ବାରିପଦା: ଶିମିଳିପାଳ ଜଙ୍ଗଲରେ ହାତୀ ପରେ ଏବେ ମହାବଳ ବାଘ ଶିକାର ସଂପୃକ୍ତ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ବାଘ ଛାଲ ସହ ଏବେ ସୁଦ୍ଧା ଜଣଙ୍କୁ ଗିରଫ କରାଯାଇଛି ଓ ୨ ଜଣ କେଉଁଆଡ଼େ ଫେରାର୍ ହୋଇ ଯାଇଛନ୍ତି। ଶିମିଳିପାଳ ଉଦଳା ରେଞ୍ଜର ବିସିପୁର ଅଞ୍ଚଳରୁ ଏହି ବାଘ ଛାଲ ଜବତ ହୋଇଥିବା ସୂଚନା ରହିଛି।
ରାତି ପ୍ରାୟ ୨ଟା ସମୟରେ ମହାବଳ ବାଘକୁ ଶିକାର କରି ବାଘ ଛାଲ ବିକ୍ରି କରିବାକୁ ଡିଲ୍ ଚାଲିଥିବା ଖବର ପାଇ ଘଟଣାସ୍ଥଳରେ ପହଞ୍ଚିଥିଲା ଏସ୍ଟିଏଫ୍ର ଏକ ଟିମ୍। ଭୁବନେଶ୍ବରରୁ ଏସ୍ଟିଏଫ୍ର ଏକ ୭ ଜଣିଆ ଟିମ୍ ଯାଇ ବାରିପଦା-ଉଦଳା ରାସ୍ତାର ବିସିପୁରରେ ପହଞ୍ଚି ଡିଲ୍ ବେଳେ ଚଢ଼ାଉ କରିଥିଲେ। ଚଢ଼ାଉ କରି ବାଘଛାଲ ଜବତ କରିବା ସହ ଜଣେ ଅଭିଯୁକ୍ତଙ୍କୁ ଧରିବାରେ ବି ସମର୍ଥ ହୋଇଥିଲେ।
ତେବେ ବାଘଟି ୫-୭ ବର୍ଷର ବୋଲି ଅନୁମାନ କରାଯାଉଛି। ପୂର୍ବରୁ ଏହି ଜଙ୍ଗଲରେ ହାତୀ ଶିକାର ହୋଇଥିବା ବେଳେ ଏବେ ବାଘ ଶିକାର ସ୍ପଷ୍ଟ କରୁଛି ଯେ ଶିକାରୀମାନଙ୍କ ନଜର ଏବେ ଶିମିଳିପାଳ ଜଙ୍ଗଲ ଉପରେ ରହିଛି। ଆପଣ ଜାଣିଥିବେ ନିଶ୍ଚୟ ଯେ ମାସେ ତଳେ ଶିମିଳିପାଳରେ ଏକ ହାତୀକୁ ଗୁଳି କରି ଶିକାର କରା ଯାଇଥିଲା।