ଠିକ ସମୟରେ ହିଁ କାମରେ ଆସିପାରୁନାହିଁ ଅକ୍ସିଜେନ୍ ମେନିଫୋଲ୍ଡ ସିଷ୍ଟମ ବା ପ୍ଲାଣ୍ଟ୍

ବାରିପଦା: କରୋନା ମହାମାରୀର ତାଣ୍ଡବ ସମୟରେ ଅମ୍ଳଜାନର ଚାହିଦା କାହିଁରେ କଣ। ମାତ୍ର ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ୍ କଲେଜ ଏବଂ ହସ୍ପିଟାଲରେ କିନ୍ତୁ ଠିକ ସମୟରେ ହିଁ କାମରେ ଆସିପାରୁନାହିଁ ଅକ୍ସିଜେନ୍ ମେନିଫୋଲ୍ଡ ସିଷ୍ଟମ ବା ପ୍ଲାଣ୍ଟ୍। ଦୀର୍ଘ ଦିନ ହେବ ଏଠାରେ ଏହି ବ୍ୟବସ୍ଥା ସ୍ଥାପିତ ହେବାକୁ ପ୍ରକ୍ରିୟା ଜାରି ରହିଛି। ମାତ୍ର ଏଯାବତ କୌଣସି ସୁଫଳ ମିଳିପାରିନାହିଁ। ମିଳିଥିବା ସୂଚନା ଅନୁସାରେ ଏନେଇ ଆବଶ୍ୟକୀୟ ଭିତ୍ତିଭୂମି ବିକାଶ କାର୍ୟ୍ୟ ପ୍ରାୟ ୭-୮ ମାସ ପୂର୍ବରୁ ସମାପ୍ତ ହୋଇସାରିଛି। ମାତ୍ର ଏକ ଟ୍ରାନ୍ସଫର୍ମର ସଂଯୋଗ ହୋଇପାରିନଥିବାରୁ ଏହା ବିଳମ୍ବିତ ହୋଇଚାଲିଛି। ଫଳରେ ଏବେବି ରୋଗୀମାନେ ଅକ୍ସିଜେନ୍ ନିମନ୍ତେ ସିଲିଣ୍ଡର୍ ଉପରେ ନିର୍ଭରଶୀଳ।

ଏହି କାମ ନିମନ୍ତେ ନିୟୋଜିତ ଗୁରୁଗାଓଁର ଏକ ଘରୋଇ ସଂସ୍ଥା ଏମଡିଡି ମେଡିକାଲ ସିଷ୍ଟମ୍ସ ପକ୍ଷରୁ ଆବଶ୍ୟକୀୟ କାମ ସମାପ୍ତ ହୋଇଛି। ସପ୍ତାହକ ମଧ୍ୟରେ ଏହି ବ୍ୟବସ୍ଥା ପିଆରଏମରେ କାର୍ଯ୍ୟକାରୀ ହେବ ବୋଲି ହସ୍ପିଟାଲ ମ୍ୟାନେଜର ଡ. ସମୀର ରଞ୍ଜନ ମହାପାତ୍ର ସୂଚନା ଦେଇଛନ୍ତି। ଟ୍ରାନ୍ଫର୍ମର ବସିବା କାମ ଜାରି ରହିଛି। ଖୁବ୍ ଶୀଘ୍ର ଏହା ସମାପ୍ତ ହେବ ଏବଂ ଅକ୍ସିଜେନ୍ ମେନିଫୋଲ୍ଡ ସିଷ୍ଟମ କାର୍ଯ୍ୟକାରୀ ହେବ ବୋଲି ଶ୍ରୀ ମହାପାତ୍ର ପ୍ରକାଶ କରିଛନ୍ତି।

