ବାରିପଦା: ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟ(ଏନଓୟୁ) ପାଇଁ ଗୌରବ ଆଣିଛନ୍ତି ଜୈବ ପ୍ରଯୁକ୍ତି ବିଭାଗର ପ୍ରାଧ୍ୟାପକ ଡ. ସୁକାନ୍ତ କୁମାର ନାୟକ। ଯୁକ୍ତରାଷ୍ଟ୍ର ଆମେରିକାର ପ୍ରତିଷ୍ଠିତ ଷ୍ଟାନଫୋର୍ଡ ବିଶ୍ୱବିଦ୍ୟାଳୟ ଦ୍ୱାରା ପ୍ରସ୍ତୁତ ବିଜ୍ଞାନର ବିଭିନ୍ନ ବିଭାଗରେ ୧ ଲକ୍ଷ ଶ୍ରେଷ୍ଠ ଗବେଷକଙ୍କ ତାଲିକାରେ ସ୍ଥାନ ପାଇଛନ୍ତି ଶ୍ରୀ ନାୟକ। ଭାରତରୁ ପ୍ରାୟ ୧ହଜାରରୁ ଉର୍ଧ୍ବ ଗବେଷକ ଏହି ତାଲିକାରେ ସ୍ଥାନ ପାଇଛନ୍ତି। ଯାହାକି ଦେଶର ଶ୍ରେଷ୍ଠ ୨ପ୍ରତିଶତ ଗବେଷକ। ଏନଓୟୁର ଜୈବ ପ୍ରଯୁକ୍ତି ବିଭାଗର ପ୍ରାଧ୍ୟାପକ ଶ୍ରୀ ନାୟକଙ୍କ ନାମ ମତ୍ସ୍ୟ ବିଭାଗର ଗବେଷଣାରେ ପ୍ରଥମ ସ୍ଥାନରେ ରହିଅଛି ।
ପ୍ରୋବାୟୋଟିକ୍ସ, ନାନୋ-ଟେକ୍ନୋଲୋଜି ବ୍ୟବହାର କରାଯାଇ ମତ୍ସ୍ୟ ରୋଗ ନିରୂପଣ ସହ ଟୀକା ପ୍ରସ୍ତୁତି ମାଧ୍ୟମରେ ପ୍ରତିଷେଧକ ବ୍ୟବସ୍ଥା ଉପରେ ଶ୍ରୀ ନାୟକ ଗବେଷଣା କରି ସଫଳତା ହାସଲ କରିଛନ୍ତି। ସେ ପ୍ରଥମେ ଭୁବନେଶ୍ୱରସ୍ଥିତ କେନ୍ଦ୍ରୀୟ ମଧୁର ଜଳ ମତ୍ସ୍ୟ ଗବେଷଣା କେନ୍ଦ୍ରରୁ ପିଏଚ୍ଡି ଏବଂ ପରବର୍ତ୍ତୀ ସମୟରେ ଜାପାନର ନିହୋନ ବିଶ୍ୱବିଦ୍ୟାଳୟରୁ ଜେଏସପିଏସ ପୋଷ୍ଟ ଡକ ଫେଲୋ ଭାବେ ଦୀର୍ଘ ୨୫ ବର୍ଷ ଧରି ଗବେଷଣା କରି ଆସୁଛନ୍ତି ।
ଏହି କୃତିତ୍ବ ପାଇଁ ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର (ଡ଼ଃ) ପ୍ରଦୀପ କୁମାର ଚାନ୍ଦ ଶ୍ରୀ ନାୟକଙ୍କୁ ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି । ଏହି ସଫଳତାର ଖବର ନେଇ ବିଶ୍ୱବିଦ୍ୟାଳୟର ଶିକ୍ଷକ ଓ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଖୁସିର ବାତାବରଣ ଖେଳିଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/11/Dr-Sukanta-Kumar-Nayak-Scientist.jpg)