ଶିମିଳିପାଳରେ କଲରାପତରିଆ ବାଘ ଚମଡା ଜବତ, ୫ ଯୁବକ ଗିରଫ,୨ଟି ବାଇକ ଜବତ

ବିଶୋଇ : ମୟୂରଭଞ୍ଜ ଜିଲ୍ଲା ଶିମିଳିପାଳ ପାଦଦେଶରେ ଆଜି ଏକ କଲରାପତରିଆ ବାଘଚମଡା ଜବତ ହେବାସହିତ ଏଥିରେ ସମ୍ପୃକ୍ତ ୫ ଜଣ ଯୁବକଙ୍କୁ ବନବିଭାଗ ଦ୍ୱାରା ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି।

ମିଳିଥିବା ସୂଚନା ଅନୁସାରେ ମଙ୍ଗଳବାର ପ୍ରାୟ ଦିନ ୧୧ ଘଟିକା ସମୟରେ ରାଇରଙ୍ଗପୁର ବନଖଣ୍ଡ ଅନ୍ତର୍ଗତ ମଣଦା ରେଞ୍ଜର ବିଶୋଇ ସ୍ଥିତ ଖଜୁରିକଟାସ ଗ୍ରାମ ନିକଟରେ ଏକ କଲରାପତରିଆ ବାଘ ଚମଡା ବିକ୍ରି ନିମନ୍ତେ ମସୁଧା ଚାଲିଥିବା ବନବିଭାଗ ବିଶେଷ ସୁତ୍ରରୁ ସୂଚନା ପାଇଥିଲା । ଏହାପରେ ଡିଏଫଓ ଅରୁଣ କୁମାର ମିଶ୍ରଙ୍କ ନିର୍ଦ୍ଦେଶ କ୍ରମେ ଏସିଏଫ ବୈଦ୍ୟନାଥ ମାଝୀ,ଏସିଏଫ ନବୀନ ଚନ୍ଦ୍ର ନାୟକ ସମେତ ରାଇରଙ୍ଗପୁର ବନଖଣ୍ଡର କର୍ମଚାରୀ ପ୍ରମୁଖ ଟ୍ରାକିଂ କରି ଏକ ସ୍ୱତନ୍ତ୍ର ଟିମ ସହିତ ଘଟଣାସ୍ଥଳରେ ଚଢ଼ାଉ କରିଥିଲେ ।

ଘଟଣା ସ୍ଥଳରୁ ସେମାନେ ଏକ କଲରାପତରିଆ ବାଘ ଚମଡ଼ା ଜବତ କରିବା ସହ ଏଥିରେ ସମ୍ପୃକ୍ତ ଥିବା ବିଶୋଇ ଥାନା ଅନ୍ତର୍ଗତ ମଧୁପୁର ଗ୍ରାମର ବାଇନାଥ ହେମ୍ବ୍ରମ (୨୫),ଜାମଦା ଥାନାର ତୁଶୀଲ ମୁର୍ମୁ (୪୨),ଚାନ୍ଦୁଆ ଥାନାର ହାମ୍ବିର ଟୁଡୁ (୧୮),ବିଶୋଇ ଥାନାର ସନତ ମାର୍ଣ୍ଡି (୪୫),କୁଳିଅଣା ଥାନାର ଖେଲାରାମ ହାଁସଦା (୨୧) ପ୍ରମୁଖ ୫ ଜଣ ଯୁବକଙ୍କୁ ଗିରଫ କରିଥିଲେ । ଏହା ସହିତ ସେମାନଙ୍କ ପାଖରେ ଥିବା ଗୋଟିଏ ହୋଣ୍ଡା ସାଇନ ବାଇକ (ଓଡି ୧୧ ଭି ୨୦୭୯) ଓ ଗୋଟିଏ ଟିଭିଏସ ବାଇକ (ଓଡି ୧୧କ୍ୟୁ ୭୧୬୧)କୁ ଜବତ କରିଥିଲେ ।

ତେବେ ଗତ କିଛିଦିନ ଧରି ଶିମିଳିପାଳ ପାଦଦେଶରେ ବନ୍ୟଜନ୍ତୁ ଶିକାରୀ ଓ ଚୋରାବେପାରୀ ମାନେ ଖୁବ ସକ୍ରିୟ ଥିବାବେଳେ ଏମାନଙ୍କ ଉପରେ କଡା ନଜର ରଖିବା ପାଇଁ ରାଇରଙ୍ଗପୁର ବନଖଣ୍ଡ ଦ୍ୱାରା ଏକ ସ୍ୱତନ୍ତ୍ର ଟିମ ଗଠନ କରଆଯାଇଥିଲା ।କଲରାପତରିଆ ବାଘ ଚମଡାର ଲମ୍ବ ୫ ଫୁଟ ୬ ଇଞ୍ଚ ଥିବାବେଳେ ଏହି ବାଘଟିକୁ ଗତ କିଛିମାସ ପୂର୍ବରୁ ଶିକାର କରାଯାଇଥିବାର ଅନୁମାନ କରାଯାଇଛି । ଗତ ଦେଢ଼ମାସ ପୂର୍ବରୁ ମଧ୍ୟ ବିଶୋଇ ସ୍ଥିତ ମଣଦା ରେଞ୍ଜର ଖଜୁରୀକଟାସ ଗ୍ରାମରେ ଏକ କଲରାପତରିଆ ବାଘ ଚମଡା ଜବତ ହେବାସହିତ ଏଥିରେ ସମ୍ପୃକ୍ତ ୨ ଜଣ ଅଭିଯୁକ୍ତ ଗିରଫ ଥିବାବେଳେ କୋର୍ଟ ଚାଲାଣ ସମୟରେ ଜଣେ ଅଭିଯୁକ୍ତ ଫେରାର ଥିବାର ସୂଚନା ମିଳିଛି ।

ସମ୍ବନ୍ଧିତ ଖବର