ଖାକିରେ ଦାଗ, ମାନବିକତାର ମୃତ୍ୟୁ: ଆର୍ଥିକ ସହାୟତା ଦାବିରେ ଜିଲ୍ଲାପାଳଙ୍କ ସମ୍ମୁଖରେ ବିକ୍ଷୋଭ

ତିରିଂ ଥାନାଧିକାରୀଙ୍କ ଗାଡ଼ି ଧକ୍କାରେ ଗୁରୁତର ଯୁବକ ଶେଷରେ ଶେଷ ନିଶ୍ୱାସ ଛାଡ଼ିଲେ

ବାରିପଦା: ବର୍ଦ୍ଦିଧାରୀଙ୍କ ଦାଦାଗିରି କାରଣରୁ ମଙ୍ଗଳବାର ଜଣେ ନିରୀହ ଯୁବକଙ୍କୁ ମୃତ୍ୟୁର ସାମ୍ନା କରିବାକୁ ପଡ଼ିଛି। ଏହାକୁ ନେଇ ଆଜି ରାତିରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ରଣକ୍ଷେତ୍ର ପାଲଟିଛି। ମୃତଦେହକୁ ରଖି ଶତାଧିକ ବିକ୍ଷୋଭକାରୀ ଏବଂ ମୃତ ଯୁବକର ପରିବାର ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଯେଉଁ ପୁଲିସ ଅଧିକାରୀଙ୍କ ଗାଡ଼ି ଚାପାରେ ଯୁବକଙ୍କର ମୃତ୍ୟୁ ହୋଇଗଲା ସଂପୃକ୍ତ ପୁଲିସ ଅଧିକାରୀଙ୍କୁ ଚାକିରିରୁ ବହିଷ୍କାର କରାଯିବା ସହ ମୃତ ଯୁବକର ପରିବାରକୁ ୧୦ ଲକ୍ଷ ଟଙ୍କାର କ୍ଷତିପୂରଣ ଦାବିରେ ବିଳମ୍ବିତ ରାତ୍ରୀ ଯାଏ ବିକ୍ଷୋଭକାରୀମାନେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରି ରଖିବା ସହ ରାସ୍ତା ଅବରୋଧ କରିଥିଲେ। ଘଟଣାରୁ ପ୍ରକାଶ, ଗତ ନଭେମ୍ବର ୨୯ ବିଳମ୍ବିତ ରାତ୍ରୀରେ ମୟୂରଭଞ୍ଜ ଜିଲ୍ଲା ତିରିଂ ଥାନାଧିକାରୀ ଚନ୍ଦ୍ର ମୋହନ ସିଂ ବାଙ୍ଗିରିପୋଷି-କଳାବାଡ଼ିଆ ରାସ୍ତାରେ ନିଜ ମାରୁତି କାର୍‌ (ଓଡ଼ି ୧୧ ଏଚ୍‌ ୭୧୭୯) ଯୋଗେ ଦ୍ରୁତ ଗତିରେ ଯାଉଥିବାବେଳେ ଗୋଲାମୁଣ୍ଢା ପଞ୍ଚାୟତ ବେଗୁନାଡିହା ନିକଟରେ ବାଇକ୍‌ (ଓଆର୍‌-୧୧-ଏଲ୍‌-୩୫୨୭ରେ ଯାଉଥିବା ଜଣେ ଆଦିବାସୀ ଯୁବକ ମସୁଣକାନ୍ତ ନାଏକ (୩୦)ଙ୍କୁ ଧକ୍କା ଦେଇଥିଲେ।

