ଟିଭି ଦେଖା ହେଲା କାଳ: ବିଦ୍ୟୁତ୍‌ ଆଘାତରେ ୨ ଶିଶୁ କନ୍ୟା ମୃତ

ବାରିପଦା: ସଦର ଥାନା ଅନ୍ତର୍ଗତ ଷଡ଼େଇକଳା ଗାଁରେ ବୁଧବାର ବିଦ୍ୟୁତ୍‌ ଆଘାତରେ ୨ ଜଣ ଶିଶୁ କନ୍ୟାଙ୍କର ମୃତ୍ୟୁ ଘଟିଛି। ଉକ୍ତ ୨ ଜଣ ଶିଶୁ ଘରେ ଟିଭି ଦେଖୁଥିବାବେଳେ ସାମ୍ନାରେ ଥିବା ଟେବୁଲ୍‌ ଫ୍ୟାନ୍‌ ସର୍ଟ ସର୍କିଟ ଯୋଗୁଁ ବିଦ୍ୟୁତ୍‌ ଆଘାତରେ ମୃତ୍ୟୁ ହୋଇଯାଇଛି। ଘଟଣାରୁ ପ୍ରକାଶ, ଷଡ଼େଇକଳା ଗାଁର ବିଶ୍ୱନାଥ ସୋରେନ୍‌ଙ୍କ ୫ ବର୍ଷର ଶିଶୁ କନ୍ୟା ରାଜଲକ୍ଷ୍ମୀ ସୋରେନ୍‌ ଏବଂ ରାମେଶ୍ୱର ସୋରେନ୍‌ଙ୍କ ୬ ବର୍ଷର ଶିଶୁ କନ୍ୟା ଶିଲି ସୋରେନ୍‌ ଆଜି ଅପରାହ୍ନ ପ୍ରାୟ ୨ଟା ବେଳେ ଘରେ ଟିଭି ଦେଖୁଥିଲେ। ଏହି ସମୟରେ ରାଜଲକ୍ଷ୍ମୀ ସାମ୍ନାରେ ଥୁଆ ହୋଇଥିବାର ଟେବୁଲ ଫ୍ୟାନ୍‌ଟିକୁ ଦେଖି ଚଳେଇବାକୁ ଉଦ୍ୟମ କରିଥିଲା। ଫ୍ୟାନ୍‌ ଭିତରକୁ ହାତ ପୂରାଇ ଘୂରାଇବାକୁ ଚେଷ୍ଟାକଲା ବେଳେ ରାଜଲକ୍ଷ୍ମୀକୁ କରେଣ୍ଟ ଲାଗିଥିଲା। ରାଜଲକ୍ଷ୍ମୀକୁ ଟାଣି ଆଣିବାକୁ ଚେଷ୍ଟା କରିବାକୁ ଯାଇ ଶିଲି ମଧ୍ୟ ଫଶିଯାଇଥିଲା। ଉଭୟ ବିଦ୍ୟୁତ୍‌ ଆଘାତରେ ପ୍ରାଣ ହରାଇଥିଲେ।

ଘଟଣା ଘଟିବା ବେଳେ ଘରେ କେହି ନଥିଲେ। ତେବେ ଚିତ୍କାର ଶୁଣି ପଡ଼ୋଶୀ ଲୋକ ଧାଇଁ ଆସି ଦେଖିଲା ବେଳକୁ ଉକ୍ତ ଦୁଇ ଶିଶୁ ଛଟପଟ ହେଉଥିଲେ। ପଡ଼ୋଶୀଙ୍କ ସହାୟାତରେ ଘରକୁ ବିଜୁଳି ସରବରାହ ବିଚ୍ଛିନ୍ନ କରାଯାଇ ଉକ୍ତ ୨ ଶିଶୁଙ୍କୁ ଉଦ୍ଧାର କରାଯାଇଥିଲା। ମାତ୍ର ସେତେବେଳକୁ ସେମାନଙ୍କର ପ୍ରାଣବାୟୁ ଛାଡ଼ି ଚାଲିଯାଇଥିଲା। ଘର ଲୋକେ ଶିଶୁ ଦୁଇ ଜଣଙ୍କୁ ବାରିପଦାସ୍ଥିତ ପିଆର୍‌ଏମ୍‌ ମେଡ଼ିକାଲ୍‌ କଲେଜକୁ ଆଣିଥିଲେ। ମାତ୍ର ସେତେବେଳକୁ ୨ ଶିଶୁ ଆଉ ବଞ୍ଚି ନଥିଲେ। ଏହାପରେ ଉକ୍ତ ୨ ଶିଶୁଙ୍କର ଶବ ବ୍ୟବଚ୍ଛେଦ କରାଯାଇ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇଥିବା ବାରିପଦା ସଦର ଥାନାଧିକାରୀ ସ୍ୱର୍ଣ୍ଣଲତା ମିଞ୍ଜ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର