ବିକାଶ ପାଇଁ ବର୍ଷକୁ ୩୦୦ କୋଟି: ତଥାପି ବଦଳୁନି ଗାଁର ଭୌଗୋଳିକ ଚିତ୍ର

ବାରିପଦା: ମୟୂରଭଞ୍ଜ ଜିଲ୍ଲାରେ ପାଖାପାଖି ୭୦ ପ୍ରତିଶତ ଜନଜାତି ସମ୍ପ୍ରଦାୟ ଲୋକ ବାସ କରନ୍ତି। ଗ୍ରାମାଞ୍ଚଳର ବିକାଶ ନିମନ୍ତେ ବର୍ଷକୁ ୩୦୦ କୋଟି ଟଙ୍କା ଅନୁଦାନ ସରକାର ଯୋଗାଇ ଦେଉଛନ୍ତି। ତଥାପି ବଦଳୁନି ଗାଁର ଭୌଗୋଳିକ ଚିତ୍ର। ଏବେ ବି ଶତାଧିକ ଗାଁକୁ ଭଲ ରାସ୍ତାଟିଏ ନାହିଁ। ଆବାସ ଗୃହ ମିଳୁ ନଥିବାରୁ ଚାଳଛପର ଘରେ ଲୋକେ ଦିନ କାଟୁଛନ୍ତି। ବିଜୁଳି ଓ ସ୍ବାସ୍ଥ୍ୟସେବା ବି ସ୍ବପ୍ନ ପାଲଟିଛି।
ବର୍ଷକ ପୂର୍ବେ ଜିଲ୍ଲାର ୨୧୧ଟି ଗାଁକୁ ଭଲ ରାସ୍ତା ଓ ୧ ହଜାର ୩୫୦ ଗାଁକୁ ବିଦ୍ୟୁତ ଯାଇ ନଥିବା ସରକାରୀ ରିପୋର୍ଟରୁ ଜଣାପଡ଼ିଥିଲା। ଏହା ମଧ୍ୟରେ ୨୧୧ରୁ ୧୦୨ଟି ଗାଁକୁ ରାସ୍ତା ନିର୍ମାଣ ହୋଇସାରିଛି। ଆଉ ୧ହଜାର ୩୫୦ ଗାଁରୁ ୬୩୨ଟି ଗାଁକୁ ବିଦ୍ୟୁତ ସଂଯୋଗ ହୋଇଥିବା ସରକାରୀ ତଥ୍ୟ କହୁଛି। ବାସ୍ତବ ଚିତ୍ର କିନ୍ତୁ ଓଲଟା ଜଣାପଡ଼ିଛି।
ବିଶୋଇ ବ୍ଲକ୍‌ ଚିତାବେଡ଼ା ପଞ୍ଚାୟତର ଡୁଙ୍ଗୁରସାହିରେ ୨୦ରୁ ଉର୍ଦ୍ଧ୍ବ ପରିବାରରେ ପ୍ରାୟ ୭୦ରୁ ଅଧିକ ଲୋକ ବାସ କରନ୍ତି। ପ୍ରାୟ ସମେସ୍ତ ଆଦିବାସୀ ଶ୍ରେଣୀର। ଗାଁକୁ ଭଲ ରାସ୍ତାଟିଏ ନାହିଁ। କାହାର ଦେହ ଖରାପ ହେଲେ, ଭଗବାନଙ୍କୁ ଡାକିବା ଛଡ଼ା ଅନ୍ୟ କିଛି ଉପାୟ ନାହିଁ। ଗାଁ ନାଁ ଶୁଣିଲେ ଆମ୍ବୁଲାନସ ନେବାକୁ ଡ୍ରାଭଇର ରୋକଠୋକ୍ ମନା କରି ଦେଉଥିବା ଗ୍ରାମବାସୀ କହିଛନ୍ତି। ସେହିପରି ମୁଣ୍ଡ ଗୁଞ୍ଜିବାକୁ କାହାରିକୁ ଆବାସ ଘରଟିଏ ମିଳୁନି। ସାହିବାସିନ୍ଦା ଦୟନୀୟ ଅବସ୍ଥାରେ କାଠଘେରା କୁଡିଆ କିମ୍ବା ଜରିପାଲ ଟଣା ଭଙ୍ଗା ଦଦରା ଘରେ ରହିବାକୁ ବାଧ୍ୟ ହେଉଛନ୍ତି। ଗାଁରେ ବୃଦ୍ଧବୃଦ୍ଧାଙ୍କୁ ଭତ୍ତା