ୍ରାମବାସୀ ସିଂରାୟଙ୍କୁ ଉଦ୍ଧାର କରି ବେତନଟୀ ଡାକ୍ତରଖାନା ଆଣିଥିଲେ। ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ବାରିପଦା ସ୍ଥାନାନ୍ତର କରିବାବେଳେ ବାଟରେ ତାଙ୍କର ପ୍ରାଣବାୟୁ ଉଡ଼ିଯାଇଥିଲା। ବେତନଟୀ ରେଞ୍ଜ ଅଧିକାରୀ ଘନଶ୍ୟାମ ସିଂ ଓ ବନପାଳ ପିକେ ସିଂ ସାମନ୍ତ ଡାକ୍ତରଖାନାରେ ପହ‌ଞ୍ଚି ମୃତକଙ୍କ ପରିବାର ଲୋକଙ୍କୁ ଭେଟି ସହାୟତା ପ୍ରତିଶ୍ରୁତି ଦେଇଥିଲେ। ଏ ନେଇ ବେତନଟୀ ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି।

ସମ୍ବନ୍ଧିତ ଖବର