ଦିବ୍ୟାଙ୍ଗ ନାବାଳିକା ମୃତ୍ୟୁ ଯୋଗୁଁ ପିଆର୍‌ଏମ୍‌ ମେଡିକାଲ୍‌ କଲେଜ ପରିସରରେ ଉତ୍ତେଜନା

ବାରିପଦା: ଜଣେ ଚିକିତ୍ସାଧୀନ ଦିବ୍ୟାଙ୍ଗ ନାବାଳିକାଙ୍କର ମୃତ୍ୟୁ ହୋଇ ଯିବାରୁ ରବିବାର ସକାଳେ ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ୍‌ କଲେଜ ଏବଂ ହସ୍ପିଟାଲ୍‌ରେ ଉତ୍ତେଜନାପୂର୍ଣ୍ଣ ପରିସ୍ଥିତି ଉପୁଜିଥିଲା।

ଚିକିତ୍ସାରେ ଅବହେଳା ହୋଇଥିବାରୁ ମୃତ୍ୟୁ ହୋଇଛି ବୋଲି ଅଭିଯୋଗ କରି ହସ୍‌ପିଟାଲ୍‌ ଫାଟକ ସମ୍ମୁଖରେ ତାଙ୍କର ଶବ ରଖି ପରିବାର ଓ ସ୍ଥାନୀୟ ଲୋକେ ଧାରଣା ଦେଇଥିଲେ।

ମୃତା ଦିବ୍ୟାଙ୍ଗ ବାଳିକା ହେଉଛନ୍ତି ଚାଲୁଣିଆ ଅଞ୍ଚଳର ବାସିନ୍ଦା ବୀରେନ୍ଦ୍ର ପାତ୍ରଙ୍କ ୧୫ ବର୍ଷୀୟ ଝିଅ ରଞ୍ଜିତା। ପେଟରେ ଯନ୍ତ୍ରଣା ଯୋଗୁଁ ଶନିବାର ସନ୍ଧ୍ୟା ପ୍ରାୟ ସାଢ଼େ ପାଞ୍ଚଟା ସମୟରେ ତାଙ୍କୁ ପିଆର୍‌ଏମ୍‌ ହସ୍‌ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା।

କିନ୍ତୁ, ଦାୟିତ୍ୱରେ ଥିବା ଡାକ୍ତର କିଂବା କର୍ମଚାରୀମାନେ ଅସହ୍ୟ ଯନ୍ତ୍ରଣାରେ ଜର୍ଜରିତା ରଞ୍ଜିତାଙ୍କୁ ସେବା ଯୋଗାଇ ଦେଇ ନ ଥିଲେ ବୋଲି ପରିବାର ଲୋକେ ଅଭିଯୋଗ କରିଛନ୍ତି।

ରାତି ପ୍ରାୟ ୧୦ଟା ବେଳେ ରଞ୍ଜିତାଙ୍କୁ ଗୋଟାଏ ଇଞ୍ଜେକ୍‌ସନ୍‌ ଦିଆଯାଇଥିଲା। ତା’ପରେ ସେ ଆଉ ଉଠି ନ ଥିଲେ। ରାତି ପ୍ରାୟ ୧ଟା ବେଳକୁ ରଞ୍ଜିତା ମୃତା ବୋଲି ଡାକ୍ତର ଘୋଷଣା କରିଥିଲେ।

ଏଇ ଘଟଣାକୁ କେନ୍ଦ୍ରକରି ଆଜି ସକାଳୁ ହସ୍‌ପିଟାଲ୍‌ ପରିସରରେ ଗଣ୍ଡଗୋଳିଆ ପରିସ୍ଥିତି ଉପୁଜିଥିଲା। ଯୁବନେତା ରାକେଶ ସିଂଙ୍କ ଉପସ୍ଥିତିରେ ଧାରଣା ଦିଆଯାଇଥିଲା। ଦାୟିତ୍ୱରେ ଥିବା ଡାକ୍ତର ଏବଂ ଷ୍ଟାଫ୍‌ ନର୍ସଙ୍କ ବିରୋଧରେ ମୃତା ବାଳିକାଙ୍କ ସମ୍ପକୀୟ ଟାଉନ୍‌ ଥାନାରେ ଏତଲା ଦେଇଛନ୍ତି।

ସିଡିଏମ୍‌ଓ, ଏସ୍‌ଡିପିଓ ଏବଂ ବାରିପଦା ଟାଉନ୍‌ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାଶୁଝା କରାଇ ଧାରଣା ଭଙ୍ଗ କରାଇଛନ୍ତି।

ସମ୍ବନ୍ଧିତ ଖବର