ରାଇରଙ୍ଗପୁର/ଝରାଡ଼ିହି: ଟାଟା-ବାଦାମପାହାଡ଼ ରେଳପଥର ମରାମତି କାର୍ଯ୍ୟ ଚାଲିଥିବା ବେଳେ ଆଜି ମୟୂରଭଞ୍ଜ ଜିଲ୍ଲା ବହଳଦା ବ୍ଲକ ସୀମାନ୍ତବର୍ତ୍ତୀ ଝରାଡ଼ିହି ନିକଟରେ ଏକ ଦୁର୍ଘଟଣା ଘଟିଛି। ଏକ ଅଣ୍ଡରପାସ୍‌ ନିର୍ମାଣ ବେଳେ ହଠାତ ଏକ ବଡ଼ ମାଟି ଅତଡ଼ା ଧସି ପଡ଼ିବାରେ ମାଟି ତଳେ ଚାପି ହୋଇ ୪ଜଣ ଠିକା ଶ୍ରମିକ ଓ ଜଣେ ରେଳବାଇ ଗ୍ୟାଙ୍ଗ୍‌ମ୍ୟାନ୍‌ ଗୁରୁତର ଆହତ ହୋଇଛନ୍ତି। ୪ଜଣ ଠିକା ଶ୍ରମିକଙ୍କୁ ଝରାଡିହି ଡାକ୍ତରଖାନାରେ ଭର୍ତ୍ତିି କରାଯାଇ ଚିକିତ୍ସା କରାଯାଉଥିବା ବେଳେ ଅଧିକ ଗୁରୁତର ଥିବା ରେଳବାଇ ଗ୍ୟାଙ୍ଗମ୍ୟାନଙ୍କୁ ଜାମସେଦପୁର ଟାଟା ହସପିଟାଲ୍‌କୁ ସ୍ଥାନାନ୍ତରିତ କରାଯାଇଛି।

Advertisment

ବହଳଦା ରୋଡ୍‌ ଷ୍ଟେସନରୁ ଅଁଳାଯୋଡ଼ି ପଟେ ଅଧା କିମି ଦୂର ଯାଦବ ପୋଲ ନିକଟରେ ଅଣ୍ଡର ପାସ୍‌ ନିର୍ମାଣ ଚାଲିଛି। ବହଳଦା-ଲାଇଲମ୍‌ ଘାଟି ବାଇପାସ୍‌ ରାସ୍ତାରେ ଆଜି ଗୋଟିଏ ଦିନ ମଧ୍ୟରେ ରେଳବାଇର ଠିକାଦାର ସଂସ୍ଥା ଉକ୍ତ ଅଣ୍ଡରପାସ୍‌ କାମକୁ ସାରିବାକୁ ଚେଷ୍ଟା ଚଳାଇଥିଲା। ତେଣୁ ସ୍ଥାନୀୟ ଅଂଚଳର ବହୁ ସଂଖ୍ୟକ ଠିକା ଶ୍ରମିକ ଉକ୍ତ କାମରେ ଲାଗିଥିବା ବେଳେ ହଠାତ୍‌ ଭାଇବ୍ରେଟର ଆଘାତରେ ଏକ ବଡ଼ ମାଟି ଅତଡ଼ା ଶ୍ରମିକଙ୍କ ଉପରେ ଖସି ପଡ଼ିଥିଲା। ଏଥିରେ ଗୋପୀନାଥପୁର ଗ୍ରାମର ଗେଡ଼ା ମାହାଲି(୨୬), ମନ ମାହାଲି(୨୧), ଚାନ୍ଦରାୟ ମାହାଲି (୨୦), ରେଙ୍ଗଟ ସୋରେନ(୧୮) ଆହତ ହୋଇଥିଲେ। ମାଟି ଅତଡ଼ା ଚାପରେ ଶ୍ରମିକଙ୍କ ଅଣ୍ଟା ପର୍ଯ୍ୟନ୍ତ ମାଟି ପୋତି ହୋଇ ଯାଇଥିଲା ବୋଲି ପ୍ରତ୍ୟକ୍ଷଦର୍ଶୀମାନେ କହିଛନ୍ତି। ତେବେ ସ୍ଥାନୀୟ ଲୋକଙ୍କ ପ୍ରୟାସରେ ଗ୍ୟାଙ୍ଗମ୍ୟାନ୍‌ ୪ ଠିକା ଶ୍ରମିକଙ୍କୁ ଉଦ୍ଧାର କରି ତୁରନ୍ତ ଝରାଡିହି ଡାକ୍ତରଖାନାକୁ ଅଣାଯାଇଥିଲା। ଏଥିରେ ପିଡବ୍ଲ୍ୟୁଆଇ ଟାଟାର ଗ୍ୟାଙ୍ଗମ୍ୟାନ ରାମନାଥ କୁମାର ଗୁରୁତର ଥିବାରୁ ତାଙ୍କୁ ତତ୍‌କ୍ଷଣାତ ଟାଟା ମେମୋରିଆଲ୍‌ ହସପିଟାଲକୁ ସ୍ଥାନାନ୍ତର କରାଯାଇଥିବା ଜଣାପଡ଼ିଛି। ତିରିଂ ଥାନାର ଝରାଡ଼ିହି ଫାଣ୍ଡି ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚିଥିବା ବେଳେ ରେଳବାଇ ପକ୍ଷରୁ କୌଣସି ଅଧିକାରୀ ପହଞ୍ଚିନଥିବା ଜଣାପଡ଼ିଛି। ରେଳବାଇର ଠିକା ସଂସ୍ଥା ସଂପର୍କରେ କୌଣସି ସୂଚନା ମିଳିନଥିବା ବେଳେ ଅଘଟଣ ପରେ ଏହି ସଂସ୍ଥାର କର୍ମଚାରୀମାନେ ଘଟଣାସ୍ଥଳରୁ ଗାଏବ ହୋଇଯାଇଥିବା ସ୍ଥାନୀୟ ଅଂଚଳବାସୀ ଅଭିଯୋଗ କରିଛନ୍ତି।