ଥାନା ଆଗରୁ ଚୋରି

ହୋମିଓ ଡ୍ରଗ୍ ହାଉସ୍ କବାଟ ଭାଙ୍ଗି ନେଇଗଲେ ଟଙ୍କା, ସିସି ଟିଭି

ବାରିପଦା : କିଛି ଦିନ ପରେ ପୁଣିଥରେ ବାରିପଦା ସହରରେ ସକ୍ରିୟ ହୋଇପଡ଼ିଛନ୍ତି ଲୁଟେରା। ବାରିପଦା ଟାଉନ ଥାନା ରାସ୍ତାର ଆରପାଖରେ ଥିବା ହୋମିଓ ଡ୍ରଗ୍ ହାଉସର କବାଟକୁ ଭାଙ୍ଗି ନଗଦ ଟଙ୍କା ସହ ସିସିଟିଭି ଓ ସିସି ଟିଭି ସେସିନ ଚୋରି ହୋଇଥିବା ଥାନାରେ ଅଭିଯୋଗ ହୋଇଛି।

ଡ୍ରଗ୍ ହାଉସର ମାଲିକ ପୂର୍ଣ୍ଣଚନ୍ଦ୍ର ଜେନା  କରିଥିବା ଅଭିଯୋଗ ଅନୁଯାୟୀ ଗତକାଲି ରାତି ପ୍ରାୟ ସାଢ଼େ ୯ ସମୟରେ ସେ ଦୋକାନ ବନ୍ଦ କରି ଘରକୁ ଯାଇଥିଲେ। ସବୁଦିନ ପରି ଆଜି ସକାଳ ସମୟରେ ଦୋକାନ ଖୋଲିଥିଲେ । ଏହି ସମୟରେ ଦୋକାନରେ ତାଲା ପଡ଼ିଥିବା ବେଳେ ତଳ ତାଲା ନିକଟରେ କବାଟ ଭଙ୍ଗା ଯାଇଥିବାର ଦେଖିବାକୁ ପାଇଥିଲେ। ଯେଉଁ ସ୍ଥାନରେ କବାଟ ଭଙ୍ଗା ଯାଇଛି ତା ଆଗରେ ପାର୍ଶ୍ବରେ ଜେରକ୍ସ ଦୋକାନର ଏକ କଟ-ଆଉଟ ରହିଥିବାର ଦେଖିବାକୁ ପାଇଥିଲେ । ଦୋକାନର ତାଲା ଖୋଲି ଭିତରକୁ ପ୍ରବେଶ କରି ଡ୍ରୟାର ତାଲା ଭଙ୍ଗାଯିବା ସହ ଭିତରେ ଥିବା ନଗଦ ଟଙ୍କା ଚୋରି ହୋଇଥିବାର ଜାଣିବାକୁ ପାଇଥିଲେ । ଏହାପରେ ସିସିଟିଭି ଫୁଟେଜ ଯାଞ୍ଚ କରିବାକୁ ଯିବା ବେଳେ ଦୋକାନରେ ଲାଗିଥିବା ସିସି ଟିଭି ଓ ମେସିନ ମଧ୍ୟ ଚୋରି ହୋଇଥିବାର ଦେଖିବାକୁ ପାଇଥିଲେ । ଗତ କାଲି ବର୍ଷା ହେଉଥିବାରୁ ବ୍ୟାଙ୍କରେ ଟଙ୍କା ଜମା କରିନ ପାରି କ୍ୟାସ ଡ୍ରୟାର ଭିତରେ ଜମା ପାଇଁ ରଖିଥିବା ୧ .୨୦ ଲକ୍ଷ ଟଙ୍କା ସହ ଗତ କାଲିର ସେଲ ଟଙ୍କା ୨୫ ହଜାର ମଧ୍ୟରେ ଏବଂ ବ୍ୟାଙ୍କରୁ ବଦଳ କରାଇବା ପାଇଁ ରଖିଥିବା ଚିରା ଫଟା ନୋଟକୁ ମିଶାଇ ପ୍ରାୟ ଦେଢ଼ ଲକ୍ଷ ଟଙ୍କାରୁ ଅଧିକ ଚୋରି ହୋଇଥିବା ଶ୍ରୀ ଜେନା ଅଭିଯୋଗ କରିଛନ୍ତି।

ଏହି ଚୋରିରେ ପେଶାଦାର ବାଳ ଅପରାଧୀର କାର୍ଯ୍ୟ ହୋଇଥାଇ ପାରେ ବୋଲି ସନ୍ଦେହ କରାଯାଇଛି । କବାଟଟି ପ୍ରାୟ ୬ ଇଞ୍ଚ ମଧ୍ୟରେ ଭଙ୍ଗା ଯାଇଥିବା ବେଳେ ଏହା ମଧ୍ୟ ଦେଇ କେବଳ ଛୋଟ ପିଲା ବ୍ୟତୀତ ବଡ଼ ମଣିଷ ପ୍ରବେଶ କରିବା ସମ୍ପୂର୍ଣ୍ଣ ଭାବେ ଅସମ୍ଭବ ବୋଲି ଅନୁମାନ କରାଯାଉଛି । କୌଣସି ପେଶାଦାର ଅପରାଧୀ ତାଲିମପ୍ରାପ୍ତ ପେଶାଦାର ବାଳ ଅପରାଧୀ ଦ୍ୱାରା ଏହି କାର୍ଯ୍ୟ କରାଇଛି । ଏଥି ସହିତ ଜୁଲାଇ ୨୯ ରାତିରେ ଲଗାଣ ବର୍ଷା କାରଣରୁ ପୁଲିସର ପେଟ୍ରୋଲିଂ ବ୍ୟବସ୍ଥାରେ ଢ଼ିଲା ସହ ସଦାସର୍ବଦା ବ୍ୟସ୍ତ ବହୁଳ ଏହି ଥାନା ଆଗ ବଡ଼ଦାଣ୍ଡ ଶୂନଶାନ୍ ପଡ଼ିଯାଇଥିବାର ସୁଯୋଗ ନେଇ ଅପରାଧୀ ଅତି ସହଜରେ ନିଜର କାର୍ଯ୍ୟ ହାସଲ କରିଛି । ଏହି କାର୍ଯ୍ୟ ବାହାର ରାଜ୍ୟରୁ ଆସି ବାରିପଦା ସହରରେ ଭିକ୍ଷାବୃତ୍ତି ଓ ଫେରି କରି ବେଲୁନ ଆଦି ବିକ୍ରି କରୁଥିବା ଯାଯାବର ପରିବାରର ପିଲାମାନଙ୍କର କାର୍ଯ୍ୟ ବୋଲି ସନ୍ଦେହ କରାଯାଇଛି । ତେବେ ଉକ୍ତ ଚୋରୀ ଘଟଣାକୁ ନେଇ ଥାନାରେ ଏକ ମାମଲା ରୁଜୁ କରାଯାଇ ଅଭିଯୁକ୍ତକୁ ଧରିବା ପାଇଁ ତଦନ୍ତ ଜାରି ରହିଥିବା ଜଣାପଡ଼ିଛି ।

ସମ୍ବନ୍ଧିତ ଖବର