ରାଇରଙ୍ଗପୁର: ମୟୂରଭଞ୍ଜ ଜିଲ୍ଲାର ଆଦିବାସୀ ଭୋଟ୍ ବ୍ୟାଙ୍କ ହାତେଇବାକୁ ସବୁ ରାଜନୈତିକ ଦଳ ଜୋର ଲଗାଉଛନ୍ତି। ଏଥିପାଇଁ ଜେଏମ୍ଏମ୍ ତାର ପାରମ୍ପରିକ ଭୋଟ୍ ବ୍ୟାଙ୍କକୁ ବାନ୍ଧି ରଖିବାକୁ ଜୋର ଲଗାଉଛି। ଜେଏମ୍ଏମ୍ ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବୁ ସୋରେନଙ୍କ ସମେତ ପୂବର୍ତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ମଧ୍ୟ ଆଦିବାସୀ ଭୋଟ୍ ବ୍ୟାଙ୍କ ହାତେଇବାକୁ ମାରାଥନ୍ ପ୍ରଚାରରେ ଲାଗିଛନ୍ତି। ଏଥର ମୟୂରଭଞ୍ଜ ଲୋକସଭା ଆସନରୁ ଗୁରୁଜୀ ଶିବୁ ସୋରେନଙ୍କ ଝିଅ ଅଞ୍ଜନୀ ସୋରେନ ଲଢ଼ୁଥିବା ବେଳେ ସବୁଠି ଆଦିବାସୀମାନଙ୍କୁ ଏକଜୁଟ୍ କରିବାକୁ ଜୋରଦାର ପ୍ରୟାସ ଚଳାଇଛନ୍ତି। ଖୋଦ୍ ଜେଏମ୍ଏମ୍ ରାଜ୍ୟ ସଭାପତି ମହେଶ ଚନ୍ଦ୍ର ହେମ୍ବ୍ରମ୍ ସାରସକଣା ନିର୍ବାଚନ ମଣ୍ଡଳୀ ପାଇଁ ବିଧାୟକ ପ୍ରାର୍ଥୀ ଭାବେ ଅବତୀର୍ଣ୍ଣ ହୋଇଛନ୍ତି। ମହେଶ ପୂର୍ବରୁ ଏହି ନିର୍ବାଚନ ମଣ୍ଡଳୀ ପାଇଁ କ୍ଷେତ୍ର ପ୍ରସ୍ତୁତି ଚଳାଇ ଆସୁଥିବାରୁ ଆଗାମୀ ଲଢ଼େଇରେ ଜେଏମ୍ଏମ୍ ଜୋର ଲଗାଇ ଦେଇଥିବା ଦେଖିବାକୁ ମିଳିଛି। ଜେଏମ୍ଏମ୍ ପକ୍ଷରୁ ଆଜି ସାରସକଣା ବ୍ଲକର କପାଡ଼ିହାଠାରେ ଆଜି ଏକ ବିଶାଳ ଜନସଭାର ଆୟୋଜନ ହୋଇଥିବା ହେମନ୍ତ ସୋରେନ ନିର୍ବାଚନୀ ପ୍ରଚାର କରିଛନ୍ତି। ଉଭୟ କେନ୍ଦ୍ରର ବିଜେପି ସରକାର ଓ ରାଜ୍ୟର ନବୀନ ସରକାରକୁ ଟାର୍ଗେଟ କରିବା ସହ ଆଦିବାସୀମାନଙ୍କ ସାମଗ୍ରିକ ବିକାଶ ପାଇଁ କୌଣସି ଦଳ ପ୍ରତିଶ୍ରୁତିବଦ୍ଧ ନୁହଁନ୍ତି ବୋଲି କହିଥିଲେ। ଆଦିବାସୀମାନଙ୍କ ଜୀବନଜୀବିକା, ଶିକ୍ଷା, ସ୍ବାସ୍ଥ୍ୟ, ଅଧିକାର ଆଦି ପ୍ରତି ସରକାର ଜୋର ନଦେଇ କେବଳ ସୁବିଧାବାଦୀ ରାଜନୀତି ଚଳାଇଛନ୍ତି ବୋଲି କହିଛନ୍ତି। ଏହି ସମାବେଶରେ ଜେଏମ୍ଏମ୍ ସମେତ କଂଗ୍ରେସ, ସିପିଏମ୍, ସିପିଆଇ ଦଳର କର୍ମକର୍ତ୍ତାମାନେ ଏକାଠି ହୋଇଥିବା ଦେଖିବାକୁ ମିଳିଛି। ଆଦିବାସୀ ଭୋଟ୍ ବ୍ୟାଙ୍କକୁ ଏକାଠି ରହିବାକୁ ଜେଏମ୍ଏମ୍ ବିଗତ ଦିନରୁ ମୂଳବାସୀଙ୍କ ସ୍ବାଭିମାନକୁ ନେଇ ଲଢ଼େଇ କରିଆସୁଛି। ଏହି ଆନ୍ଦୋଳନ ସହ ଜଡ଼ିତ ଭାବାବେଗକୁ ପୁଣି ବଳବତ୍ତର କରିବାକୁ ମହେଶ ଜନତାଙ୍କୁ ପରିବର୍ତ୍ତନ ମୁହାଁ କରାଇଥିବା ଜଣାପଡ଼ିଛି।
