କୁଆମରା: ୨୦୧୪ ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୋପବନ୍ଧୁନଗର ବ୍ଲକ୍ ଜୟପୁର ପଞ୍ଚାୟତ ମାର୍ଶିଗାଁ ଜଇଦା ନିକଟସ୍ଥ ସୋନ ବ୍ୟାରେଜର ଶିଳାନ୍ୟାସ କରିଥିଲେ। ମାତ୍ର ଶିଳାନ୍ୟାସର ୧୦ ବର୍ଷ ପରେ ବି କାର୍ଯ୍ୟର ନାଁ ଗନ୍ଧ ନାହିଁ। ପୁଣି ଗତ ୧୨ ତାରିଖରେ ୫-ଟି ସଚିବ ଭିକେ ପାଣ୍ଡିଆନ ଉଦଳା ଗସ୍ତରେ ଆସି ଏହି ପ୍ରକଳ୍ପ ପାଇଁ ୭୩୮ କୋଟି ଟଙ୍କା ଘୋଷଣା କରି ଅଞ୍ଚଳବାସୀଙ୍କୁ ଲଲିପପ୍ ଦେଖାଇଛନ୍ତି। ଏହି ପ୍ରକଳ୍ପ କେବଳ ଏକ ନିର୍ବାଚନୀ ଥୋପ। ୨୦୧୪ ନିର୍ବାଚନ ପୂର୍ବରୁ ଏ ଥୋପ ଫିଙ୍ଗି ଭୋଟ୍ ଗୋଟାଇଥିଲେ ସରକାର। ଆଉ ଏବେ ପୁଣି ନିର୍ବାଚନ ଆସୁଥିବାରୁ ୧୦ ବର୍ଷ ଧରି ଫାଇଲରେ ବନ୍ଧା ହୋଇ ରହିଥିବା ପ୍ରକଳ୍ପ ଖୋଲାଗଲା ବୋଲି ବିରୋଧୀ ଅଭିଯୋଗ କରିଛନ୍ତି।
ଆରମ୍ଭରୁ ଏହି ପ୍ରକଳ୍ପର ଖର୍ଚ୍ଚ ଅଟକଳ ୨୧୬ କୋଟି ୭୩ ଲକ୍ଷ ଟଙ୍କା ରହିଥିଲା। ଏଠାରେ ଜଳସେଚନ ପ୍ରକଳ୍ପ ନିର୍ମାଣ ହେଲେ ଗୋପବନ୍ଧୁନଗର, ବଡ଼ସାହି, ନୀଳଗିରି, ରେମୁଣା ବ୍ଲକ୍ର ପାଖାପାଖି ୩୦ଟି ପଞ୍ଚାୟତର ୯ ହଜାର ୯ ଶହ ହେକ୍ଟର ଜମି ଜଳସେଚିତ ହୋଇପାରିବ ବୋଲି କହିଥିଲେ ସରକାର। ହେଲେ ପ୍ରକଳ୍ପ ଆରମ୍ଭ ହେବା ବଦଳରେ କେବଳ ପ୍ରତିଶ୍ରୁତି ମିଳୁଛି। ଏପଟେ ବୃଷ୍ଟପାତ ଖରିଫ୍ ଋତୁରେ ବି ଜମି ପଡ଼ିଆ ପଡ଼ୁଛି। ଏହି ପ୍ରକଳ୍ପ ବ୍ୟତୀତ ୨୦୦୮ରେ ଆରପଟାଠାରେ ଶୀତଳଭଣ୍ଡାର, ୨୦୧୨ରେ ଡମ୍ବରୁଡିହିଠାରେ ୩୩ କେଭି ବିଦ୍ୟୁତ ସବ୍ ଷ୍ଟେସନର ଶିଳାନ୍ୟାସ କାର୍ଯ୍ୟ ହୋଇଥିଲା। ଏଯାଏ ଗୋଟିଏ ବି ପ୍ରକଳ୍ପ କାର୍ଯ୍ୟକ୍ଷମ ହୋଇପାରିଲା ନାହିଁ। ଏ ନେଇ ଅଞ୍ଚଳବାସୀଙ୍କ ମଧ୍ୟରେ ଅସନ୍ତୋଷ କୁହୁଳିବାରେ ଲାଗିଛି।
Advertisment
Sambad is now on WhatsApp
Join and get latest news updates delivered to you via WhatsApp