ଜୀବନ ନେଲା ଧରମପୁଅ : ଗଳା ଚାପି ବୃଦ୍ଧାଙ୍କୁ ହତ୍ୟା

ବାରିପଦା : ପୁଣିଥରେ ଧର୍ମର ସମ୍ପର୍କରେ ପାପର କଳଙ୍କ ଲଗାଇଛି ଜଣେ ଧରମପୁଅ। ପ୍ରାୟ ମାସକ ତଳେ ଭଦ୍ରକ ଜିଲ୍ଲାର ଧାମନଗର ଅଞ୍ଚଳରେ ଜଣେ ଯୁବକ ଟଙ୍କା ଲୋଭରେ ଧରମ ମା’ ଓ ବାପାଙ୍କୁ ହତ୍ୟା କରିବା ସହ ତାଙ୍କ ନାବାଳିକା ଝିଅକୁ ଦୁଷ୍କର୍ମ କରିଥିଲା। ଠିକ୍‌ ସେମିତି ବାରିପଦା ସହରର ୱାର୍ଡ଼ ନଂ-୩ ଅନ୍ତର୍ଗତ ୱାଲିଗଂଜରେ ସମ୍ପତି ଲୋଭରେ ଧରମ ମା’ କହୁଥିବା ବୃଦ୍ଧାଙ୍କୁ ନିର୍ମମ ଭାବେ ପ୍ଲାଷ୍ଟିକ୍‌ ରଶିରେ ଗଳାକୁ ଚାପି ହତ୍ୟା କରିଛି। ଶନିବାର ରାତି ପ୍ରାୟ ସାଢ଼େ ୮ଟାରେ ଧରମ ପୁଅ ଅଜିତ ସାହୁ(୩୪) ଓରଫ ଦୀପୁ ରାଧାରାଣୀ ବେହେରା(୭୨)ଙ୍କୁ ହତ୍ୟା କରିଥିବା ପୁଲିସ ଆଗରେ ସ୍ୱୀକାର କରିଛି। ମୃତ ମହିଳାଙ୍କ ସାନପୁଅ ବିକ୍ରମ ଓରଫ୍‌ ବାବୁଙ୍କ ଅଭିଯୋଗ ଆଧାରରେ ବାରିପଦା ଟାଉନ୍‌ ପୁଲିସ୍‌ ଅଭିଯୁକ୍ତ ଦୀପକୁ ତା’ ଶ୍ୱଶୁର ଘରୁ ଗିରଫ କରିଛି।

ପୁଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ମୃତ ରାଧାରାଣୀ ସ୍ୱାମୀଙ୍କ ମୃତ୍ୟୁ ପରେ ନିଜ ସାନପୁଅ ବିକ୍ରମ ସହିତ ୱାଲିଗଂଜସ୍ଥିତ ନିଜ ଘରେ ରହୁଥିଲେ। ତାଙ୍କ ବଡ଼ପୁଅ ଅଲଗା ରହୁଥିଲେ। ତେବେ ବିକ୍ରମ ନିଶାସକ୍ତ ହୋଇଥିବାରୁ ଏହାର ସୁଯୋଗ ନେଇ ଦୀପୁ ରାଧାରାଣୀଙ୍କ ପୁଅ ଭଳି ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଥିଲା। ରାଧାରାଣୀଙ୍କ ନାମରେ ବାରିପଦା ସହର ପୂର୍ତ ବିଭାଗ କାର୍ଯ୍ୟାଳୟ ନିକଟରେ ଏକ ଟେଲର ଦୋକାନ ଘର ରହିଛି। ଏହାକୁ ନିଜ ନାଁରେ ୯୯ ବର୍ଷିଆ ଲିଜ୍‌ କରେଇନେବା ପାଇଁ ଦୀପୁ ରାଧାରାଣୀଙ୍କୁ ୧୭ ଲକ୍ଷ ଟଙ୍କା ଦେଇଥିଲା। ଏ ନେଇ କାଗଜପତ୍ର ମଧ୍ୟ ପ୍ରସ୍ତୁତି ସରିଥିଲା। ମାତ୍ର ଉକ୍ତ ଦୋକାନ ଘରର ମୂଲ୍ୟ ୧୭ ଲକ୍ଷରୁ ଢେର୍‌ ଅଧିକ ଥିବା ଅନୁଭବ କରି ରାଧାରାଣୀ ଦୀପୁକୁ ଦୋକାନ ଘର ଦେବେନି ବୋଲି କହିଥିଲେ। ଏହାକୁ ନେଇ ଦୀପୁ ରାଧାରାଣୀଙ୍କୁ ରାସ୍ତାରୁ ହଟାଇବା ଲାଗି ସୁଯୋଗ ଅପେକ୍ଷାରେ ଥିଲା।

ଶନିବାର ସନ୍ଧ୍ୟାରେ ଦୀପୁ ରାଧାରାଣୀଙ୍କ ଘରକୁ ଆସି ପ୍ରଥମେ ତାଙ୍କ ପୁଅ ବାବୁକୁ ମଦ ପିଇବାକୁ ବାହାରକୁ ଡାକିନେଇଥିଲା। ସେଠାରେ ତାକୁ ଅପେକ୍ଷା କରିବାକୁ କହି ସାଙ୍ଗକୁ ଆଣିବାର ବାହାନା ଦେଖାଇ ରାଧାରାଣୀଙ୍କ ଘରକୁ ଫେରିଥିଲା। ରାଧାରାଣୀ ଶୋଇଥିବାରୁ ସୁଯୋଗ ନେଇ ପ୍ଲାଷ୍ଟିକ୍‌ ରଶିରେ ତାଙ୍କ ଗଳାକୁ ଚାପି ହତ୍ୟା କରିବା ପରେ ସେଠାରୁ ଚାଲିଆସିଥିଲା ଦୀପୁ। ଆଜି ପୁଲିସ୍‌ ଦୀପୁକୁ ଗିରଫ କରିଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର