ରାଇରଙ୍ଗପୁର/ଜାମଦା: ଜଙ୍ଗଲରୁ ଛେଳିପଲ ନେଇ ଘରକୁ ଆସିବା ବେଳେ ଆଜି ମଧ୍ୟାହ୍ଣରେ ବଜ୍ରପାତରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ହାତୀରାମ ସର୍ଦ୍ଧାର (୫୫)। ଏହି ଘଟଣାରେ ଜଣେ ମହିଳା ଅଳ୍ପକେ ବର୍ତ୍ତି ଯାଇଛନ୍ତି।
ସୂଚନା ଅନୁଯାୟୀ ଜାମଦା ଥାନା ବାରୁଡିହି ଗ୍ରାମର ହାତୀରାମ ସର୍ଦ୍ଧାରଙ୍କ ପତ୍ନୀ ଛେଳି ଚରାଇବାକୁ ଯାଇଥିଲେ। ବର୍ଷା ମାଡିଆସୁଥିବା ଦେଖି ଛେଳିମାନକୁ ଘରକୁ ଫେରାଇ ଆଣୁଥିଲେ।
ଛେଳିମାନଙ୍କୁ ଫେରାଇ ଆଣିବାରେ ସହଯୋଗ କରିବାକୁ ହାତୀରାମ ମଧ୍ୟ ଯାଇଥିଲେ। କେତେକ ଛେଳି ବର୍ଷା ଦେଖି ଗୋଠରୁ ଘରମୁହାଁ ହୋଇ ଦୌଡି ଥିଲେ,ତାଙ୍କ ପଛରେ ହାତୀରାମଙ୍କ ସ୍ତ୍ରୀ ମଧ୍ୟ ଦୌଡିଥିଲେ। ପଛରେ ଥିବା ଛେଳି ହାତୀରାମ ସର୍ଦ୍ଧାର ନେଇ ଆସୁଥିବା ବେଳେ ତାଙ୍କ ଉପରେ ବଜ୍ରପାତ ହୋଇଥିଲା। ବଜ୍ରପାତ ଫଳରେ ଗାଁ ଅଙ୍ଗନଓ୍ବାଡି ରାସ୍ତା ଉପରେ ସେ ସଜ୍ଞାହୀନ ହୋଇ ପଡିଥିଲେ।
ଘଟଣାଟି ମଧ୍ୟାହ୍ଣ ୧୨ଟା ୩୦ ପାଖାପାଖି ସମୟରେ ଘଟିଥିବାବେଳେ ଘଟଣା ବିଷୟରେ କେହି ଜାଣି ନପାରିବାରୁ ଦୀର୍ଘ ସମୟ ଧରି ସଜ୍ଞାହୀନ ହୋଇପଡ଼ି ରହିବା ଫଳରେ ତାଙ୍କ ମୃତ୍ୟୁ ଘଟିଥିବା ନେଇ ଗ୍ରାମବାସୀଙ୍କ ଠାରୁ ମିଳିଥିବା ସୂଚନାରୁ ଜଣାପଡ଼ିଛି। ଖବର ପାଇବା ପରେ ଜାମଦା ଥାନା ପୁଲିସ୍ ଘଟଣାସ୍ଥଳକୁ ପହଞ୍ଚି ଶବ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ରାଇରଙ୍ଗପୁର ଉପଖଣ୍ଡ ଡାକ୍ତରଖାନାକୁ ପଠାଇଥିଲେ। ଏନେଇ ଜାମଦା ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ଅଧିକ ତଦନ୍ତ ଜାରି ରଖିଛି ଜାମଦା ଥାନା ପୁଲିସ।
Lightning