ଛାତ୍ରୀଙ୍କୁ ଅସଦାଚରଣ; ଶିକ୍ଷକ ଅଟକ

କପ୍ତିପଦା/ନୂଆସାହି : ନାବାଳିକା ଛାତ୍ରୀଙ୍କୁ ଅସଦାଚରଣ କରିବା ଅଭିଯୋଗରେ ଜଣେ ଶିକ୍ଷକଙ୍କୁ କପ୍ତିପଦା ପୁଲିସ ଗିରଫ କରିଛି। ମୟୂରଭଞ୍ଜ ଜିଲ୍ଲା ଶରତ ସରକାରୀ ଉଚ୍ଚବିଦ୍ୟାଳୟରେ ଏଭଳି କଳଙ୍କିତ ଘଟଣା ଘଟିଛି। ପୁଲିସ ସଂପୃକ୍ତ ଶିକ୍ଷକ ଗୟାଧର ସାମଲଙ୍କୁ ଅଧିକ ପଚରାଉଚରା କରୁଛି।

ଅଭିଯୋଗ ଅନୁଯାୟୀ ଶିକ୍ଷାନୁଷ୍ଠାନର ବାର୍ଷିକ ଉତ୍ସବ ପାଇଁ ଗତ ୮ ତାରିଖ ଦିନ ସ୍କୁଲ ପରିସରରେ ନାଚଗୀତର ଅଭ୍ୟାସ ଚାଲିଥିଲା। ଜଣେ ଛାତ୍ରୀଙ୍କୁ ଏକାକୀ ପାଇ ବିଜ୍ଞାନ ଶିକ୍ଷକ ଗୟାଧର ସାମଲ ଅସଦାଚରଣ ଉଦ୍ୟମ କରିଥିଲେ। ଛାତ୍ରୀଜଣକ ଏ ସଂପର୍କରେ ଘରେ ଆସି କହିବା ପରେ ପରିବାର ଲୋକେ ଗତକାଲି ପ୍ରଧାନଶିକ୍ଷକଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ମାତ୍ର ସେ କୌଣସି ପଦକ୍ଷେପ ନନେବାରୁ ଥାନାରେ ଏତଲା ଦେଇଥିଲେ। ଏହାକୁ ନେଇ ଆଜି ସେଠାରେ ଉତ୍ତେଜନା ପ୍ରକାଶ ପାଇଥିଲା। ସ୍ଥାନୀୟ ଲୋକେ ସ୍କୁଲ ସମ୍ମୁଖରେ ପହଞ୍ଚି ହୋ-ହଲ୍ଲା କରିଥିଲେ। ଅଭିଯୁକ୍ତ ଶିକ୍ଷକଙ୍କୁ ମାଡ଼ମାରି ରାସ୍ତାରେ ଚଲାଇ ଚଲାଇ ଥାନାକୁ ନେଇଥିଲେ।

ଏ ସଂକ୍ରାନ୍ତରେ ଶରତ ଥାନାରେ ୩/୧୮ରେ ଏକ ମାମଲା ରୁଜୁ ହୋଇଛି। ଗିରଫ ଶିକ୍ଷକଙ୍କୁ ଆସନ୍ତା କାଲି କୋର୍ଟଚାଲାଣ କରାଯିବ ବୋଲି ଥାନା ଅଧିକାରୀ ଘନଶ୍ୟାମ ମଲ୍ଲିକ ସୂଚନା ଦେଇଛନ୍ତି। ଶିକ୍ଷକ ଶ୍ରୀ ସାମଲ ଅଭିଯୋଗକୁ ଅସ୍ୱୀକାର କରିବା ସହ ଏହା ତାଙ୍କ ବିରୋଧରେ ଷଡ଼ଯନ୍ତ୍ର ବୋଲି କହିଛନ୍ତି।

ସମ୍ବନ୍ଧିତ ଖବର