ରାସଗୋବିନ୍ଦପୁର ଷ୍ଟୋନ୍ କ୍ବାରୀ ପରମିଟରେ ଶ୍ୟାମାଖୁଣ୍ଟାରୁ ଚାଲାଣ: ୬ ବୋଲ୍ଡର ବୋଝେଇ ଡମ୍ଫର ଜବତ କଲା ବନ ବିଭାଗ

ଚୋରା ଲଘୁ ଖଣିଜ କାରବାରର ନୂଆ ଫଣ୍ଡା

ବାରିପଦା : ମୟୂରଭଞ୍ଜରେ ଚୋରା ଲଘୁ ଖଣିଜ ମାଫିଆମାନେ ପ୍ରଶାସନର ଆଖିରେ ଆଙ୍ଗୁଠି ଗେଞ୍ଜି ଚଲେଇଛନ୍ତି କାରବାର। ପ୍ରଶାସନ ଡାଳେ ଡାଳେ ଗଲେ ପଥର, ବାଲି ମାଫିଆମାନେ ପତ୍ରେ ପତ୍ରେ ଯାଉଥିବା ଦେଖାଯାଇଛି। ଗୋଟିଏ ପରମିଟ୍ରେ ପାର୍ ପାଇଯାଉଛନ୍ତି ଏକାଧିକ ଲଘୁ ଖଣିଜ ବୋଝେଇ ଗାଡି। ଏପରିକି ରାସଗୋବିନ୍ଦପୁର ତହସିଲ ଅଞ୍ଚଳରେ ଥିବା ଏକ ଷ୍ଟୋନ୍ କ୍ବାରୀର ନକଲି ପରମିଟରେ ଶ୍ୟାମାଖୁଣ୍ଟା ଅଞ୍ଚଳରୁ ପଥର ଚୋରା ଚାଲଣ ହେଉଥିବା ଦେଖିବାକୁ ମିଳିଛି।

ଆଜି ବାରିପଦା ବନବିଭାଗ ସକାଳବେଳା ବାରିପଦା ଉଦଳା ରାଜ୍ୟ ରାଜପଥର ବାହାର୍ଦ୍ଦା ଛକ ନିକଟରେ ଓଆର-୦୯ଜି-୨୦୭୯, ଓଆର ୦୯ଜି-୮୨୫୨, ଓଆର ୦୯ଇ- ୨୬୦୩, ଓଆର ୦୫ ଇ- ୦୧୦୧, ଓଆର. ଜେ ୪୩୫୭, ଓଆର୧୧ଡି- ୩୯୨୫ ଆଦି ନମ୍ବର ଥିବା ୬ଟି ବୋଲ୍ଡର ବୋଝେଇ ଡମ୍ପର ଓ ଟ୍ରକକୁ ଜବତ କରିଛି। ଏହି ଗାଡି ଗୁଡ଼ିକ ବାରିପଦା ଅଭିମୁଖେ ଆସୁଥିବା ସମୟରେ ବନ ବିଭାଗର କର୍ମଚାରୀମାନେ ଅଟକେଇ ଯାଞ୍ଚ କଲାବେଳେ କୌଣସି କାଗଜପତ୍ର ନଥିବାରୁ ଜବତ କରିଥିଲେ। ପରେ ବିନା କାଗଜପତ୍ରରେ ବୋଲ୍ଡର ଚାଲଣ ହେଉଥିବା ଏହି ଗାଡ଼ିଗୁଡ଼ିକୁ ୧୮ ନମ୍ବର ଜାତୀୟ ରାଜପଥ ପାର୍ଶ୍ବ ମଞ୍ଚାବନ୍ଧାସ୍ଥିତ(ଶାଳବଣି)ଠାରେ ଥିବା ବନ ବିଭାଗର ଡ଼ାକବଙ୍ଗଳାରେ ଅଟକ ରଖାଯାଇଛି। ମାତ୍ର ଗାଡିଗୁଡ଼ିକର କାଗଜପତ୍ର ଯାଞ୍ଚ ବେଳେ ଅଜବ ଘଟଣା ଦେଖିବାକୁ ମିଳିଥିଲା। ରାସଗୋବିନ୍ଦପୁର ତହସିଲ ଅନ୍ତର୍ଗତ ନରସିଂହ ବେଡ଼ାଙ୍କ ନାମରେ ଥିବା ଷ୍ଟୋନ୍-୨ର ପରମିଟ୍ ଥିବା ପିଠାବଟା ରେଞ୍ଜର ଲକ୍ଷ୍ମୀଧର ବେହେରା ସୂଚନା ଦେଇଛନ୍ତି। ଯାହାକି ସମ୍ପୂର୍ଣ୍ଣ ବେଆଇନ ବୋଲି ସେ କହିଛନ୍ତି। ତେବେ ଗାଡି ଗୁଡ଼ିକ ଅଟକ ରହିବା ଢେର ସମୟ ପରେ କିଛି କାଗଜ ଆଣି ଦେଇଥିଲେ। ତାହା ପୁଣି ଅସମ୍ପୂର୍ଣ୍ଣ ଏବଂ ବେଆଇନ। ତେବେ ବନବିଭାଗ ଅଧିକାରୀଙ୍କ ସୂଚନା ଅନୁଯାୟୀ ୬ଟି ଗାଡିର କାଗଜ ଯାଞ୍ଚ କରାଯାଇଛି। ଡ୍ରାଇଭରଙ୍କୁ ଅଟକ ରଖାଯାଇ ପିଆର୍ ବଣ୍ଡରେ ଛଡ଼ାଯାଇଛି। ଜବତ ଗାଡିରୁ କେତେ ଜରିମାନା ଆଦାୟ କରାଯିବ ତାହା ଡିଏଫ୍ଓ ସ୍ଥିର କରିବେ ବୋଲି ଶ୍ରୀ ବେହେରା ପ୍ରକାଶ କରିଛନ୍ତି। ପୂର୍ବରୁ ଏପରି ବେଆଇନ ଗାଡ଼ି ନିକଟରୁ ୫୦ ହଜାର ଟଙ୍କା ଫାଇନ କଟାଯାଉଥିଲା । ବର୍ତ୍ତମାନ ୭୦ ହଜାର ଟଙ୍କା ଫାଇନ କଟାଯିବାର ନିୟମ ରହିଥିବା ଜଣାପଡ଼ିଛି । ତେବେ କେଉଁ ଗାଡ଼ିରେ କେତେ ପରିମାଣରେ ବୋଲଡର ରହିଛି, ତାହା ପରୀକ୍ଷା କରି ସେହି ଆଧାରରେ ଡିଏଫଓ ଜରିମାନା ରାଶି ନିର୍ଣ୍ଣୟ କରିବେ । ସେହିପରି ବାରିପଦା ବନଖଣ୍ଡ ଅଧିକାରୀ ସନ୍ତୋଷ ଯୋଶୀଙ୍କ କହିବା ଅନୁସାରେ ରେଞ୍ଜର ରିପୋର୍ଟ ଦେବା ପରେ ବିଭିନ୍ନ ଦିଗକୁ ତର୍ଜମା ଓ ଅନୁଧ୍ୟାନ ପୂର୍ବକ ଫାଇନ୍ ନିର୍ଦ୍ଧାରଣ କରାଯିବ।

