ରାଇରଙ୍ଗପୁର: ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ନିର୍ବାଚନ ମଣ୍ଡଳୀରେ ରାଜନୈତିକ ସମୀକରଣ ଧୀରେ ଧୀରେ ବଦଳିବାରେ ଲାଗିଛି। ଆଗକୁ ବିଜେପି-ବିଜେଡି ମଧ୍ୟରେ କଡ଼ା ଟକ୍କର ହେବାର ଆଭାସ ମିଳୁଛି। ଗୋଟିଏ ପଟେ ବିଜେଡି ନିଜ ଦୁର୍ଗକୁ ସଜାଡ଼ିବାରେ ଲାଗିଥିବା ବେଳେ ଅନ୍ୟପଟେ ବିଜେପି ଭୋଟ୍ ବ୍ୟାଙ୍କକୁ ବାନ୍ଧି ରଖିବାକୁ ଆପ୍ରାଣ ଚେଷ୍ଟା ଚଳାଇଛି। ରାଇରଙ୍ଗପୁର ସହର ସମେତ ନିର୍ବାଚନ ମଣ୍ଡଳୀରେ ବିଜେପି ଅପେକ୍ଷାକୃତ ସୁଦୃଢ଼ ଥିବାରୁ ବିଜେଡି ପାଇଁ ଦୁର୍ଗ ଭେଦ କରିବା ଚ୍ୟାଲେଞ୍ଜ ପାଲଟି ଯାଇଛି। ମେଣ୍ଟ ପରେ ରାଇରଙ୍ଗପୁର ଆସନଟି ଜେଏମ୍ଏମ୍ ଖାତାକୁ ଯାଇଛି। ଏହାପରେ କଂଗ୍ରେସର ଭୋଟ ବ୍ୟାଙ୍କ ଉପରେ ସବୁ ଦଳର ନଜର ରହିଛି। ଜେଏମ୍ଏମରେ ଟିକେଟ୍ ବଣ୍ଟନ ମତଭେଦରୁ ବିଜେଡି ଫାଇଦା ମାରିଛି। ସେହିପରି ଅବସରପ୍ରାପ୍ତ ପ୍ରଫେସର ଡ. ପ୍ରମୋଦ ମହାନ୍ତ ଆଜି ବିଜେଡିରେ ଯୋଗ ଦେଇଛନ୍ତି। ରାଇରଙ୍ଗପୁର ସହର ସମେତ ଆଖପାଖରେ ଡ. ମହାନ୍ତଙ୍କ ଭାବମୂର୍ତ୍ତି ବିଜେଡିକୁ ବେଶ୍ ଫାଇଦା ପହଞ୍ଚାଇବ ବୋଲି ଚର୍ଚ୍ଚା ହେଉଛି। ଆଜି ବାରିପଦାଠାରେ ଜେଏମ୍ଏମର ଟାଣୁଆ ନେତା ତଥା ବାମନଘାଟୀ ସଭାପତି ହରେକୃ୍ଷ୍ଣ ମଣ୍ଡଳ ବହୁ ସମର୍ଥକଙ୍କ ସହ ବିଜେଡିରେ ମିଶିଥିଲେ। ଏହି ଅବସରରେ ମୟୂରଭଞ୍ଜ ଲୋକସଭା ପ୍ରାର୍ଥୀ ଡା. ଦେବାଶିଷ ମାର୍ଣ୍ଡି, ଜିଲ୍ଲା ସଭାପତି ଦେବାଶିଷ ମହାନ୍ତି, ବାରିପଦା ବିଧାନସଭା ପ୍ରାର୍ଥିନୀ ସରୋଜିନୀ ହେମ୍ବ୍ରମ୍, ଜିଲ୍ଲା ଉପସଭାପତି ଈଶାନ ମିଶ୍ର, ପର୍ଯ୍ୟବେକ୍ଷକ ମାନସ ରଂଜନ ମଲ୍ଲିକ, ଜିଲ୍ଲା ବିଜେଡି ସଂପାଦକ ପାର୍ଥସାରଥୀ କବି, ବହଳଦା ବ୍ଲକ ସଭାପତି ରାଜେନ୍ଦ୍ର ମଲ୍ଲିକ, ସଚ୍ଚିନ୍ଦ୍ର ଦାଶ, ଯୁବନେତା ଗଣେଶ ମିଶ୍ର, ତିରିଂ ବ୍ଲକ ଅଧ୍ୟକ୍ଷା ଜେମାମଣି ଶୁଣ୍ଡି ପ୍ରମୁଖ ଉପସ୍ଥିତ ଥିଲେ।
ଗତ ୨୦୦୦ ଓ ୨୦୦୪ ମସିହାରେ ବିଜେପି-ବିଜେଡି ମେଣ୍ଟ ସରକାର ବେଳେ ଏହି ଆସନରୁ ଦୌପଦୀ ମୁର୍ମୁ ବିଧାୟିକା ଭାବେ ନିର୍ବାଚିତ ହୋଇ ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇଥିଲେ। ଗତ ୨୦୧୪ ନିର୍ବାଚନରେ ବିଜେପି ପ୍ରାର୍ଥିନୀ ଦୌପଦୀ ମୁର୍ମୁଙ୍କୁ ୩୫,୫୦୬ ଖଣ୍ଡ ଭୋଟ ମିଳିଥିବା ବେଳେ ବିଜେଡିର ବିଧାୟକ ସାଇବା ସୁଶିଲ ହାଁସଦାଙ୍କୁ ୫୧,୦୬୨ ଖଣ୍ଡ ଭୋଟ୍ ମିଳିଥିଲା। ଚଳିତ ନିର୍ବାଚନରେ ବିଜେପିରୁ ନବଚରଣ ମାଝୀ ପ୍ରାର୍ଥୀ ହୋଇଛନ୍ତି। ବିଧାୟକ ଶ୍ରୀ ହାଁସଦାଙ୍କ ଟିକେଟ୍ କାଟି ବାସନ୍ତୀ ମାର୍ଣ୍ଡିଙ୍କୁ ବିଜେଡି ପ୍ରାର୍ଥୀ କରିଛି।
