ଗୋଚାଲାଣ ବେଳେ ପିକଅପ ଓଲଟି ୬ ଗାଈ ମୃତ

ମୋରଡା: ମୟୂରଭଞ୍ଜ ଜିଲ୍ଲା ମୋରଡା ଥାନା ଅଞ୍ଚଳ ହୋଇ ପଡୋଶୀ ପଶ୍ଚିମବଙ୍ଗ ଅଞ୍ଚଳକୁ ବ୍ୟାପକ ପରିମାଣର ପିକଅପ, ଟ୍ରକ ରେ ବିଳମ୍ବିତ ରାତିରେ ଗୋରୁ, ଛେଳି, ମେଣ୍ଢା, ଘୁଷୁରୀକୁ ବେଆଇନ ଭାବେ ଚୋରା ଚାଲାଣ କରାଯାଉଥିବାର ଅଭିଯୋଗ ବାରମ୍ବାର ହେଉଥିବା ବେଳେ ଗତ ମଙ୍ଗଳବାର ବିଳମ୍ବିତ ରାତିରେ ଏକ ପିକଅପରେ ବେଆଇନ ଗୋ ଚାଲାଣ ହେଉଥିବା ଅଭିଯୋଗ ହୋଇଛି। ଚାଲାଣ ବେଳେ ଏକ ପିକଅପ ଜଙ୍ଗଲ ରାସ୍ତାରେ ଓଲଟି ପଡିବାରୁ ଛଅଟି ଗାଈଙ୍କର ଘଟଣାସ୍ଥଳରେ ମୃତ୍ୟୁ  ଘଟିଛି।

ଖବରରୁ ପ୍ରକାଶ କି ଉକ୍ତ ବେଆଇନ ଚୋରା ଚାଲାଣକାରୀ ଜଙ୍ଗଲ ଏବଂ ଗ୍ରାମାଞ୍ଚଳ ରାସ୍ତାକୁ ସୁରକ୍ଷିତ ମଣି ଉକ୍ତ ରାସ୍ତାରେ ବିଳମ୍ବିତ ରାତିରେ ବେଆଇନ ଗୋ ଚାଲାଣ କରୁଥିଲେ। ଏନେଇ  କୌଣସି ସୂତ୍ରରୁ ଖବର ପାଇ ମୋରଡା ଥାନା ଅଧିକାରୀ ପଦ୍ମଲୋଚନ ପାଣିଗ୍ରାହୀ ଏକ ବାଇକରେ ପିଛା କରିଥିଲେ। ଏହି ଥାନା ଅଧିନ ବାଘଡା-ବ୍ରାହ୍ମଣମରା ଜଙ୍ଗଲ ରାସ୍ତାରେ ଉକ୍ତ ଗାଡିକୁ ପିଛା କରି ଧରିବା ପାଇଁ ଦୌଡାଇବା ସମୟରେ ପିକଅପ ଟି ଜଙ୍ଗଲରେ ଖସିଯିବା ପାଇଁ ଉଦ୍ୟମ କରୁଥିବା ବେଳେ ଓଲଟି ପଡିଥିଲା।

କୌଶଳ କରି  ସ୍ଥାନୀୟ ଟ୍ରାକ୍ଟର ସାହାଯ୍ୟରେ ଡ୍ରାଇଭର ପିକଅପକୁ ଉଠାଇ ନେଇ ଖସିଯିବାରେ ସଫଳ ହୋଇଥିବା ବେଳେ ଘଟଣାସ୍ଥଳରେ ୬ ଟି ଗାଈ ମୃତ୍ୟୁ ବରଣ କରିଥିବା ଜଣାପଡ଼ିଛି। ତଥାପି ମୋରଡା ଥାନା ଅଧିକାରୀ ପାଣିଗ୍ରାହୀ ପିକଅପକୁ ଧରିବା ପାଇଁ ଦୌଡାଇ ଥିଲେ ସୁଦ୍ଧା ସଫଳ ହୋଇ ପାରିନଥିଲେ। ତେବେ ଏହାପରେ ମୃତ ୪ ଟି ବଳଦ ଏବଂ ଦୁଇଟି ଗାଈଙ୍କ ଶବକୁ ବ୍ୟବଚ୍ଛେଦ କରାଯିବା ପରେ ଉକ୍ତ ଜଙ୍ଗଲରେ ପୋତି ଦିଆଯାଇଥିବା ଜଣାପଡିଛି।

ସମ୍ବନ୍ଧିତ ଖବର