ବାରିପଦା: ସାଧାରଣତଃ ମହିଳାମାନେ ଶ୍ମଶାନକୁ ଯାଆନ୍ତିନି କି ଶବସତ୍କାର କାର୍ଯ୍ୟରେ ସାମିଲ ହୁଅନ୍ତିନି ବୋଲି ଋଢ଼ିବାଦୀଙ୍କ ମଧ୍ୟରେ ବିଶ୍ବାସ ରହିଛି। ହେଲେ ଏହି ଚିରାଚରିତ ଧାରାକୁ ଭାଙ୍ଗିବାରେ ସଫଳ ହୋଇଛନ୍ତି ମୟୂରଭଞ୍ଜ ଜିଲ୍ଲା ବାରିପଦା ବ୍ଲକ୍ ହାତୀକୋଟ ଗ୍ରାମର ଶିବୁ ମୁଖୀଙ୍କ ପତ୍ନୀ ଲକ୍ଷ୍ମୀ। ବାରିପଦା ବାରୁଣୀଘାଟ ଶ୍ମଶାନରେ ଗତ ୧୨ ବର୍ଷ ହେଲା ଶବଦାହ କାର୍ଯ୍ୟ କରୁଛନ୍ତି ଲକ୍ଷ୍ମୀ। ଏଥିମଧ୍ୟରେ ସେ ୩ ହଜାରରୁ ଅଧିକ ଶବଦାହ କରି ସାରିଲେଣି।
ସ୍ବାମୀ ଓ ୫ ଛୋଟଛୋଟ ପିଲାଙ୍କୁ ନେଇ ଲକ୍ଷ୍ମୀଙ୍କ ସଂସାର। ତାଙ୍କ କହିବା ଅନୁଯାୟୀ; ଶ୍ମଶାନ ସେବା ସଂଘ ପକ୍ଷରୁ ତାଙ୍କ ସ୍ୱାମୀଙ୍କୁ ଶବ ସତ୍କାର ଦାୟିତ୍ବ ଦିଆଯାଇଥିଲା। ତେଣୁ ସେ ମଧ୍ୟ ମଝିରେ ମଝିରେ ଶ୍ମଶାନ ଘାଟକୁ ଆସୁଥିଲେ। ପ୍ରଥମେ ପ୍ରଥମେ ଶବଦାହ ଦେଖିବାକୁ ଭୟ ଲାଗୁଥିଲା। ହେଲେ ପରିସ୍ଥିତିରେ ପଡ଼ି ଯେବେ ସ୍ବାମୀଙ୍କ ଏହି କାର୍ଯ୍ୟ ତାଙ୍କୁ କରିବାକୁ ପଡ଼ିଲା ସେ ଆଦୌ ବିଚଳିତ ହୋଇନଥିଲେ। ବରଂ ଏହାକୁ ନିଜର କର୍ତ୍ତବ୍ୟ ବୋଲି ମାନି ନେଇ ସବୁଦିନ ପାଇଁ ଶବଦାହ କାମକୁ ଆପଣେଇ ନେଲେ। ଏବେ ଏହା ଅଭ୍ୟାସରେ ପରିଣତ ହୋଇଗଲାଣି। ଆଉ ଡରଭୟ ଲାଗୁନି, ଏହା ଏକ ପୂଣ୍ୟକାର୍ଯ୍ୟ ବୋଲି ମନେହେଉଛି। ଏହି କାର୍ଯ୍ୟରେ ପାରିଶ୍ରମିକ କମ୍ ଥିଲେ ବି ଲୋକଙ୍କ ଶେଷଯାତ୍ରା ବେଳେ ସେମାନଙ୍କ କଡ଼ରେ ଠିଆହେବା ତାଙ୍କୁ ଅତ୍ମସନ୍ତୋଷ ଦେଉଛି। କେବେ କେବେ ମୃତକଙ୍କ ଆତ୍ମୀୟ ସ୍ବଜନଙ୍କୁ ତାଙ୍କୁ ନିଜ ଇଚ୍ଛାରେ କିଛି ଅର୍ଥ ଦେଇଥାନ୍ତି। ହେଲେ ଶବ ସତ୍କାର ପାଇଁ ସେ କାହାକୁ କେବେ ଟଙ୍କାଟିଏ ମାଗି ନାହାନ୍ତି ବୋଲି ଲକ୍ଷ୍ମୀ କହିଛନ୍ତି। ତେବେ କେବଳ ଶବଦାହ ନୁହେଁ, ଗୋଦାମରୁ ଜୁଇକୁ କାଠ ଆଣିବା, ଜୁଇରେ କାଠ ସଜାଡ଼ିବା ସବୁ କାର୍ଯ୍ୟ ସେ ଏକୁଟିଆ କରିଥାନ୍ତି। ଏଭଳି ଦୁଃସାହସିକ କାର୍ଯ୍ୟକୁ ବେଶ୍ ସହଜରେ କରି ପାରୁଥିବା ଲକ୍ଷ୍ମୀଙ୍କ ଭଳି ମହିଳାଙ୍କୁ ଯେତେ ସଲାମ କଲେ ବି କମ୍ ହେବ ବୋଲି କହିଛନ୍ତି ଶ୍ମଶାନ ସେବା ସଂଘର ସଭାପତି ବିଜୟ କୁମାର ଲେଙ୍କା ଓ ସଦସ୍ୟ ଅଜିତ କୁମାର ଦାସ।