ତେବେ ଗତ ୨୦୧୭ ପଞ୍ଚାୟତ ନିର୍ବାଚନରେ ବିଜେପିର ଭୋଟ୍ ବ୍ୟାଙ୍କ ଅଭୂତପୂର୍ବ ଭାବେ ବୃଦ୍ଧି ପାଇଥିଲା। ରାଇରଙ୍ଗପୁର ନିର୍ବାଚନ ମଣ୍ଡଳୀର ୮ଟି ଜିଲ୍ଲା ପରିଷଦ ଆସନରୁ ୭ଟିରେ ବିଜେପିକୁ ସଫଳତା ମିଳିଥିଲା। ରାଇରଙ୍ଗପୁର ନିର୍ବାଚନ ମଣ୍ଡଳୀରୁ ବିଜେପି ଖାତାରେ ୬୫,୪୦୫ ଖଣ୍ଡ, ବିଜେଡି ଖାତାରେ ୪୭,୯୩୩ ଖଣ୍ଡ, ଜେଏମ୍ଏମକୁ ୨୨,୯୫୬ ଖଣ୍ଡ, କଂଗ୍ରେସକୁ ମାତ୍ର ୬,୮୩୨ ଖଣ୍ଡ ଭୋଟ୍ ମିଳିଥିଲା। ବିଜେପି ଭୋଟ୍ ବ୍ୟାଙ୍କକୁ ବାନ୍ଧି ରଖିବାକୁ ଜୋର୍ଦାର ପ୍ରୟାସ ଜାରି ରଖିଥିବା ବେଳେ ବିଜେଡି ବିରୋଧୀ ଶିବିରରେ ପଶି ଭୋଟ ବ୍ୟାଙ୍କ ବଢ଼ାଇବାକୁ ଚେଷ୍ଟା ଚଳାଇଛି।
ସୂଚନାଯୋଗ୍ୟ; ରାଇରଙ୍ଗପୁର ନିର୍ବାଚନ ମଣ୍ଡଳୀରେ ଗତ ୨୦୦୯ ନିର୍ବାଚନରେ କଂଗ୍ରେସର ଶ୍ୟାମ ଚରଣ ହାଁସଦା ମାତ୍ର ୨୪,୭୯୨ ଖଣ୍ଡ ଭୋଟ୍ ପାଇ ବିଧାୟକ ଭାବେ ବିଜୟୀ ହୋଇଥିଲେ। ତେବେ ୨୦୧୪ ନିର୍ବାଚନରେ କଂଗ୍ରେସ ଖାତାରେ ମାତ୍ର ୧୯,୦୭୫ ଖଣ୍ଡ ଭୋଟ୍ ପଡ଼ିବାରୁ ଚତୁର୍ଥ ସ୍ଥାନକୁ ଖସି ଯାଇଥିଲା। ଚଳିତ ନିର୍ବାଚନରେ କଂଗ୍ରେସର ଚିହ୍ନ ରହୁ ନଥିବାରୁ ଏହି ଭୋଟ୍ ବ୍ୟାଙ୍କ ଅନ୍ୟଦଳର ଖାତାକୁ ଯିବାର ସମ୍ଭାବନା ରହିଛି। ପୂର୍ବରୁ କଂଗ୍ରେସ-ଜେଏମ୍ଏମ୍ ମେଣ୍ଟକୁ ବିରୋଧ କରି କଂଗ୍ରେସର ବରିଷ୍ଠ ନେତାଙ୍କ ସମେତ ଜୋନ୍ କମିଟି ସଭାପତିମାନେ ସମୂହ ଇସ୍ତଫା ଦେଇଛନ୍ତି। ଏଭଳି ପରିସ୍ଥିତିରେ କଂଗ୍ରେସର ଭୋଟ୍ ବ୍ୟାଙ୍କକୁ ହାତେଇବା ପାଇଁ ଉଭୟ ବିଜେଡି ଓ ବିଜେପି ଜୋରଦାର ପ୍ରୟାସ ଜାରି ରିଖିଛନ୍ତି। ଏହି ଭୋଟ୍ ବ୍ୟାଙ୍କକୁ ହାତେଇବାରେ ଯେଉଁ ଦଳ ସକ୍ଷମ ହେବ ୨୦୧୯ ନିର୍ବାଚନରେ ବିଜୟ ମୁକୁଟ ତାଙ୍କ ମୁଣ୍ଡରେ ରହିବ ବୋଲି ରାଜନୈତିକ ସମୀକ୍ଷକମାନେ ଆକଳନ କରିଛନ୍ତି।
ରାଇରଙ୍ଗପୁର ନିର୍ବାଚନ ମଣ୍ଡଳୀ:ଦୁର୍ଗ ସଜାଡ଼ୁଛି ବିଜେଡି; ଯୋଡ଼ିହେଲେ ନେତା ଓ ବୁଦ୍ଧିଜୀବୀ
ଭୋଟ୍ ବ୍ୟାଙ୍କ ବଞ୍ଚାଇବାକୁ ବିଜେପିର କସରତ;କଂଗ୍ରେସ ଭୋଟ୍ ଉପରେ ସଭିଙ୍କ ନଜର
/sambad/media/post_attachments/wp-content/uploads/2019/04/mayur-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)