ମନ୍ଦିର ଖୋଲିବା ଦାବିରେ ଓଡ଼ିଶା ମନ୍ଦିର ସେବାୟତ ସଂଘ ପକ୍ଷରୁ ବାରିପଦାରେ ୩ ଘଣ୍ଟିଆ ଧାରଣା

 

ବାରିପଦା : ମନ୍ଦିର ଖୋଲ ନଚେତ ମନ୍ଦିର ସେବାୟତଙ୍କୁ ମାସିକ ଭରଣା ଦିଆଯାଉ। ସବୁ ଖୋଲିଗଲା ପରେ ମଧ୍ୟ ରାଜ୍ୟର ବିଭିନ୍ନ ମଠ ମନ୍ଦିର ଖୋଲିବାକୁ ସରକାର ଅନୁମତି ଦେଇନାହାନ୍ତି। ଏହା ଫଳରେ ମନ୍ଦିର ଉପରେ ନିର୍ଭର କରି ପରିବାର ପ୍ରତିପୋଷଣ କରୁଥିବା ପୂଜକ ଏବଂ ସେବାୟତମାନେ ନାହିଁନଥିବା ହଇରାଣ ହେଉଛନ୍ତି ।

ତେଣୁ ରାଜ୍ୟର ସମସ୍ତ ମନ୍ଦିର ଖୋଲିବା ଦାବିରେ ଆଜିଠାରୁ ଓଡ଼ିଶା ମନ୍ଦିର ସେବାୟତ ସଂଘ ପକ୍ଷରୁ ଦୈନିକ ୩ ଘଣ୍ଟିଆ ଧାରଣା କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଆଜି ୨ୟ ଶ୍ରୀକ୍ଷେତ୍ର ବାରିପଦାର ଶ୍ରୀ ଶ୍ରୀ ହରିବଳଦେବଜୀଉ ମନ୍ଦିର ସମ୍ମୁଖରେ ଏହି ଧାରଣା ଅଭିଯାନ ଆରମ୍ଭ ହୋଇଛି। ସେହିପରି ଜିଲ୍ଲାର ମାଣିତ୍ରୀର ପ୍ରସିଦ୍ଧ କଖାରୁଆ ବୈଦ୍ୟନାଥ ଶିବ ମନ୍ଦିର ସମ୍ମୁଖରେ ମଧ୍ୟ ସେବାୟତମାନେ ଧାରଣା ଦେଇଥିଲେ। ମନ୍ଦିର ଖୋଲିବା କିମ୍ବା ସେବାୟତଙ୍କୁ ମାସିକ ଭରଣା ଦାବି ପୂରଣ ନହେବା ପର୍ଯ୍ୟନ୍ତ ଏହି ଧାରଣା ଜାରି ରହିବ ବୋଲି ସଂଘର ସଭାପତି କାମେଶ୍ବର ତ୍ରିପାଠୀ ସୂଚନା ଦେଇଛନ୍ତି। ରାଜ୍ୟର ବିଭିନ୍ନ ପ୍ରସିଦ୍ଧ ମନ୍ଦିର ସମ୍ମୁଖରେ ମଧ୍ୟ ଆଜିଠାରୁ ଏହା ଆରମ୍ଭ ହୋଇଥିବା ଶ୍ରୀ ତ୍ରିପାଠୀ ସୂଚନା ଦେଇଛନ୍ତି। ବାରିପଦାରେ ଶ୍ରୀ ତ୍ରିପାଠୀଙ୍କ ସମେତ ପ୍ରଦୀପ କୁମାର ପଣ୍ଡା, ଦେବକାନ୍ତ ପଣ୍ଡା, ଅମ୍ରିତ ମିଶ୍ର, ଶଶୀଭୁଷର ଦାଶ, ଅଭିଷେକ ଦେଓଘରିଆ, ସୌରଭ କୁମାର ଦାଶ, ରଞ୍ଜିତ ବାରିକ, ଯୁଗଳ ପ୍ରତାପ ବେହେରା, ସୁଶୀଲ ପାତ୍ର ପ୍ରମୁଖ ଧାରଣାରେ ବସିଥିଲେ।

ସମ୍ବନ୍ଧିତ ଖବର