ପ୍ରଶିକ୍ଷଣ ବେଳେ ଅଘଟଣ: ଯବାନଙ୍କ ଗୁଳି ମାଡ଼ରେ ଯୁବକ ଗୁରୁତର

୫ ଘଣ୍ଟା ଧରି ରାଜପଥ ଅବରୋଧ

କଳାବାଡିଆ : ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ଥାନା ଅନ୍ତର୍ଗତ କୁମ୍ଭାରମୁଣ୍ଢାକଟା ପଂଚାୟତର ଘୁଂଟୁରୁସାହି ଗାଁ ନିକଟ ଫାଇରିଂ ପ୍ରଶିକ୍ଷଣ ପଡିଆରେ ଆଜି ଏକ ଅଭାବନୀୟ ଘଟଣା ଘଟିଛି। ୫ମ ବାଟାଲିୟନରେ ନିୟୋଜିତ ଯବାନଙ୍କ ପକ୍ଷରୁ ଗୁଳିଚାଳନା ଅଭ୍ୟାସ ଚାଲିଥିବା ବେଳେ ଅସାବଧାନତାବଶତଃ ଲକ୍ଷ୍ମଣ ସିଂ ନାମକ ସ୍ଥାନୀୟ ଯୁବକଙ୍କ ଦେହରେ ଗୁଳି ବାଜିଛି । ବିଭିନ୍ନ ସମୟରେ ସେହି ଫାୟାରିଂ ରେଞ୍ଜରେ ବାଟାଲିୟନ ଓ ଜିଲ୍ଲା ପୁଲିସ ପକ୍ଷରୁ ଗୁଳି ଚାଳନା ଅଭ୍ୟାସ କରାଯାଇଥାଏ । ତେବେ ଚଳିତ ଥର ସେଠାରେ ଗୁଳିଚାଳନା ଅଭ୍ୟାସ କରାଯାଉଥିବା ବେଳେ ଲୋକଙ୍କ ସୁରକ୍ଷା ପାଇଁ ଆବଶ୍ୟକୀୟ ପଦକ୍ଷେପ ନିଆଯାଇ ନଥିଲା। ଫଳରେ ଆଜି ପାଖ ଅଞ୍ଚଳକୁ ଗଧୋଇବାକୁ ଆସୁଥିବା ବେଳେ ଲକ୍ଷ୍ମଣ ସିଂଙ୍କ ଦେହରେ ଗୁଳି ବାଜିଥିଲା।

ସେ ଗୁରୁତର ଥିଲେ ମଧ୍ୟ ଯବାନ ଓ ତାଙ୍କ ଉପରିସ୍ଥ ଅଫିସର ଲକ୍ଷ୍ମଣଙ୍କୁ ସେଠାରେ ଛାଡି ପଳାଇଥିଲେ । ଖବର ପାଇ ଗାଁ ଲୋକେ ଗୁରୁତର ଲକ୍ଷ୍ମଣଙ୍କୁ ଉଦ୍ଧାର କରି ବାରିପଦା ପିଆଏମ ମେଡିକାଲ କଲେଜକୁ ଚିକିତ୍ସା ପାଇଁ ପଠାଇଥିଲା । ଖବର ପାଇ ବିଜେପି ଆଦିବାସୀ ମୋର୍ଚ୍ଚା ସାଧାରଣ ସଂପାଦକ ସୁଗଦା ମୁର୍ମୁ, ଏସୟୁସିଆଇ ବ୍ଲକ ସଂଯୋଜକ ପିତାମ୍ବର ନାଏକ, ସିପିଆଇ ଜିଲ୍ଲା ସଂପାଦକ ଜଗବନ୍ଧୁ ମିଶ୍ର, କୁମ୍ଭାରମୁଣ୍ଢାକଟା ସମିତିସଭ୍ୟ ରବୀନ୍ଦ୍ର ନାଏକ, କଳାବାଡିଆ ସମିତିସଭ୍ୟ ସନ୍ତୋଷ କଲିଆଙ୍କ ସମେତ ଶହ ଶହ ଗ୍ରାମବାସୀ କ୍ଷତିପୂରଣ ଓ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବିରେ ୧୮ନଂ ଜାତୀୟ ରାଜପଥ ଅବରୋଧ କରିଥିଲେ ।

ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା ପାଇଁ ପ୍ରଶାସନ ପକ୍ଷରୁ ବାଙ୍ଗିରିପୋଷି ଅତିରିକ୍ତ ତହସିଲଦାର କାର୍ତିକ ଚନ୍ଦ୍ର ଦାସ, ସଦର ଏସଡିପିଓ ଅଭିମନ୍ୟୁ ନାୟକ, ବାଙ୍ଗିରିପୋଷି ଥାନା ଅଧିକାରୀ ମିନତୀ ବିଶ୍ୱାଳ, କୁଳିଅଣା ଥାନା ଅଧିକାରୀ ପଦ୍ମାଳୟା ସାହୁ, ଝାରପୋଖରିଆ ଥାନା ଅଧିକାରୀ ସରୋଜିନୀ ନାୟକ ପ୍ରମୁଖ ଘଟଣା ସ୍ଥଳରେ ପହଞ୍ଚିଥିଲେ । ଲୋକେ କୌଣସି କଥାରେ ରାଜି ନ ହେବାରୁ ବାଙ୍ଗିରିପୋଷି ବିଧାୟକ ସୁଦାମ ମାର୍ଣ୍ଡି, ବ୍ଲକ ଅଧ୍ୟକ୍ଷ ସୁବୋଧ ମାର୍ଣ୍ଡି, ପୂର୍ବତନ ଅଧ୍ୟକ୍ଷ ରାମଚନ୍ଦ୍ର ମୁର୍ମୁ, ପ୍ରିୟନାଥ ମାର୍ଣ୍ଡି ପହଞ୍ଚି ଆଲୋଚନା କରିଥିଲେ । ଆହତ ଲକ୍ଷ୍ମଣଙ୍କ ସମସ୍ତ ଚିକିତ୍ସା ଖର୍ଚ୍ଚ ଜିଲ୍ଲା ପ୍ରଶାସନ ବହନ କରିବା ସହିତ ଉକ୍ତ ସ୍ଥାନରେ ଚାଲିଥିବା ପଥର ବ୍ଲାଷ୍ଟିଂ ବନ୍ଦ ଓ ଫାୟାରିଂ ପ୍ରଶିକ୍ଷଣ ପଡିଆକୁ ସ୍ଥାନାନ୍ତରିତ କରିବାକୁ ପ୍ରତିଶୃତି ଦେବା ପରେ ଆନ୍ଦୋଳନ ହଟିଥିଲା ।

ଖବର ଲେଖା ହେଲା ପର୍ଯ୍ୟନ୍ତ ଗୁରୁତରଙ୍କୁ ଅସ୍ତ୍ରୋପଚାର ପରେ ଗୁଳି ବାହାର କରି ଦିଆଯାଇଛି । ସୂଚନାଯୋଗ୍ୟ ଯେ ଗତ ୨୦୦୭ ମସିହାରେ ଏହି ଅଞ୍ଚଳରେ ଜଣକ ଘରେ ଗୁଳି ବାଜିଥିବା ନେଇ ଜନ ଅସନ୍ତୋଷ ବୃଦ୍ଧି ପାଇଥିଲାା

ସମ୍ବନ୍ଧିତ ଖବର