ତିରିଂ ଥାନାଧିକାରୀ ଶ୍ରୀ ସିଂ ନିଶାସକ୍ତ ଅବସ୍ଥାରେ ଏବଂ ଦ୍ରୁତ ଗତିରେ ଗାଡ଼ି ଚାଳନା କରିବା ଫଳରେ ଭାରସାମ୍ୟ ହରାଇ ଉକ୍ତ ଯୁବକଙ୍କ ବାଇକ୍‌ ଉପରକୁ ଚଢ଼ି ଯାଇଥିଲେ। ଏହା ଫଳରେ ଯୁବକ ମସୁଣକାନ୍ତ ଗୁରୁତର ଆହତ ହୋଇ ପ୍ରଥମେ ବାରିପଦା ଓ ପରେ ଅତ୍ୟଧିକ ଗୁରୁତର ହେବା କାରଣରୁ ତାଙ୍କୁ କଟକ ବଡ଼ ଡାକ୍ତରଖାନାକୁ ପଠାଯାଇଥିଲା। ସେହିଦିନଠାରୁ ଆଜି ଗରିବ ଆଦିବାସୀ ଯୁବକ ମସୁଣକାନ୍ତ କଟକ ବଡ଼ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ। ମାତ୍ର ମଙ୍ଗଳବାର ତାଙ୍କର ପରଲୋକ ହୋଇଯାଇଛି। ଏହା ଏବେ ସମଗ୍ର ଜିଲ୍ଲା ପ୍ରଶାସନର ନୈତିକତା ଏବଂ ଦାୟିତ୍ଵବୋଧ ଉପରେ ଏକ ବିରାଟ ପ୍ରଶ୍ନବାଚୀ ଠିଆ କରିଛି। ଦୁର୍ଘଟଣା ଘଟାଇ ନିଶାସକ୍ତ ଥାନାଧିକାରୀ ଶ୍ରୀ ସିଂ ଖସିଯିବାକୁ ଉଦ୍ୟମ କରିଥିଲେ।

ନିଜକୁ ପୁଲିସ ଅଫିସର କହି ସ୍ଥାନୀୟ ଲୋକଙ୍କୁ ଧମକଚମକ ଦେଇଥିଲେ। ସ୍ଥାନୀୟ ଲୋକେ ତାଙ୍କୁ ଧରି ବାଙ୍ଗିରିପୋଷି ଥାନାରେ ଜିମା ଦେଇଥିଲେ। ଏହି ଘଟଣାରେ ସେତେବେଳେ ଥାନାଧିକାରୀ ଶ୍ରୀ ସିଂଙ୍କୁ ଗିରଫ କରାଯାଇ ଏକ ମାମଲା (ନଂ ୧୦୮/୨୦୧୭) ରୁଜୁ କରାଯାଇଥିଲା। ମାତ୍ର ଉକ୍ତ ଥାନାଧିକାରୀ ଖୁବ୍‌ କମ୍‌ ସମୟ ମଧ୍ୟରେ ଜାମିନରେ ଜେଲ୍‌ରୁ ଖଲାସ ହୋଇଯାଇଥିଲେ।

ଏମିତି ଥିଲା ଘଟଣା

ସୂଚନାଯୋଗ୍ୟ, ଏହା ପୂର୍ବରୁ ମଧ୍ୟ ସଂପୃକ୍ତ ଥାନାଧିକାରୀ ବହୂୁବାର ଦୁର୍ଘଟଣା ଘଟାଇ ବହୁ ଦନଜୀବନ କ୍ଷତି କରିଥିବାର ନଜିର ରହିଛି। ଉକ୍ତ ବର୍ଦ୍ଦିଧାରୀ ପୁଲିସ ଅଧିକାରୀ ପୂର୍ବରୁ ତିରିଂ ଥାନା ଅଞ୍ଚଳର ଅନ୍ତର୍ଯାମୀ ମହାନ୍ତ ଓ ଶୁଭେନ୍ଦୁ କୁମାର ଦାସଙ୍କୁ ଗାଡ଼ି ଧକ୍କା ଦେଇ ଗୁରୁତର କରିିଥିଲେ ଏବଂ ନେଇ ଥାନାରେ ମଧ୍ୟ ମାମଲା ରୁଜୁ ହୋଇଥିଲା। ଦୁର୍ଘଟଣା ଘଟାଇବା ପରେ ପ୍ରଥମେ ସଂପୃକ୍ତ ପୁଲିସ ଅଧିକାରୀ ଫେରାର୍‌ ହୋଇଯିବାକୁ ଉଦ୍ୟମ କରିବା, ପରେ ଏହାକୁ ଅସ୍ୱୀକାର କରିବା, ସଂପୃକ୍ତ ଆହତ ଆଦିବାସୀ ଯୁବକଙ୍କ ଚିକିତ୍ସା ନିମନ୍ତେ ଜିଲ୍ଲା ପ୍ରଶାସନ, ପୁଲିସ ପ୍ରଶାସନ ପକ୍ଷରୁ ଅଧୁଲିଟିଏ ଆର୍ଥିକ ସହାୟତା ଯୋଗେଇ ନ ଦେବା ଆଦି ଘଟଣା ଜିଲ୍ଲା ପ୍ରଶାସନର ମାନବିକତା ଉପରେ ପ୍ରଶ୍ନବାଚୀ ଉଠାଇଛି। ଜିଲ୍ଲା ପ୍ରଶାସନ ଚାହିିଁଥିଲେ ଉକ୍ତ ଆଦିବାସୀ ଯୁବକଙ୍କ ଚିକିତ୍ସା ନିମନ୍ତେ ଆର୍ଥିକ ସହାୟତା ଯୋଗେଇ ପାରିଥାନ୍ତେ, ମାତ୍ର ତାହା କରାଗଲା ନାହିଁ। ସେହିଭଳି ଜଣେ ପୁଲିସ ଅଧିକାରୀ ଏଭଳି ନାରକୀୟ ଦୁର୍ଘଟଣା ଘଟାଇବା ପରେ ମଧ୍ୟ ପୁଲିସ ପକ୍ଷରୁ କୌଣସି ଆର୍ଥିକ ସହାୟତା ମଧ୍ୟ ଯୋଗାଇ ଦିଆଗଲା ନାହିିଁ। ଏହାଫଳରେ ଅର୍ଥାଭାବରୁ ଉକ୍ତ ଆଦିବାସୀ ଯୁବକଙ୍କର ସଠିକ୍‌ ଚିକିତ୍ସା ସଂଭବପର ହୋଇପାରିଲା ନାହିିଁ। ଯାହା ଫଳରେ ଦୀର୍ଘ ୧୪ ଦିନର ଜୀବନ ସଂଗ୍ରାମ ପରେ ଉକ୍ତ ଆଦିବାସୀ ଯୁବକଙ୍କ ପ୍ରାଣବାୟୁ ଉଡ଼ିଯାଇଛି। ଜିଲ୍ଲା ପ୍ରଶାସନର ହୃଦୟଶୂନ୍ୟତା ଓ ବର୍ଦ୍ଦିଧାରୀଙ୍କ ଦାଦାଗିରି ଏବେ ସ୍ଥାନୀୟ ଲୋକଙ୍କୁ ଉତ୍ତ୍ୟକ୍ତ କରିପକାଇଥିଲା। ଯାହା ଫଳରେ ଆଜି ହଜାର ହଜାର ସଂଖ୍ୟାରେ ସ୍ଥାନୀୟ ଜନସାଧାରଣ, ମୃତ ଯୁବକଙ୍କ ପରିବାର ଓ ସଂପର୍କୀୟମାନେ ଆଜି ପ୍ରଶାସନ ବିରୋଧରେ ତାତି ଉଠିଥିଲେ।

