ନାବାଳିକାଙ୍କ ଭିଡିଓ ଭାଇରାଲ କରି ଯୁବକ ଗିରଫ

ପଦ୍ମପୁର(ଯଶିପୁର) : ପୃଥକ୍‌ ପ୍ରେମ ପ୍ରତାରଣା ଅଭିଯୋଗ ଘଟଣାର ତଦନ୍ତ କରି ଆଜି ଯଶିପୁର ଥାନା ପୁଲିସ ୨ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ପ୍ରଥମ ଘଟଣାରେ ପ୍ରେମ ଜାଲରେ ଫସାଇ ନାବାଳିକାଙ୍କ ନଗ୍ନ ଫଟୋ ଭାଇରାଲ କରିଥିଲା ଯୁବକ। ଏହି ମାମଲାରେ ଯଶିପୁର ଥାନା ପୁଲିସ ବିଭିନ୍ନ ସ୍ଥାନରେ ଛାନ୍‌ଭିନ୍‌ କରି ପ୍ରାୟ ୧୦ ମାସ ପରେ ଅଭିଯୁକ୍ତକୁ ଗିରଫ କରିଛି। ଅଭିଯୁକ୍ତ ଜଣକ ବାଲେଶ୍ୱର ଜିଲ୍ଲା କମର୍ଦ୍ଦା ଥାନା ଅନ୍ତର୍ଗତ ଦାହୁଣଦା ଗାଁର ବିବାହିତ ଯୁବକ ବିଜୟ କୁମାର ସାହୁ(୩୦)। ଅନ୍ୟ ଏକ ଦୁଷ୍କର୍ମ ମାମଲାର ତଦନ୍ତ କରି ପୁଲିସ ଯଶିପୁର ଥାନା ଅନ୍ତର୍ଗତ ଚାଡ୍ରିପାହାଡ଼ି ଗାଁ ହନୁସାହିରୁ ଅଭିଯୁକ୍ତ ଗଇର ସିଂ ଓରଫ ବାଇଆକୁ ଗିରଫ କରିଛି। ପୃଥକ ମାମଲା ରୁଜୁ କରି ପୁଲିସ ଆଜି ଉଭୟଙ୍କୁ କରଂଜିଆ କୋର୍ଟକୁ ଚାଲାଣ କରିଛି।

ସୂଚନା ଅନୁସାରେ, ୨୦୧୬ ମସିହାର ଘଟଣା। ଯଶିପୁର ଥାନା ଅଞ୍ଚଳର ଜଣେ +୨ କଲେଜ ପଢ଼ୁଆ ନାବାଳିକାଙ୍କ ନଗ୍ନ ଭିଡିଓ ଫଟୋ ମୋବାଇଲ ଭାଇରାଲ ଘଟଣା ଚାଞ୍ଚଲ୍ୟ ଖେଳାଇ ଦେଇଥିଲା। ଯଶିପୁର ଥାନାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କରଂଜିଆ ଏସ୍‌ଡିପିଓ କୃଷ୍ଣ ପ୍ରସାଦ ପଟ୍ଟନାୟକ ଆଜି ଘଟଣାର ପର୍ଦ୍ଦାଫାଶ କରିଛନ୍ତି। କହିଛନ୍ତି, ୨୦୧୬ ମସିହାରେ ସଂପୃକ୍ତ ନାବାଳିକାଙ୍କ ସହିତ ବିଜୟ ଓରଫ ରାହୁଲ ପ୍ରଥମେ ମୋବାଇଲ ଯୋଗେ ସଂପର୍କ ବାନ୍ଧିଥିଲା। କେତେବେଳେ ବିବେକ ତ ପୁଣି କେତେବେଳେ ଝାଟୁ ନାଁରେ ନିଜକୁ ସେ ପରିଚୟ ଦେଉଥିଲା। ବିବାହ ପ୍ରଲୋଭନ ଦେଖାଇ ନାବାଳିକାଙ୍କୁ ସେ ଦୀଘା ଅଞ୍ଚଳକୁ ନେଇଥିଲା। ସେଠାରେ ପାନୀୟ ଦ୍ରବ୍ୟରେ ନିଶା ମିଶାଇ ନାବାଳିକାଙ୍କ ସହ ସେ ଦୁଷ୍କର୍ମ କରିଥିଲା। ଏହାର ଭିଡିଓ ସୁଟିଂ ସେ କରିଥିଲା। ପରେ ଏହି ନଗ୍ନ ଭିଡିଓ ଭାଇରାଲ ହେବା ଜାଣି ନାବାଳିକାଙ୍କ ପରିବାର ୨୦୧୭ ମସିହା ଅପ୍ରେଲ ମାସ ୧୮ ତାରିଖରେ ଯଶିପୁର ଥାନାରେ ଏତଲା ଦେଇଥିଲେ। ଏନେଇ ପୁଲିସ ୫୦/୧୮ନଂ.ରେ ମାମଲା ରୁଜୁ କରି ଅଭିଯୁକ୍ତକୁ ଧରିବା ପାଇଁ ଛାନଭିନ୍‌ ଜାରି ରଖିଥିଲା। ଅଭିଯୁକ୍ତର କୌଣସି ସୁରାକ ନମିଳିବାରୁ ଏସ୍‌ଡିପିଓ ଶ୍ରୀ ପଟ୍ଟନାୟକ ଏହାର ତଦନ୍ତ ଭାର ନେଇଥିଲେ। ବ୍ୟାଙ୍କ ଆକାଉଣ୍ଟ ଓ ମୋବାଇଲ୍‌ ନମ୍ବର ଟ୍ରାକିଂ କରି ବାଲେଶ୍ୱର ଜିଲ୍ଲା କମର୍ଦ୍ଦା ଥାନା ଅନ୍ତର୍ଗତ ଦାହୁଣଦା ଗାଁରୁ ବିଜୟକୁ ଏସ୍‌ଡିପିଓ ଶ୍ରୀ ପଟ୍ଟନାୟକ କାବୁ କରିଥିଲେ। ବିଜୟ ବିବାହିତ ଓ ତା’ର ଗୋଟିଏ ପିଲା ଅଛି। ବିଜୟ ଦୋଷ ସ୍ୱୀକାର କରିଥିବା ପୁଲିସ କହିଛି। ଏନେଇ ଯଶିପୁର ଥାନାରେ ୫୦/୧୭ନଂ.ରେ ମାମଲା ରୁଜୁ ହୋଇଛି।

ଅନ୍ୟ ଏକ ଅଭିଯୋଗ ଅନୁସାରେ, ଯଶିପୁର ଥାନା ଅଞ୍ଚଳର ଜଣେ ନାବାଳିକାଙ୍କୁ ବିବାହ ପ୍ରଲୋଭନ ଦେଖାଇ ଗଇର ଶାରିରୀକ ସଂପର୍କ ରଖିଥିଲା। ପରେ ବିବାହ କରିବାକୁ ସେ ମନା କରିଥିଲା। ଏନେଇ ନାବାଳିକା ଜଣକ ଯଶିପୁର ଥାନାରେ ଏତଲା ଦେଇଥିଲେ। ପୁଲିସ ୩/୧୮ନଂ.ରେ ମାମଲା ରୁଜୁ କରି ଗଇରକୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଛି।

ସମ୍ବନ୍ଧିତ ଖବର