ଏଠାରେ ପ୍ରଶ୍ନ ଉଠୁଛି, ବନ ବିଭାଗ କର୍ମଚାରୀମାନେ ଗାଡ଼ିରେ ଯଦି ସଠିକ୍ କାଗଜପତ୍ର ଅଥବା ପରମିଟ ରହିଥିଲା, ତେବେ ସେମାନେ ଗାଡ଼ିକୁ ଧରି ଅଯଥାରେ ହଇରାଣ କରାଇବା ଆଇନର ବିରୋଧାଚରଣ ବୋଲି ଧରିବାକୁ ହେବ । ସେହିପରି ଯଦି ଗାଡ଼ି ଧରିବା ସମୟରେ ଗାଡ଼ିରେ କାଗଜପତ୍ର ବା ପରମିଟ ନ ଥିବ ତେବେ ଆଇନ ଅନୁସାରେ ଗାଡ଼ିଗୁଡ଼ିକରୁ ଜରମିନା ଆଦାୟ କରାଯିବ ନିୟମ କହୁଛି । ଏଣୁ ବନ ବିଭାଗ ପକ୍ଷରୁ ଏନେଇ ସ୍ବଚ୍ଛତାର ସହିତ କାର୍ଯ୍ୟ ସମ୍ପାଦନ କରିବା ଦାବି ହୋଇଛି। ଏଠାରେ ବଡ଼ ପ୍ରଶ୍ନ ହେଉଛି ଯେ କିପରି ଅନ୍ୟ ଏକ ଷ୍ଟୋନ୍ କ୍ବାରିର ପରମିଟ୍ରେ ବେଆଇନ ଚାଲଣ ହେଉଛି। ସେହିପରି ଯେଉଁ କ୍ବାରୀରୁ ଏହି ମାଲ ଆସିଥିବା କୁହାଯାଉଛି ଉକ୍ତ କ୍ବାରୀର ମଧ୍ୟ ବୈଧ କାଗଜପତ୍ର ଅଛି କି ନାହିଁ ତାହା ସନ୍ଦେହଘେରରେ ରହିଛି। ନକଲି ପରମିଟ୍ରେ କିପରି ଲଘୁ ଖଣିଜ ପଦାର୍ଥ କାରବାର ହେଉଛି ତାହା ବିରାଟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ତେବେ ଶିମିଳିପାଳ ଜୈବ ମଣ୍ଡଳର ୧୦ କିମି ପରିସୀମା ମଧ୍ୟରେ ସମସ୍ତ ପଥରଖାଦାନ ଓ କ୍ରସରକୁ ବନ୍ଦ କରାଇବା ନିମନ୍ତେ ସରକାରଙ୍କ ନିର୍ଦ୍ଦେଶ ରହିଥିବା ସମୟରେ ଟ୍ରକରେ ବୋଲ୍ଡର କେଉଁଠୁ ଏବଂ କିପରି ଆସିଲା, ତାହାକୁ ନେଇ ମଧ୍ୟ ପ୍ରଶ୍ନ ଉଠିଛି।

ସମ୍ବନ୍ଧିତ ଖବର