ବାଲେଶ୍ୱର/ବାରିପଦା/ଭଦ୍ରକ : ଲଘୁଚାପ ଜନିତ ଲଗାଣ ବର୍ଷା ଚାଷୀଙ୍କ ମେରୁଦଣ୍ଡ ଭାଙ୍ଗି ଦେଇଛି। ଆଜି ଦିନକର ବର୍ଷାରେ ବାଲେଶ୍ୱର ଜିଲ୍ଲାର ହେକ୍ଟର ହେକ୍ଟର ଜମିରେ ଧାନ ଚାଷ ପ୍ରତି ବିପଦ ସୃଷ୍ଟି ହୋଇଛି। ଭଦ୍ରକ ଜିଲ୍ଲାର ଚାନ୍ଦବାଲି ଓ ବାସୁଦେବପୁର ଅଞ୍ଚଳରେ ଅଦିନିଆ ଲଗାଣ ବର୍ଷା ଚାଷୀଙ୍କ ଆଖିରୁ ନିଦ ହଜାଇ ଦେଇଛି। ମୟୂରଭଂଜ ଜିଲ୍ଲାର ରାଇରଙ୍ଗପୁର, କରଂଜିଆ, ଯସିପୁର, କୁସୁମି ଓ ବିଜାତଳା ଅଞ୍ଚଳର ଚାଷୀ ମୁଣ୍ଡରେ ହାତଦେଇ ବସିଛନ୍ତି। ଧାନ ଅମଳ ବେଳେ ଏ ଅଦିନିଆ ବର୍ଷା ଏମିତି କ୍ଷତି କରିବ ବୋଲି ଚାଷୀ ସ୍ୱପ୍ନରେ ବି ଭାବିନଥିଲେ। ହେଲେ ତାହା ହିଁ ହୋଇଛି।
Sambad is now on WhatsApp
Join and get latest news updates delivered to you via WhatsApp
ଗତକାଲି ବିଭିନ୍ନ ସ୍ଥାନରେ ଝିପିଝିପି ବର୍ଷା ହୋଇଥିଲା। ହେଲେ ଆଜି ସକାଳଠୁ ଆରମ୍ଭ ହୋଇଥିବା ବର୍ଷା ଦିନତମାମ ଲାଗି ରହିଛି। ବାଲେଶ୍ୱରର ବାହାନଗା ଓ ନୀଳଗିରି ବ୍ଲକରେ ସର୍ବାଧିକ ୭ ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ଔପଦା ଓ ଭୋଗରାଇରେ ୬ ମିଲିମିଟର ବର୍ଷା ହୋଇଛି। ଜିଲ୍ଲାରେ ଏବର୍ଷ ମୋଟ୍ ୨ ଲକ୍ଷ ୧୦ ହେକ୍ଟର ଜମିରେ ଧାନ ଚାଷ ହୋଇଛି। ସେଥିମଧ୍ୟରୁ ନୀଳଗିରି ଓ ଔପଦାର ପାହାଡତଳି ଅଞ୍ଚଳର ମାତ୍ର ୫୦୦ ହେକ୍ଟର ଜମିରୁ ଅମଳ ସରିଛି। ନଭେମ୍ବର ଦ୍ୱିତୀୟ ଓ ତୃତୀୟ ସପ୍ତାହରେ ଏ ସବୁ ଅଞ୍ଚଳର ଧାନ ଅମଳ ହେବାକଥା। ହେଲେ ତା’ ପୂର୍ବରୁ ଲଗାଣ ବର୍ଷା ଏମିତି ଦାଉ ସାଧିଲା ଯେ ଅମଳ ଆଶା ଉଭେଇ ଯାଇଛି। ଆଜି ଜିଲ୍ଲାରେ ମୋଟ୍ ୧୫୫ ମିଲିମିଟର ବର୍ଷା ରେକର୍ଡ କରାଯାଇଛି।ଏହି ଦିନକର ବର୍ଷାରେ ଉତ୍ତର ବାଲେଶ୍ୱରର ଅନେକ ଅଞ୍ଚଳର ଚାଷଜମି ପ୍ରଭାବିତ ହୋଇପାରେ ବୋଲି ଜିଲ୍ଲା ଉପ କୃଷି ନିର୍ଦ୍ଦେଶକ ଆଶଙ୍କା ପ୍ରକଟ କରିଛନ୍ତି।