ସାତସପନ ପାଲଟିଛି। କିନ୍ତୁ ସରକାରୀ ନଥିରେ ଓଲଟା ତଥ୍ୟ। ଡୁଙ୍ଗୁରସାହିକୁ ରାସ୍ତା ହୋଇଛି। ଆଉ ସରକାରୀ ଯୋଜନା ସବୁ ପହଞ୍ଚୁଛି ବୋଲି ‌ଉଲ୍ଲେଖ କରାଯାଇଛି। ଡୁଙ୍ଗୁରୁସାହି ଭଳି ଜିଲ୍ଲାରେ ଶତାଧିକ ଗାଁ ରହିଛି ଯେଉଁଠି ବିକାଶ ଏବେ ବି ଅପହଞ୍ଚ ହୋଇପଡ଼ିଛି। ଜିଲ୍ଲାରେ ଗାଁଗୁଡ଼ିକର ବିକାଶ ନିମନ୍ତେ ପୂର୍ବରୁ ବିଭିନ୍ନ ଯୋଜନାରେ ବର୍ଷକୁ ୧୦୦ କୋଟି ଟଙ୍କାର ଅନୁଦାନ ଆସୁଥିଲା। ଏହି ବର୍ଷ ମଧ୍ୟ‌ରେ ଅନୁଦାନ ୩ ଗୁଣ ବଢି ବର୍ଷକୁ ୩୦୦ କୋଟି ଟଙ୍କା ଅନୁଦାନ ଆସୁଛି। ଏହାବାଦ୍ ମୋ ଓଡିଶା, ନବୀନ ଓଡିଶା ଯୋଜନାରେ ପ୍ରତି ପଞ୍ଚାୟତକୁ ୫୦ ଲକ୍ଷ ଟଙ୍କାର ଅନୁଦାନ ଯୋଗାଇ ଦିଆଯାଇଛି। ଏହି ଅର୍ଥ କିଭଳି ଖର୍ଚ୍ଚ ହେବ ତାହାର ରୂପରେଖ ପ୍ରସ୍ତୁତ ହୋଇସାରିଛି। ଏମିତି କାମ କାଳେ ଆରମ୍ଭ ହେଲାଣି ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି। ଯେଉଁଥିରେ ଜନପ୍ରତିନିଧିଙ୍କୁ ସାମିଲ କରାଯାଇନାହିଁ ନଥିବାରୁ ଅର୍ଥ ଠିକ୍ ଭାବେ ବିନିଯୋଗ ହେବା ନେଇ ସନ୍ଦେହ ସୃଷ୍ଟି ହୋଇଛି। ସରକାରୀ ଅର୍ଥର ଅଧା ହରିଲୁଟ୍ ହେଉଛି ବୋଲି ଆଦିବାସୀ ନେତା ରାକେଶ କୁମାର ସିଂ କହିଛନ୍ତି। ଶିକ୍ଷା ଅଭାବରୁ ଲୋକେ ସରକାରୀ ଯୋଜନା ସମ୍ପର୍କରେ କିଛି ଜାଣି ପାରୁନାହାନ୍ତି। କେହି ସେମାନଙ୍କୁ ସଚେତନ କରାଉନାହାନ୍ତି କି ସରକାରୀ ବାବୁମାନଙ୍କ ପାଦ ସେସବୁ ଗାଁରେ ପଡ଼ୁନାହିଁ। ପଞ୍ଚାୟତ ନିର୍ବାହୀ ଅଧିକାରୀ ଓ ଜିଆରଏସ୍‌ଙ୍କୁ ଦାୟିତ୍ବ ଦେଇ ବିଡିଓମାନେ ଅଚିନ୍ତାରେ ବସି ଯାଉଛନ୍ତି। ତେବେ ବିକାଶ ଛୁଇଁ ପାରିନଥିବା ମୟୂଭରଞ୍ଜ ଜିଲ୍ଲାର ଗାଁଗୁଡ଼ିକରେ ଭୌଗୋଳିକ ଚିତ୍ର କେବେ ବଦଳୁଛି, ତାହା ଦେଖିବାକୁ ବାକି ରହିଲା।

ସମ୍ବନ୍ଧିତ ଖବର