ବାଙ୍ଗିରିପୋଷି: ଶୀତ-କାକର ରାତିରେ ଅଙ୍ଗନୱାଡି କେନ୍ଦ୍ର ପିଣ୍ଡାରେ କଟୁଛି ଗର୍ଭବତୀଙ୍କ ରାତି

ବାଙ୍ଗିରିପୋଷି: ବିଶ୍ବ ଶିଶୁଦିବସରେ ଶିଶୁ ଅବହେଳାର ଏକ କରୁଣ ଚିତ୍ର ସାମ୍ନାକୁ ଆସିଛି। ଜଣେ ଗର୍ଭବତୀ ମହିଳା  ଅଙ୍ଗନୱାଡି କେନ୍ଦ୍ର ପିଣ୍ଡାରେ ଦୁଇ ମାସରୁ ଅଧିକ ଦିନ ହେବ ଅତି ଦୟନୀୟ ଅବସ୍ଥାରେ ଦିନ କାଟୁଥିବା ଦୃଶ୍ୟ ଦେଖିବାକୁ ମିଳିଛି। ଏପରି ଘଟଣା ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ବ୍ଲକ୍‌ ଅଧୀନସ୍ଥ ଶ୍ୟାମସୁନ୍ଦରପୁର ପଞ୍ଚାୟତ ତଳଭାର୍ଦାଶୋଳ ଅଙ୍ଗନୱାଡି କେନ୍ଦ୍ରରେ ଦେଖିବାକୁ ମିଳିଛି।

ତଳଭାର୍ଦାଶୋଳ ଗ୍ରାମର ମହିଳା ବିରାଙ୍ଗ ସିଂହଙ୍କୁ ପରିବାର ଲୋକ ବିଶୋଇ ଅଞ୍ଚଳରେ ବିବାହ ଦେଇଥିଲେ। ମହିଳାଙ୍କର ଏକ ପୁତ୍ର ସନ୍ତାନ ଥିବାବେଳେ କୌଣସି କାରଣରୁ ତାଙ୍କ ସ୍ବାମୀ ତାଙ୍କୁ ଘରୁ ତଡ଼ି ଦେଇଥିଲେ।  ବାପାମାଆ ଛେଉଣ୍ଡ ମହିଳା ଜଣକ ନିଜ ଭାଇ ସହିତ ତଳଭାର୍ଦାଶୋଳ ଗ୍ରାମରେ ଦୀର୍ଘ ଦିନ ହେଲା ରହି ଆସୁଥିଲେ।

ତେବେ ସେହି ଗ୍ରାମର ଦୁଃଖୁ ସିଂ ନାମକ ଜଣେ ବ୍ୟକ୍ତି ତାଙ୍କ ସହ ଶାରୀରିକ ସଂପର୍କ ସ୍ଥାପନ କରିବା ପରେ ମହିଳା ଗର୍ଭବତୀ ହୋଇଥିଲେ। ହଠାତ୍ ମହିଳା ଜଣକ ଗର୍ଭବତୀ ବୋଲି ଜାଣିପାରି ଗ୍ରାମବାସୀ ଏକ ବୈଠକ କରି ଦୁଃଖୁଙ୍କୁ ମହିଳାଙ୍କ ଦାୟିତ୍ବ ନେବାକୁ କହିଥିଲେ। ଦୁଃଖୁ କିନ୍ତୁ ମହିଳାଙ୍କୁ ମାରଧର କରିବା ସହ ଘରୁ ତଡ଼ି ଦେବା ପରେ ମହିଳାଙ୍କୁ ନିଜ ଭାଇ ମଧ୍ୟ ଆଉ ଘରେ ପୂରାଇ ନଥିଲେ। ନିରୁପାୟ ହୋଇ ମହିଳା ଜଣକ ଦୁଇ ମାସରୁ ଅଧିକ ଦିନ ହେବ ତଳଭାର୍ଦାଶୋଳ ଅଙ୍ଗନୱାଡି କେନ୍ଦ୍ର ପିଣ୍ଡାରେ ଲୁଗା ଟାଙ୍ଗି ରହୁଛନ୍ତି।

ଏବେ ସେ ନଅ ମାସର ଗର୍ଭବତୀ।  ଥଣ୍ଡା କାକରରେ ନିକାଞ୍ଚନ ଜାଗାରେ ଜଣେ ଗର୍ଭବତୀ ମହିଳା ପଡ଼ି ରହିଥିଲେ ମଧ୍ୟ କାହାରି ଏଥିପ୍ରତି ଦୃଷ୍ଟି ନାହିଁ। କେବଳ ଅଙ୍ଗନୱାଡି କର୍ମୀ ସାବିତ୍ରୀ ସିଂହ ତାଙ୍କୁ ୧୫ ଦିନରେ ୬ ଟି ଅଣ୍ଡା, ଲଡୁ ଓ ଗୋଟିଏ ଛତୁଆ ପ୍ୟାକେଟ୍ ଦେଉଛନ୍ତି। ଅଧିକାଂଶ ଦିନ ଭୋକ ଓପାସରେ ଦିନ କଟୁଛି ବୋଲି ମହିଳା ଜଣକ କହିଛନ୍ତି। ହାତ ଗୋଡ଼ ଭଲ ଭାବରେ କାମ ଦେଉ ନଥିବାରୁ ବାଡ଼ି ଖଣ୍ଡିଏ ତାଙ୍କର ସାହାରା ସାଜିଛି। ଅଙ୍ଗନୱାଡି କର୍ମୀ ଆଇରନ ବଟିକା ଦେବା ସହିତ ଓଜନ କରିଛନ୍ତି । କିନ୍ତୁ ମହିଳା ଜଣକ କୌଣସି ଔଷଧ ଖାଇନାହାନ୍ତି। ଗାଁ ଲୋକଙ୍କ ଘର ଘର ବୁଲି ଖାଦ୍ୟ ମାଗି ତାହାକୁ ଖାଇ ଜୀବନ ବଞ୍ଚିଛନ୍ତି ମହିଳା ଜଣକ।

ଏ ସଂପର୍କରେ ସିଡିପିଓ ମିନତୀ ଦାଶ କହନ୍ତି ‘ମୁଁ ଏ ସଂପର୍କରେ କିଛି ଜାଣି ନାହିଁ। ନିଶ୍ଚିତ ତଦନ୍ତ କରିବି। ତେବେ ଅଙ୍ଗନୱାଡି କେନ୍ଦ୍ର ବାରଣ୍ଡାରେ ପଡିରହିଥିବା ମହିଳାଙ୍କ ବିଷୟରେ ଅଙ୍ଗନୱାଡି କର୍ମୀ ସାବିତ୍ରୀ ସିଂହ ସମସ୍ତଙ୍କୁ ଜଣାଇଛନ୍ତି ବୋଲି କହିଛନ୍ତି। ଗାଁ ଲୋକ ମହିଳାଙ୍କୁ ଅତିଶୀଘ୍ର ସୁରକ୍ଷା ଦିଆଯାଉ ବୋଲି ଥାନାରେ ଅଭିଯୋଗ କରିବେ ବୋଲି କହିଛନ୍ତି।

ସମ୍ବନ୍ଧିତ ଖବର