କଲେଜ ଛାତ୍ରୀ ସୁନୟନା ହତ୍ୟାକାଣ୍ଡକୁ ମାସେ ପୁରିଲା: ଗିରଫ ହୋଇନି ହତ୍ୟାକାରୀ, ହୋ ଛାତ୍ର ସଂଗଠନ ପକ୍ଷରୁ ଏସପିଙ୍କୁ ଦାବିପତ୍ର

ଆନନ୍ଦପୁର: କେନ୍ଦୁଝର ଜିଲ୍ଲାର ଆନନ୍ଦପୁର ସୀମାନ୍ତ ମୟୁରଭଞ୍ଜ ଜିଲ୍ଲା ମହୁଲଡିହା ଥାନା ଧାତିକିଡିହା କଲୋନୀସାହିର କଲେଜ ଛାତ୍ରୀ ସୁନୟନା ସି(୧୮)ଙ୍କ ହତ୍ୟାକାଣ୍ଡ ଘଟଣାକୁ ଏକ ମାସ ପୁରିଛି । ପୁଲିସ୍ ପକ୍ଷରୁ ତଦନ୍ତ ଜାରି ରହିଥିବାନେଇ କୁହାଯାଉଥିବାବେଳେ ଅଦ୍ୟାବଧି ହତ୍ୟାକାରୀଙ୍କ ସମ୍ପର୍କରେ ସଠିକ୍ ସୂଚନା ମିଳିପାରିନାହିଁ ।

ପୁଲିସ୍ ସନ୍ଦେହରେ ବିଭିନ୍ନ ବ୍ୟକ୍ତିଙ୍କୁ ପଚରାଉଚରା କରିବା ସହିତ ତଦନ୍ତ ଚଳାଇଥିଲେ ମଧ୍ୟ ହତ୍ୟାକାଣ୍ଡ ସମ୍ପର୍କରେ କୌଣସି ସ୍ପଷ୍ଟ ସୁଚନା ମିଳିପାରିନାହିଁ । କଲେଜଛାତ୍ରୀ ସୁନୟନାଙ୍କ ହତ୍ୟାକାଣ୍ଡର ଅଭିଯୁକ୍ତ ମାନଙ୍କୁ ତୁରନ୍ତ ଗିରଫ କରିବାପାଇଁ ଠାକୁରମୁଣ୍ଡା ହୋ ଛାତ୍ର ସଂଗଠନ ପକ୍ଷରୁ ମୟୁରଭଞ୍ଜ ଏସପିଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ଏହି ସ୍ପର୍ଶକାତର ଘଟଣାକୁ ନେଇ ହୋ ସମ୍ପ୍ରଦାୟଙ୍କ ମଧ୍ୟରେ ଅସନ୍ତୋଷ ବଢି ଚାଲିଥିବାବେଳେ ଲକ୍ଡ଼ାଉନ୍ କଟକଣା ଯୋଗୁ ସେମାନେ ଆନ୍ଦୋଳନକୁ ଓହ୍ଲାଇ ପାରୁନାହାନ୍ତି । ପୁଲିସ୍ ପକ୍ଷରୁ ତଦନ୍ତ ବିଳମ୍ବିତ ହେଉଥିବା ବେଳେଏକମାତ୍ର କଲେଜ ପଢୁଆ ଝିଅକୁ ହରାଇ ପରିବାର ଲୋକେ ଆଶଙ୍କା ମଧ୍ୟରେ ରହିଛନ୍ତି ।

ସୂଚନାଯୋଗ୍ୟ, ଗତ ଜୁଲାଇ ୨ତାରିଖ ଦିନ ୧୧ଟାବେଳେ ଧାତିକିଡିହା ଗ୍ରାମର ଅଟୋଚାଳକ ସୁନୀଲ ସିଙ୍କୁ ଓ ପତ୍ନୀ ଜେମାମଣି ଏକମାତ୍ର ଝିଅ ସୁନୟନାକୁ ଘରେ ଏକୁଟିଆ ଛାଡ଼ିଦେଇ ସାତକୋଶିଆ ବ୍ୟାଙ୍କ ଓ ହାଟକୁ ଯାଇଥିଲେ । ଅପରାହ୍ଣ ପ୍ରାୟ ୩ଟାବେଳକୁ ଘରେ ପହଞ୍ଚିବା ବେଳକୁ ସୁନୟନାଙ୍କୁ କେହି ଦୁର୍ବୃତ୍ତ ଧାରୁଆ ଅସ୍ତ୍ରରେ ହାଣିଦେଇ ହତ୍ୟା କରିଥିଲା । ଘରେ ଫ୍ୟାନ୍ ଓ ଟିଭି ଚାଲୁଥିବାବେଳେ ରକ୍ତ ଜୁଡୁବୁଡୁ ମୃତଦେହ ଘର ଭିତରେ ପଡି ରହିଥିଲା । ସଙ୍ଗେସଙ୍ଗେ ସୁନୀଲ ନିଜ ଅଟୋରେ ସୁନୟନାକୁ ନେଇ ଆନନ୍ଦପୁର ଉପଖଣ୍ଡ ଡାକ୍ତରଖାନାରେ ପହଞ୍ଚିଥିବାବେଳେ ଡାକ୍ତର ମୃତଘୋଷଣା କରିଥିଲେ । ପରଦିନ ମହୁଲଡିହା ପୁଲିସ୍ ଆନନ୍ଦପୁର ଉପଖଣ୍ଡ ଡାକ୍ତରଖାନାରେ ମୃତଦେହକୁ ବ୍ୟବଚ୍ଛେଦ କରାଯିବା ସହିତ ସୁନୀଲଙ୍କ ଅଭିଯୋଗୁ ଅନୁସାର ଏକ ହତ୍ୟା ମାମଲା ରୁଜୁ କରିଥିଲା ।

