କ୍ଷମତାରୁ ଅଧିକ ଯାତ୍ରୀ ନେବା କାଳ ହେଲା: ମଝି ରାସ୍ତାରେ ଓଲଟିଲା ପିକ୍‌ଅପ୍‌ ଭ୍ୟାନ: ୨ ମହିଳା ମୃତ, ୨୦ରୁ ଅଧିକ ଯାତ୍ରୀ ଊର୍ଦ୍ଧ୍ବ ଗୁରୁତର

ଆରାଧ୍ୟ ଦେବତାଙ୍କ ପୂଜା ପାଇଁ ଯାଉଥିଲେ

ଖୁଣ୍ଟା: ଆଉ ଅଳ୍ପ ଦୂର ଯାଇଥିଲେ ନିଜର ଆରାଧ୍ୟ ଦେବତାଙ୍କୁ ଦର୍ଶନ କରିଥା’ନ୍ତେ। କିନ୍ତୁ ବିଧିର ବିଧାନ ଥିଲା ଅଲଗା। କ୍ଷମତାଠାରୁ ଅଧିକ ଯାତ୍ରୀ ନେଇ ଯାଉଥିବା ପିକ୍‌ଅପ୍‌ ଭ୍ୟାନଟି ଦୁର୍ଘଟଣାଗ୍ରସ୍ତ ହୋଇ ଓଲଟି ପଡ଼ିଥିଲାଏବଂ ଘଟଣାସ୍ଥଳରେ ୨ ଜଣ ମହିଳାଙ୍କ ଅମୂଲ୍ୟ ଜୀବନ ଚାଲିଗଲା। ମୟୂରଭଞ୍ଜ ଜିଲ୍ଲା ଖୁଣ୍ଟା ଥାନା ଅଧୀନ ଧାନଘେରାଠାରେ ଘଟିଥିବା ଏହି ମର୍ମନ୍ତୁଦ ଦୁର୍ଘଟଣାରେ ୨୦ରୁ ଊର୍ଦ୍ଧ୍ବ ଯାତ୍ରୀ ଗୁରୁତର ଆହତ ହୋଇଛନ୍ତି। ଏହି ଖବର ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳାଇ ଦେଇଛି।
ଘଟଣାରୁ ପ୍ରକାଶ, ପ‌ଡ଼ୋଶୀ ବାଲେଶ୍ବର ଜିଲ୍ଲା ବରହମପୁର ଥାନା ଅଧୀନ ଆରବନ୍ଧ ଗ୍ରାମରୁ ଆଜି ସକାଳେ ଓଡି୦୧ଏ-୬୮୮୬ ନମ୍ବର ବିଶିଷ୍ଟ ଏକ ପିକ୍‌ଅପ ଭ୍ୟାନ ଯୋଗେ କହ୍ନେଇବନ୍ଧ-ଧାନଘେରା ରାସ୍ତା ଦେଇ ପ୍ରାୟ ୪୦ରୁ ଊର୍ଦ୍ଧ୍ବ ବାଥୁଡ଼ି ସଂପ୍ରଦାୟର ବ୍ୟକ୍ତି ଖୁଣ୍ଟା ଥାନା ଅଧୀନ ଶିମିଳିପାଳ ଅଭୟାରଣ୍ୟ ମଧୢରେ ଥିବା ଜଡିଧର ଗ୍ରାମର ଅଠରଦେଉଳରେ ଥିବା ଆରାଧୢ ଦେବତାଙ୍କ ପୂଜାଯଜ୍ଞରେ ସାମିଲ ହେବାକୁ ଯାଉଥିଲେ। ଧାନଘେରା ଗ୍ରାମସ୍ଥିତ ରାସ୍ତାର ଏକ ବୁଲାଣି ସ୍ଥାନରେ ଭାରସାମ୍ୟ ହରାଇ ବସିବାରୁ ଭ୍ୟାନ୍‌ଟି ରାସ୍ତା ଉପରେ ଓଲଟି ପଡ଼ିଥିଲା। ଫଳରେ ଘଟଣାସ୍ଥଳରେ ସ˚ପୃକ୍ତ ଗ୍ରାମର ଲେମ୍ବୁ ଖଣ୍ତେଇଙ୍କ ପତ୍ନୀ ଦ୍ରୌପଦୀ(୬୫) ଓ କାର୍ତ୍ତିକ ବିଶ୍ବାଳଙ୍କ ପତ୍ନୀ ସୁଲୋଚନା(୫୫)ଙ୍କ ମୃତ୍ୟୁ ଘଟିଥିଲା। ୨୦ରୁ ଊର୍ଦ୍ଧ୍ବ ଯାତ୍ରୀ ତଥା ଶ୍ରଦ୍ଧାଳୁମାନେ ଗୁରୁତର ହୋଇଥିଲେ। ସ୍ଥାନୀୟ ଲୋକଙ୍କ ସହାୟତାରେ ଖୁଣ୍ଟା ଅଗ୍ନିଶମ ଓ ପୁଲିସ କର୍ମଚାରୀମାନେ ଗୁରୁତର ବ୍ୟକ୍ତିମାନଙ୍କୁ ଉଦ୍ଧାର କରି ଖୁଣ୍ଟା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ପ୍ରାଥମିକ ଚିକିତ୍ସା ପରେ ସମସ୍ତଙ୍କୁ ବାରିପଦା ପିଆର୍‌ଏମ୍‌ ମେଡିକାଲ କଲେଜକୁ ସ୍ଥାନାନ୍ତରିତ କରାଯାଇଛି। ତେବେ ଦୁର୍ଘଟଣାରେ ଗାଡିର ଚାଳକ ରାମ ସି˚ଙ୍କ ସମେତ ଅନ୍ୟ ୬ ଜଣ ଗୁରୁତରଙ୍କୁ ଉଦଳା ଚିକିତ୍ସା କେନ୍ଦ୍ରରେ ଭର୍ତ୍ତି କରାଯାଇଥିବା ଏସ୍‌ଡିପିଓ ସ୍ବପ୍ନରଞ୍ଜନ ମହାପାତ୍ର ସୂଚନା ଦେଇଛନ୍ତି। ମୃତ ୨ ମହିଳାଙ୍କ ଶବ ବ୍ୟବଚ୍ଛେଦ ନିମନ୍ତେ ଉଦଳାକୁ ପଠାଯାଇଛି। ଖୁଣ୍ଟା ପୁଲିସ ଦୁର୍ଘଟଣାଗ୍ରସ୍ତ ଭ୍ୟାନଟିକୁ ଜବତ କରି ଘଟଣାର ତଦନ୍ତ ଜାରି ରଖିଛି।

ସମ୍ବନ୍ଧିତ ଖବର