ଉଲ୍ଲେଖଯୋଗ୍ୟଯେ ପିଆରଏମରେ ଏହି ବ୍ୟବସ୍ଥା କାର୍ଯ୍ୟକାରୀ ହେଲେ ପ୍ରାୟ ୧୨୦ଟି ଜୁମ୍ବୋ ସିଲିଣ୍ଡରରେ ଅମ୍ଳଜାନ ଭର୍ତ୍ତି ହୋଇ ରହିବ। ଉକ୍ତ ସିଲିଣ୍ଡର୍ରୁ ହିଁ ହସ୍ପିଟାଲର ପ୍ରତି ଶଯ୍ୟାକୁ ଅମ୍ଳଜାନ ଯୋଗାଇଦିଆଯିବ। ଯାହାଫଳରେ ରୋଗୀମାନେ ଆଉ ମୁଭେବଲ୍ ଅକ୍ସିଜେନ୍ ସିଲିଣ୍ଡର୍ ଉପରେ ନିର୍ଭର କରିବାକୁ ପଡ଼ିବ ନାହିଁ। ରୋଗୀଙ୍କ ଶଯ୍ୟା ନିକଟକୁ ଅକ୍ସିଜେନ୍ ପାଇପ ସଂଯୋଗ ସରିଛି। କେବଳ ଏହି ବ୍ୟବସ୍ଥା କାର୍ୟ୍ୟକାରୀ ହେଲେ ରୋଗୀଙ୍କ ନିକଟକୁ ପାଇପ ଜରିଆରେ ଅମ୍ଳଜାନ ଯୋଗାଇଦିଆଯିବ। ପିଆରଏମ୍ ଭଳି ସରକାରୀ ହସ୍ପିଟାଲ ଗୁଡ଼ିକରେ ପ୍ରତ୍ୟକ ଶଯ୍ୟାକୁ ପାଇପ୍ ଜରିଆରେ ଅକ୍ସିଜେନ୍ ଯୋଗାଇଦେବା ନିମନ୍ତେ ଏମସିଆଇ ପକ୍ଷରୁ ଅର୍ଥ ବ୍ୟବସ୍ଥା କରାଯାଇଥିଲା। ଏନେଇ ଆବଶ୍ୟକୀୟ ଭିତ୍ତିଭୂମି ବିକାଶ କାମ ଦୀର୍ଘ ମାସରୁ ସରିଥିଲେ ମଧ୍ୟ କେବଳ ଏକ ଟ୍ରାନ୍ସଫର୍ମର ପାଇଁ ଏହା ବିଳମ୍ବିତ ହେବାକୁ ନେଇ ଜିଲ୍ଲାରେ ଅସନ୍ତୋଷ ଦେଖାଦେଇଛି।

ଆଦିବାସୀ ଅଧ୍ୟୁଷିତ ମୟୂରଭଞ୍ଜ ସହିତ ପଡ଼ୋଶୀ ଝାଡ଼ଖଣ୍ଡ ଏବଂ ପଶ୍ଚିମବଙ୍ଗର ହଜାର ହଜାର ଲୋକ ପିଆରଏମ ଉପରେ ସ୍ବାସ୍ଥ୍ୟସେବା ନିମନ୍ତେ ନିର୍ଭରଶୀଳ। ସେହିପରି ଜିଲ୍ଲାରେ ଆଜିକା ଦିନରେ କରୋନା ଅତ୍ୟନ୍ତ ଭୟଙ୍କର ପରିସ୍ଥିତି ସୃଷ୍ଟି କଲାଣି। ତେଣୁ ଏଠାରେ ଏଭଳି ଅକ୍ସିଜେନ୍ ମେନିଫୋଲ୍ଡ ସିଷ୍ଟମର ଆବଶ୍ୟକତା ରହିଛି। ମାତ୍ର ପ୍ରଶାସନିକ ଉଦାସୀନତା କାରଣରୁ ଏହି ବ୍ୟବସ୍ଥା କାର୍ୟ୍ୟକ୍ଷମ ହେବାରେ ବିଳମ୍ବ ହୋଇଛିବୋଲି ସାଧାରଣରେ ଅଭିଯୋଗ ହୋଇଛି। ଆଜିକା ଦିନରେ ଜିଲ୍ଲାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୬ହଜାର ୭୩ ଛୁଇଁଲାଣି। ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧିପାଉଛି। ଏଭଳିସ୍ଥଳ‌େ ଅଧିକରୁ ଅଧିକ ରୋଗୀ ଅକ୍ସିଜେନ୍ ଆବଶ୍ୟକ କରୁଛନ୍ତି। ତେବେ ବର୍ତ୍ତମାନ ସ୍ଥିତିରେ ପିଆରଏମ୍ରେ ଅକ୍ସିଜେନ୍ ଆବଶ୍ୟକତା ଅନୁସାରେ ଗଚ୍ଛିତ ଥିବା ହସ୍ପିଟାଲ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।

 

ସମ୍ବନ୍ଧିତ ଖବର