ବାରିପଦା: ଜମିରେ ହଳ କରିବା ପାଇଁ ଟ୍ରାକ୍ଟର, ପାୱାରଟେଲର, ମୂଲିଆ ଆଦିଙ୍କୁ କାହାରିକୁ ଗ୍ରାମବାସୀମାନେ ଆସିବାକୁ ଦେଉନାହାନ୍ତି। ତାଙ୍କର ପରିବାରକୁ ଚଳପ୍ରଚଳ କରିବାରେ ବହୁତ ଅସୁବିଧାରେ ସମ୍ମୁଖୀନ ହେବାକୁ ପଡ଼ୁଛି। ଏହାକୁ ଦେଖି ଆଜି କପ୍ତିପଦା ଉପଖଣ୍ଡ ସେଙ୍ଗେଲ ପାର୍ଗାନା ସହ ଖୁଣ୍ଟା ବ୍ଲକ ସେଙ୍ଗେଲ ସଭାପତି ଉଦୟନାଥ ହେମ୍ବ୍ରମଙ୍କ ନେତୃତ୍ବରେ ଚାରି ଗୋଟି ବ୍ଲକର ସେଙ୍ଗେଲ କାର୍ଯ୍ୟକର୍ତ୍ତାଗଣ ଶରତ ଥାନା ଅନ୍ତର୍ଗତ କେଶପାଳା ଗ୍ରାମର ସାମାଜିକ ବାସନ୍ଦ ପରିବାର ସଂଗ୍ରାମ ସୋରେନଙ୍କ ଚାଷଜମିରେ ହଳ କରିଛନ୍ତି। ଖାଲି ଯେ ହଳ କରିଛନ୍ତି ତାହା ନୁହେଁ; ବିନା ମୂଲ୍ୟରେ ଧାନ ବି ରୋଇଛନ୍ତି। ସୋରେନ ସମାଜରେ ସୁଧାର ଆଣିବା ପାଇଁ ନିଜ ବାପାଙ୍କର ଶୁଦ୍ଧିକ୍ରିୟା ନିର୍ମଳ ଜଳ ( ଶୁଦ୍ଧ ଜଳ)ରେ କରିଥିବାରୁ ଗାଁ ଲୋକ ତାଙ୍କ ଉପରେ ରାଗିକରି ତାଙ୍କୁ ବାସନ୍ଦ କରିଛନ୍ତି। 

Advertisment

ତେଣୁ ତାଙ୍କର ଚାଷବାସ କାର୍ଯ୍ୟ ଦୀର୍ଘଦିନ ହେଲା ହୋଇପାରୁ ନଥିଲା। ଆଜି ଏହି ସେଙ୍ଗେରଲ ଅଭିଯାନର କର୍ମକର୍ତ୍ତା ତାଙ୍କୁ ସହଯୋଗର ହାତ ବଢାଇଛନ୍ତି। ତେବେ ପରିବାରର ଏହିପରି ପରିସ୍ଥତିରେ ଓଡ଼ିଶା ପ୍ରଦେଶ ସେଙ୍ଗେଲ କମିଟି ତରଫରୁ ଘର ଛାଉଣୀ ପାଇଁ ତ୍ରାପୋଲିନ, ଖାଇବା ପାଇଁ ଚାଉଳ ଏବଂ ଚଳିବା ପାଇଁ ଟଙ୍କା ଆଦି ସହାୟତା ପ୍ରଦାନ କରାଯାଇଥିଲା। ଆଜି ମଧ୍ୟ ଆଦିବାସୀ ସେଙ୍ଗେଲ ଅଭିଯାନ ତରଫରୁ ତାଙ୍କର ବିଲକୁ ଟ୍ରାକ୍ଟରରେ ହଳ କରାଇ ଧାନ ରୋଇବାକୁ ସହଯୋଗ ପ୍ରଦାନ କରାଯାଇଛି ।

ହାଣ୍ଡିଆ ଭଳି ପଚା ନିଶାଦ୍ରବ୍ୟ ପାଇଁ ଗାଁରେ ଈର୍ଷା-ଦ୍ୱେଷ ବୃଦ୍ଧି ନକରି, ଅନ୍ୟାୟ, ଅତ୍ୟାଚାର ଆଦି ବନ୍ଦ କରାଯାଇ ସାମାଜିକ ବାସନ୍ଦ କରିବା ପ୍ରଥାକୁ ହଟାଇ କେଶପାଳା ଗ୍ରାମର ସମସ୍ତ ସ୍ତ୍ରୀ-ପୁରୁଷ, ଭାଇ-ବନ୍ଧୁମାନେ ମିଳିମିଶି ଭଲରେ ରହି ସୁଖ-ଶାନ୍ତି ପ୍ରତିଷ୍ଠା କରିବାକୁ ସଂଙ୍ଗଠନ ଆହ୍ବାନ ଦେଇଛି। କେଶପାଳା ଗ୍ରାମକୁ ଏକ ଆଦର୍ଶ ଗ୍ରାମ ଭାବରେ ଗଠନ କରନ୍ତୁ ଏବଂ ଓଡ଼ିଶା ପୁଲିସ ପ୍ରଶାସନ ଓ ସ୍ଥାନୀୟ ପୁଲିସ ପ୍ରଶାସନ ମଧ୍ୟ ଏହି ଭଳି ଅମାନବୀୟ ସମ୍ବିଧାନ ଆଇନ ବିରୋଧୀ କୁ-କାର୍ଯ୍ୟକୁ ହଟାଇବା ପାଇଁ  ସେଙ୍ଗେଲ କାର୍ଯ୍ୟକର୍ତ୍ତାମାନେ ପ୍ରେସ ବିଜ୍ଞପ୍ତି ମାଧ୍ୟମରେ ନିବେଦନ କରିଛନ୍ତି । ଏହି ଅବସରରେ କରଞ୍ଜିଆ ପାଞ୍ଚପିଢ ଉପ ଖଣ୍ଡ କମିଟିର ସେଙ୍ଗେଲ ସଭାପତି- ପିଥ ମାଝୀ, ଯଶିପୁର ବ୍ଲକ ସେଙ୍ଗେଲ ସଭାପତି ମେଘରାୟ ସୋରେନ୍,ଠାକୁରମୁଣ୍ଡା ବ୍ଲକ ସେଙ୍ଗେଲ ସଭାପତି ସିଧିଲାଲ ମୁର୍ମୁ, କେଉଁଝର ଜିଲ୍ଲା ସେଙ୍ଗେଲ ପାରଗାନା ଗୁନାରାମ ମୁର୍ମୁ, ଘସିପୁରା ବ୍ଲକ ସେଙ୍ଗେଲ ପାରଗାନା ବଳରାମ ଟୁଡୁ ସହ ୫୬ ଜଣ ସଦସ୍ୟ ଓ ସଦସ୍ୟା ଉପସ୍ଥିତ ଥିଲେ ।