ନାବାଳିକା ଗଣଦୁଷ୍କର୍ମ ମାମଲାରେ ଦୃଷ୍ଟାନ୍ତମୂଳକ ରାୟ : ଦୁଇ ଅଭିଯୁକ୍ତଙ୍କୁ ୨୦ ବର୍ଷ ଜେଲ୍‌

ବାରିପଦା : ୨ ଏପ୍ରିଲ୍‌ ୨୦୧୫ ମସିହାରେ ରାଇରଙ୍ଗପୁର ଟାଉନ ଥାନା ଅଧୀନରେ ଘଟିଥିବା ବହୁଚର୍ଚ୍ଚିତ ନାବାଳିକା ଗଣଦୁଷ୍କର୍ମ ମାମଲାରେ ଶିଶୁ ଅଦାଲତ, ବାରିପଦା ଆଜି ଦୃଷ୍ଟାନ୍ତମୂଳକ ରାୟ ଶୁଣାଇଛନ୍ତି। ଦୁଇ ଅଭିଯୁକ୍ତ ତିଳପୋଷି ଗ୍ରାମର ରଞ୍ଜନ ମହାନ୍ତ (୩୩) ଏବଂ ନୂଆ ଗାଁର ତପନ ମହାନ୍ତ (୨୪)ଙ୍କୁ ଧାରା ୩୭୬(ଘ) ଆଧାରରେ ୨୦ ବର୍ଷ ଜେଲ ଦଣ୍ଡାଦେଶ ହୋଇଛି। ଏହା ସହିତ ୨୫ ହଜାର ଟଙ୍କା ଜରିମାନା କିମ୍ବା ଜରିମାନା ଅନାଦେୟ ୧ ବର୍ଷ ୩ମାସ ଅତିରିକ୍ତ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି ବିଚାରପତି ସମର ବିଳାସ ବେହେରା।

ଉଲ୍ଲେଖଯୋଗ୍ୟ ଯେ ୨୦୧୫ ଏପ୍ରିଲ୍‌ ୨ରେ ନାବାଳିକା ଜଣଙ୍କ ସନ୍ଧ୍ୟା ପ୍ରାୟ ସାଢ଼େ ୬ଟାରେ ସାଇକେଲ୍‌ରେ ପମ୍ପ ଦେବାକୁ ବଜାରକୁ ଆସିଥିଲେ। ତେବେ ଅଭିଯୁକ୍ତମାନେ ତାଙ୍କୁ ଏକୁଟିଆ ପାଇ ଗଣଧର୍ଷଣ କରିଥିଲେ। ଏହି ମାମଲାରେ ପୁଲିସ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରି ଅଦାଲତରେ ଚାର୍ଜସିଟ୍‌ ଦାଖଲ କରିଥିଲା। ଶେଷରେ ଅଦାଲତ ୯ଜଣଙ୍କ ବୟାନକୁ ଭିତ୍ତି କରି ଏବଂ ଡାକ୍ତରୀ ରିପୋର୍ଟକୁ ପ୍ରମାଣ ରୂପେ ଗ୍ରହଣ କରି ଦୁଇ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହ ଏଭଳି ଦଣ୍ଡାଦେଶ ଶୁଣାଇଛନ୍ତି।

ସମ୍ବନ୍ଧିତ ଖବର