ସୂଚନାଯୋଗ୍ୟ; ମୟୂରଭଞ୍ଜ ଜିଲ୍ଲାର ସାରସକଣା ନିର୍ବାଚନ ମଣ୍ଡଳୀରେ ଲଢ଼େଇ ଏବେ ରୋଚକ ସ୍ଥିତିରେ ପହଞ୍ଚି ସାରିଛି। ସାରସକଣା ନିର୍ବାଚନ ମଣ୍ଡଳୀ ଗଠନ ହେବାଠୁ ୨୦୦୯ ମସିହାରେ ଇଂ ରାମଚନ୍ଦ୍ର ହାଁସଦା ପ୍ରଥମେ ଏନସିପିରୁ ଲଢ଼ି ବିଜୟୀ ହୋଇଥିବା ବେଳେ ୨୦୧୪ରେ ଜେଏମ୍ଏମରୁ ଆସି ଭାଦବ ହାଁସଦା ବିଜେଡି ଟିକେଟରେ ନିର୍ବାଚିତ ହୋଇଥିଲେ। ଜେଏମ୍ଏମ୍ ଭୋଟ ବ୍ୟାଙ୍କକୁ ଭାଙ୍ଗି ଭାଦବ ଗତ ନିର୍ବାଚନରେ ମଇଦାନରେ ପ୍ରତିଦ୍ବନ୍ଦ୍ବୀ ରାମଚନ୍ଦ୍ର ମୁର୍ମୁଙ୍କୁ ସ୍ବଳ୍ପ ବ୍ୟବଧାନରେ ମାତ୍ ଦେଇଥିଲେ। ଚଳିତ ନିର୍ବାଚନରେ ବିଜେଡିରୁ ଭାଦବଙ୍କୁ ଟିକେଟ୍ ନମିଳିବା ପରେ ଅଧିକାଂଶ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚାରୁ ଆସିଥିବା କର୍ମୀମାନେ ପୁଣି ପୁରୁଣା ଦଳ ମୁହାଁ ହୋଇସାରିଛନ୍ତି। ମହେଶଙ୍କ ନେତୃତ୍ବକୁ ଗ୍ରହଣ କରି ପୁଣି ଜେଏମ୍ଏମକୁ ଏକଜୁଟ କରିବାରେ ଲାଗିଥିବା ଜଣାପଡ଼ିଛି। ଚଳିତ ନିର୍ବାଚନରେ ଅମର ସିଂ ଟୁଡୁଙ୍କୁ ବିଜେଡି ପ୍ରାର୍ଥୀ କରି ଦଳ ଚିନ୍ତାରେ ଥିବା ବେଳେ ନିର୍ବାଚନୀ ମଇଦାନରେ ବିଜେପିର ଟାଣୁଆ ପ୍ରାର୍ଥୀ ଡାକ୍ତର ବୁଢ଼ାନ ମୁର୍ମୁ, ଜେଏମ୍ଏମ ପ୍ରାର୍ଥୀ ମହେଶ ହେମ୍ବ୍ରମଙ୍କ ସମେତ ସ୍ବାଧୀନ ପ୍ରାର୍ଥୀ ସାଂସଦ ଇଂ ରାମଚନ୍ଦ୍ର ହାଁସଦାଙ୍କ ଟାଣୁ କଡ଼ା ଟକ୍କର ହେବାକୁ ଯାଉଛି। ଆଦିବାସୀ ଅଧ୍ୟୁସିତ ଉପାନ୍ତବର୍ତ୍ତୀ ଗାଁ ମାନଙ୍କରେ ତିନି ପ୍ରମୁଖ ଦଳୀୟ ପ୍ରାର୍ଥୀଙ୍କ ସହ ସ୍ବାଧୀନ ପ୍ରାର୍ଥୀ ରାମଚନ୍ଦ୍ରଙ୍କ ପ୍ରଭାବ ରହିଥିବାରୁ ଭୋଟରଙ୍କ ଗତି କୁଆଡେ ବୁଝାପଡ଼ୁନାହିଁ।
ସାରସକଣା ନିର୍ବାଚନ ମଣ୍ଡଳୀ:ପୂର୍ବ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ନିର୍ବାଚନୀ ପ୍ରଚାର
ଆଦିବାସୀ ଭୋଟ୍ ବ୍ୟାଙ୍କ ଉପରେ ଜେଏମ୍ଏମର ଫୋକସ୍