ଘଟଣାପରେ କରଞ୍ଜିଆ ଏସ୍ଡ଼ିପିଓ ନାରାୟଣ ନାୟକ, ଠାକୁରମୁଣ୍ଡା ଓଆଇସି ନୀରୋଜ ସାମଲ, ମହୁଲଡ଼ିହା ଓଆଇସି ଶଶଧର ସେଠୀ ପ୍ରମୁଖଙ୍କ ସହିତ ବାରିପଦାରୁ ସାଇଣ୍ଟିଫିକ୍ ଟିମ୍ ଓ ସନ୍ଧାନୀ କୁକୁର ଆସି ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଥିଲେ । ସାଇଣ୍ଟିଫିକ୍ ଟିମ୍ର ଅଧିକାରୀମାନେ ହତ୍ୟାକାଣ୍ଡର ଅନୁଧ୍ୟାନ କରିବାସହିତ ସମସ୍ତ ନମୁନା ସଂଗ୍ରହ କରିଥିଲା । ଏହି ଘଟଣାରେ ପୁଲିସ୍ ସୁନୟନାଙ୍କ ପ୍ରେମିକ କୁହାଯାଉଥିବା ଫକିରପୁର ଜଣେ ଯୁବକ ଓ ଧାତିକିଡିହାର ଜଣେ ଯୁବକଙ୍କୁ ପ୍ରଥମେ ଅଟକ ରଖିଥିବାବେଳେ ଗ୍ରାମର ଅନ୍ୟ ବହୁ ବ୍ୟକ୍ତିଙ୍କୁ ଥାନାକୁ ଆଣି ବାରମ୍ବାର ପଚରାଉଚରା କରିଥିଲା । ତେବେ ଏଭଳି ଏକ ସ୍ପର୍ଶକାତର ଘଟଣାରେ ମୟୁରଭଞ୍ଜ ପୁଲିସ୍ ପୁରା ଦମ୍ ଲଗାଇଥିବାବେଳେ ଘଟଣାରଏକମାସ ପରେ ମଧ୍ୟ ହତ୍ୟାକାରୀଙ୍କ ସମ୍ପର୍କରେ କୌଣସି ଠୋସ୍ ସୁରାକ୍ ମିଳିପାରିନାହିଁ ।

ଅପରପକ୍ଷରେ ସୁନୟନାଙ୍କୁ ଏଭଳି ବର୍ବରଭାବେ ହତ୍ୟାକାଣ୍ଡକୁ ନେଇ ତାତିଛି ଠାକୁରମୁଣ୍ଡା ହୋ ସଂଗଠନ । ଘଟଣାର ଉଚ୍ଚସ୍ତରୀୟ ତଦନ୍ତ କରାଯାଇ ହତ୍ୟାକାରୀଙ୍କୁ ତୁରନ୍ତ ଗିରଫ କରିବା ସହିତ ସୁନୟନା ପରିବାରଙ୍କୁ କ୍ଷତିପୂରଣ ପ୍ରଦାନପାଇଁ ସଂଗଠନର ସଭାପତି ଭୁବନେଶ୍ୱରୀ ସାମାଡ଼, ସମ୍ପାଦକ ସୁର୍ଯ୍ୟ ସଏ, ଉପଦେଷ୍ଟା ସୁଜିତ୍ କୁମାର ଲୁଗୁନି ପ୍ରମୁଖ ବାରିପଦା ଏସପିଙ୍କ ସମେତ ରାଜ୍ୟ ପୁଲିସ୍ ଡିଜି,କରଞ୍ଜିଆ ବିଧାୟିକାଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ।

ସମ୍ବନ୍ଧିତ ଖବର