ବଞ୍ଚାଇ ପାରିଲେନି ଡାକ୍ତର

କଟକ ବଡ଼ଡାକ୍ତରଖାନାରୁ ମୃତ ଯୁବକର ଶବ ରାତି ପ୍ରାୟ ସାଢ଼େ ୭ଟା ସମୟରେ ବାରିପଦାରେ ପହଞ୍ଚିଥିଲା। ଉତ୍ତ୍ୟକ୍ତ ଲୋକେ ଉକ୍ତ ଶବକୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ରଖି ବିକ୍ଷୋଭ ପ୍ରଦର୍ଶନ କରିବା ସହ ଟାୟାର ଜାଳି ରାସ୍ତା ଅବରୋଧ କରିଥିଲେ। ମୃତ ଯୁବକଙ୍କ ବଡ଼ଭାଇ ନିର୍ମଳକାନ୍ତି ନାଏକ ବିଚ୍‌ ରାସ୍ତାରେ କାନ୍ଦିକାନ୍ଦି ଗଡ଼ିଯାଉଥିବାର ଦୃଶ୍ୟ ସମସ୍ତଙ୍କ ହୃଦୟ ଥରାଇ ଦେଇଥିଲା। ଯେଉଁ ପୁଲିସ ଅଧିକାରୀଙ୍କ ଗାଡ଼ି ଧକ୍କାରେ ତାଙ୍କ ସାନଭାଇଙ୍କର ପ୍ରାଣ ଯାଇଛି ତୁରନ୍ତ ତାଙ୍କୁ ଚାକିରିରୁ ବହିଷ୍କାର କରାଯିବାକୁ ବଡ଼ଭାଇ ନିର୍ମଳକାନ୍ତି ଦାବି କରିଥିଲେ। ସେହିଭଳି ତାଙ୍କ ପରିବାରକୁ କ୍ଷତିପୂରଣ ବାବଦରେ ୧୦ ଲକ୍ଷ ଟଙ୍କା ପ୍ରଦାନ କରିବାକୁ ଉତ୍ତ୍ୟକ୍ତ ଜନତା ଓ ପରିବାର ପକ୍ଷରୁ ଦାବି କରାଯାଇଥିଲା।

ସମ୍ବନ୍ଧିତ ଖବର