ରାଇରଙ୍ଗପୁର: ୨୨୦ ନଂ ଜାତୀୟ ରାଜପଥରେ ପୁଣି ଦୁର୍ଘଟଣା ଘଟିଛି। ବାଇକ୍‌ ଉପରେ ଟ୍ରକ୍‌ ଚଢ଼ିଯାଇଛି। ଏହି ଦୁର୍ଘଟଣାରେ ବାପାର ଆଖି ଆଗରେ ପୁଅର ଜୀବନ ଯାଇଛି। ମୃତ ଯୁବକ ହେଲେ ଅକ୍ଷୟ ମହାକୁଡ଼ (୨୨)। 

Advertisment

ସୂଚନା ଅନୁଯାୟୀ ଝାଡ଼ଖଣ୍ଡର ଷଢ଼େଇଖଳା ନିକଟସ୍ଥ ଦୁମୁଡିହି ଗ୍ରାମର ରୁଦ୍ର ମହାକୁଡ ଓ ତାଙ୍କର ପୁଅ ଅକ୍ଷୟ ମହାକୁଡ଼ ଆଜି ମୟୂରଭଞ୍ଜଜିଲ୍ଲା ଅନ୍ତର୍ଗତ ବାଦାମପାହାଡ ଥାନା ଅନ୍ତର୍ଗତ ସାତପଉଟିଆ ଗାଁକୁ ଏକାଦଶାହ କାର୍ଯ୍ୟକ୍ରମରେ ଯୋଗଦେବାକୁ ଆସୁଥିଲେ। ସେମାନେ ବାଇକରେ ଯିବା ବେଳେ ରାଇରଙ୍ଗପୁର ଟାଉନ ଥାନା ଅନ୍ତର୍ଗତ ଦାଣ୍ଡବୋଷ ନିକଟରେ ଏକ ଭାରିଯାନକୁ ସାଇଡ୍ ଦେବାକୁ ଯାଇ ବୁଲେଟ୍‌ ଚାଳକଙ୍କ ଦୁର୍ଘଟଣାର ଶିକାର ହୋଇଥିଲେ। ଉକ୍ତ ବୁଲେଟ୍‌ରେ ବାପ ପୁଅ ଦୁଇଜଣ ଥିଲେ। ଘଟଣା ଘଟିବାର କିଛି ସମୟ ପରେ ସ୍ଥାନୀୟ ଲୋକେ ଘଟଣା ସମ୍ପର୍କରେ ଖବର ଦେବା ପରେ ପୁଲିସ ପହଁଞ୍ଚି ଗୁରୁତର ବାପପୁଅଙ୍କୁ ଉଦ୍ଧାର କରି ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। 

ତେବେ ଡାକ୍ତରଖାନାରେ ଯୁବକଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ଗୁରୁତର ବାପାଙ୍କୁ ପଣ୍ଡିତ ରଘୁନାଥ ମୁର୍ମୁ ମେଡ଼ିକାଲ କଲେଜ ଓ ହସ୍ପିଟାଲକୁ ସ୍ଥାନାନ୍ତର କରିଥିଲେ। ଏନେଇ ରାଇରଙ୍ଗପୁର ଟାଉନ୍ ଥାନାରେ ଏକ ମାମଲା ରୁଜୁ ହୋଇଛି।