ସେପଟେ ଜିଲ୍ଲାପାଳ ଆଜି କୃଷି ବିଭାଗ ସମେତ ବ୍ଲକସ୍ତରୀୟ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି। ବର୍ଷାଜନିତ କ୍ଷୟକ୍ଷତି କିଭଳି କମ୍ ହେବ, ସେ ନେଇ ତୁରନ୍ତ ପଦକ୍ଷେପ ନେବାକୁ ପରାମର୍ଶ ଦିଆଯାଇଛି। ଔପଦା ଓ ନୀଳଗିରିକୁ ବାଦ୍ ଦେଇ ଜିଲ୍ଲାର ଅନ୍ୟ ସବୁ ବ୍ଲକରେ ଡିସେମ୍ବର ୧୫ ପରେ ଧାନକଟା ହେବାକୁ ଥିବାରୁ ବର୍ଷାର ପ୍ରଭାବ ସେତେଟା ପଡ଼ିବନାହିଁ ବୋଲି ଜିଲ୍ଲା ପ୍ରଶାସନ ସୂଚନା ଦେଇଛି।
ଭଦ୍ରକ ଜିଲ୍ଲା ପ୍ରତିନିଧିଙ୍କଠାରୁ ମିଳିଥିବା ସୂଚନା ମୁତାବକ ଲଗାଣ ବର୍ଷାରେ ବାସୁଦେବପୁର ଓ ଚାନ୍ଦବାଲି ବ୍ଲକ ଅଧିକ କ୍ଷତିଗ୍ରସ୍ତ ହେବାର ଆଶଙ୍କା ଦେଖା ଦେଇଛି। ଅଦିନିଆ ଲଗାଣ ବର୍ଷାରେ ପ୍ରାୟ ୨୦ ହଜାର ହେକ୍ଟର ଜମିର ଧାନ ଫସଲ ନଷ୍ଟ ହୋଇପାରେ ବୋଲି ଆଶଙ୍କା କରୁଛି ଜିଲ୍ଲା ପ୍ରଶାସନ। ଏବର୍ଷ ଭଦ୍ରକ ଜିଲ୍ଲାର ୭ଟି ବ୍ଲକର ୧ ଲକ୍ଷ ୬୦ ହଜାର ହେକ୍ଟର ଜମିରେ ଧାନଚାଷ ହୋଇଛି। ବର୍ତ୍ତମାନ ସୁଦ୍ଧା ୧୦ ପ୍ରତିଶତ ଜମିରୁ ଅମଳ ହୋଇଛି। ବାକି ୯୦ ପ୍ରତିଶତ ଜମିର ଧାନ ଚାଷ ଉପରେ କୁପ୍ରଭାବ ପଡ଼ିପାରେ ବୋଲି ଆଶଙ୍କା କରାଯାଉଛି। ଜିଲ୍ଲାର ଧାମନଗର, ବନ୍ତ, ତିହିଡି, ଭଣ୍ଡାରୀପୋଖରୀ ଓ ସାଳନ୍ଦୀ କୂଳିଆ ଅଞ୍ଚଳରେ ବର୍ଷା ପ୍ରଭାବରେ ଧାନ ନଷ୍ଟ ହେବାନେଇ ଚିନ୍ତାବ୍ୟକ୍ତ କରିଛନ୍ତି ସ୍ଥାନୀୟ ଚାଷୀ। ଅନେକ ସ୍ଥାନରେ ଧାନଗଛ ଠିଆ ହୋଇ ରହିଛି। ପବନ ନହେଲେ ଫସଲ କ୍ଷତି ସମ୍ଭାବନା କମ୍ ବୋଲି ଜିଲ୍ଲା ପ୍ରଶାସନ କହିଛି।
ବାରିପଦା ଓ ରାଇରଙ୍ଗପୁର ଜିଲ୍ଲା ପ୍ରତିନିଧିଙ୍କ ସୂଚନା ମୁତାବକ ଲଗାଣ ବର୍ଷା ମୟୂରଭଞ୍ଜ ଜିଲ୍ଲାର ବିଭିନ୍ନ ସ୍ଥାନରେ ବ୍ୟାପକ ଫସଲହାନିର ଆଶଙ୍କା ସୃଷ୍ଟି କରିଛି। ଜିଲ୍ଲାର ମୋଟ୍ ୨୬ଟି ବ୍ଲକର ୪ ଲକ୍ଷ ହେକ୍ଟରରୁ ଅଧିକ ଜମିରେ ଏବର୍ଷ ଧାନଚାଷ ହୋଇଥିଲା। ଅଧିକାଂଶ ଜମିରେ ଧାନ ଫସଲ କଟାହୋଇ ବିଲରେ ପଡିରହିଛି। ଏତିକି ବେଳେ ଲଗାଣ ବର୍ଷା ଯୋଗୁଁ ଫସଲ ଅଧିକ କ୍ଷତିଗ୍ରସ୍ତ ହେବାର ଆଶଙ୍କା ଦେଖା ଦେଇଛି।